ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ମୁକାବିଲାର ପରିସଂଖ୍ୟାନ

ନୂଆଦିଲ୍ଲୀ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଜୁନ୍‌ ୭ରୁ ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍‌ ଫାଇନାଲ ଇଂଲଣ୍ଡର ଓଭାଲ୍‌ରେ ଖେଳାଯିବ। ଦୁଇଦଳ ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍‌ ଫାଇନାଲର ୨ୟ ସଂସ୍କରଣ ଖେଳିବେ। ଏହି ମ୍ୟାଚ୍‌ ପୂର୍ବରୁ ଆସନ୍ତୁ ଜାଣିବା ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅଦ୍ୟାବଧି ଖେଳା ଯାଇଥିବା ଟେଷ୍ଟ ଶୃଙ୍ଖଳା ଓ ଟେଷ୍ଟମ୍ୟାଚ୍‌ର ପରିସଂଖ୍ୟାନ।
୧୯୪୭-୪୮ରୁ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ଶୃଙ୍ଖଳା ଆରମ୍ଭ ହୋଇଥିଲା। ଚଳିତବର୍ଷ ଫେବୃଆରୀ-ମାର୍ଚ୍ଚରେ ଉଭୟ ଦେଶଙ୍କ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ଶୃଙ୍ଖଳା ଖେଳା ଯାଇଥିଲା। ଫଳରେ ଅଦ୍ୟାବଧି ଉଭୟ ଦେଶଙ୍କ ମଧ୍ୟରେ ମୋଟ ୨୮ଟି ଟେଷ୍ଟ ଶୃଙ୍ଖଳା ଖେଳାଯାଇଛି। ଏଥିରୁ ଅଷ୍ଟ୍ରେଲିଆ ୧୨ଟି ଜିତିଥିବା ବେଳେ ୧୧ଟି ଭାରତ ଜିତିଛି। ୫ଟି ଶୃଙ୍ଖଳା ଅମୀମାଂସିତ ରହିଛି। ୨୦୧୭ରୁ ଅଦ୍ୟାବଧି ଉଭୟ ଦଳଙ୍କ ମଧ୍ୟରେ ଖେଳା ଯାଇଥିବା ୪ଟିଯାକ ଶୃଙ୍ଖଳା ଭାରତ ଜିତିଛି। ଏଥିରୁ ୨ଟି ଶୃଙ୍ଖଳା ଅଷ୍ଟ୍ରେଲିଆରେ ଓ ବାକି ୨ଟି ଶୃଙ୍ଖଳା ଭାରତରେ ଖେଳା ଯାଇଥିଲା। ଏହା ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍‌ ଲାଗି ଭାରତୀୟ ଦଳର ମନୋବଳକୁ ଦୃଢ଼ କରିବ। ଭାରତମାଟିରେ ଉଭୟ ଦଳଙ୍କ ମଧ୍ୟରେ ମୋଟ ୧୫ଟି ଟେଷ୍ଟ ଶୃଙ୍ଖଳା ଖେଳାଯାଇଛି। ଏଥିରୁ ଭାରତ ୯ଟି ଓ ଅଷ୍ଟ୍ରେଲିଆ ୪ଟି ଜିତିଥିବା ବେଳେ ୨ଟି ଶୃଙ୍ଖଳା ଅମୀମାଂସିତ ରହିଛି। ୧୯୭୯ରୁ ଉଭୟ ଦଳଙ୍କ ମଧ୍ୟରେ ଭାରତରେ ୧୧ଟି ଟେଷ୍ଟ ଶୃଙ୍ଖଳା ଖେଳା ଯାଇଥିବା ବେଳେ ଭାରତ ମାତ୍ର ଗୋଟିଏ (୨୦୦୪) ହାରିଛି ଏବଂ ୯ଟି ଜିତିଛି। ଅଷ୍ଟ୍ରେଲିଆରେ ଉଭୟ ଦଳ ମୋଟ ୧୩ଟି ଟେଷ୍ଟ ଶୃଙ୍ଖଳା ଖେଳିଛନ୍ତି। ସେଥିରୁ ଅଷ୍ଟ୍ରେଲିଆ ୮ଟି ଜିତିଥିବା ବେଳେ ମାତ୍ର ୨ଟିଟି ଭାରତ ଜିତିଛି। ୩ଟି ଶୃଙ୍ଖଳା ଅମୀମାଂସିତ ରହିଛି। ୨୦୧୮ରେ ଅଷ୍ଟ୍ରେଲିଆରେ ପ୍ରଥମଥର ଭାରତ ଟେଷ୍ଟ ଶୃଙ୍ଖଳା ଜିତିଥିବା ବେଳେ ୨୦୨୦ରେ ଏହାକୁ ଦୋହରାଇଥିଲା। ଅଦ୍ୟାବଧି ଉଭୟ ଦେଶଙ୍କ ମଧ୍ୟରେ ମୋଟ ୧୦୬ଟି ଟେଷ୍ଟମ୍ୟାଚ୍‌ ଖେଳାଯାଇଛି। ଏଥିରୁ ଅଷ୍ଟ୍ରେଲିଆ ୪୪ଟି ଜିତିଥିବା ବେଳେ ଭାରତ ୩୨ଟି ଜିତିଛି। ୨୯ଟି ମ୍ୟାଚ୍‌ ଡ୍ର ଥିବା ବେଳେ ଗୋଟିଏ ଟାଇ ରହିଥିଲା। ଭାରତରେ ଉଭୟ ଦଳ ୫୪ଟି ଟେଷ୍ଟମ୍ୟାଚ୍‌ ଖେଳିଛନ୍ତି। ଏଥିରୁ ଭାରତ ୨୩ଟି ଓ ଅଷ୍ଟ୍ରେଲିଆ ୧୪ଟି ଟେଷ୍ଟମ୍ୟାଚ୍‌ ଜିତିଛନ୍ତି। ୧୬ଟି ମ୍ୟାଚ୍‌ ଡ୍ର ରହିଛି ଓ ଗୋଟିଏ ଟାଇ ଭାବେ ଶେଷହୋଇଛି। ଅଷ୍ଟ୍ରେଲିଆରେ ଉଭୟ ଦଳ ୫୨ଟି ଟେଷ୍ଟମ୍ୟାଚ୍‌ ଖେଳିଛନ୍ତି। ଏଥିରୁ ଅଷ୍ଟ୍ରେଲିଆ ୩୦ଟି ଓ ଭାରତ ୯ଟି ଟେଷ୍ଟମ୍ୟାଚ୍‌ ଜିତିଛନ୍ତି। ୧୩ଟି ମ୍ୟାଚ୍‌ ଡ୍ର ରହିଛି। ପ୍ରଥମଥର ଭାରତ ଓ ଅଷ୍ଟ୍ରେଲିଆ ନିରପେକ୍ଷ ସ୍ଥାନରେ ଟେଷ୍ଟମ୍ୟାଚ୍‌ ଖେଳିବାକୁ ଯାଉଛନ୍ତି।

ଓଭାଲ୍‌ର ରେକର୍ଡ ଅଷ୍ଟ୍ରେଲିଆ ବିପକ୍ଷରେ
ଇଂଲଣ୍ଡର ଓଭାଲ୍‌ରେ ଭାରତ ଓ ଅଷ୍ଟ୍ରେଲିଆ ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍‌ ଫାଇନାଲ ଖେଳିବାକୁ ଯାଉଛନ୍ତି। ହେଲେ ଇଂଲଣ୍ଡର ଗ୍ରାଉଣ୍ଡମାନଙ୍କ ମଧ୍ୟରୁ ଓଭାଲ୍‌ରେ ଅଷ୍ଟ୍ରେଲିଆର ରେକର୍ଡ ସବୁଠାରୁ ଖରାପ। ଓଭାଲ୍‌ରେ ଅଷ୍ଟ୍ରେଲିଆ ମୋଟ ୩୮ଟି ଟେଷ୍ଟମ୍ୟାଚ୍‌ ଖେଳି ମାତ୍ର ୭ଟି ଜିତିଥିବା ବେଳେ ୧୭ଟିରେ ପରାଜୟ ବରଣ କରିଛି। ୧୪ଟି ଟେଷ୍ଟ ଡ୍ର ରହିଛି। ଅନ୍ୟପକ୍ଷରେ ଓଭାଲ୍‌ରେ ଭାରତ ୧୪ଟି ଟେଷ୍ଟମ୍ୟାଚ୍‌ ଖେଳି ୨ଟି ଜିତିଥିବା ବେଳେ ୫ଟି ହାରିଛି ଏବଂ ୧୪ଟି ମ୍ୟାଚ୍‌ ଅମୀମାଂସିତ ରଖିପାରିଛି। ଇଂଲଣ୍ଡ​‌େ​‌ର ଅଷ୍ଟ୍ରେଲିଆ ମୋଟ ୧୭୬ଟି ଟେଷ୍ଟମ୍ୟାଚ୍‌ ଖେଳି ୫୪ଟି ଲେଖାଏଁ ବିଜୟ ଓ ପରାଜୟ ଏହା ନାମରେ ରହିଛି। ୬୮ଟି ଟେଷ୍ଟ ଡ୍ର ରହିଛି। ଇଂଲଣ୍ଡରେ ଭାରତ ୬୮ଟି ଟେଷ୍ଟମ୍ୟାଚ୍‌ ଖେଳି ୯ଟି ଜିତିଛି ଓ ୩୭ଟି ହାରିଛି। ୨୨ଟି ଟେଷ୍ଟ ଅମୀମାଂସିତ ରହିଛି।

Comments are closed.