www.samajalive.in
Monday, December 15, 2025
15.1 C
Bhubaneswar

ଭାରତକୁ ୩୨ ରନ୍‌ରେ ହରାଇଲା ଅଷ୍ଟ୍ରେଲିଆ

ରାଞ୍ଚି : ମହେନ୍ଦ୍ର ସିଂହ ଧୋନିଙ୍କ ସହରରେ ଶୁକ୍ରବାର ଖେଳା ଯାଇଥିବା ୩ୟ ଦିନିକିଆ ମ୍ୟାଚ୍‌ରେ ଭାରତ ପରାସ୍ତ ହୋଇଛି। ଓପ୍‌ନର ଉସ୍‌ମାନ ଖାୱାଜାଙ୍କ ଶତକ ବଳରେ ଭାରତକୁ ୩୨ ରନ୍‌ରେ ହରାଇ ସିରିଜ୍‌କୁ ଜୀବନ୍ତ ରଖିପାରିଛି ଅ‌େ‌ଷ୍ଟ୍ରଲିଆ ଦଳ। ଭାରତୀୟ ଅଧିନାୟକ ବିରାଟ କୋହଲି ଶତକ ହାସଲ କରିଥିଲେ ହେଁ ଦଳକୁ ପରାଜୟରୁ ବଞ୍ଚାଇ ପାରିନଥିଲେ। ଖାୱାଜାଙ୍କ ପ୍ରଥମ ଦିନିକିଆ ଶତକ ସହ ଅଧିନାୟକ ଆରୋନ୍ ଫିଞ୍ଚ୍‌ଙ୍କ ୯୩ ଓ ଗ୍ଲେନ୍ ମ୍ୟାକ୍ସୱେଲଙ୍କ ବିସ୍ଫୋରକ ଇନିଂସ ବଳ‌ରେ ପ୍ରଥମେ ବ୍ୟାଟିଂକରି ଅଷ୍ଟ୍ରେଲିଆ ୫ ୱିକେଟରେ ୩୧୩ ରନ୍ କରି ପାରିଥିଲା। ଭାରତ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଭୋଗିବା ପରେ କୋହଲିଙ୍କ ୧୨୩ ରନ୍ ସତ୍ତ୍ବେ ୪୮.୨ ଓଭରରେ ୨୮୧ ରନ୍‌କରି ଭାରତ ଅଲ୍ଆଉଟ ହୋଇ ଯାଇଥିଲା। ରବିବାର ମୋହାଲିରେ ୪ର୍ଥ ଦିନିକିଆ ମ୍ୟାଚ୍ ଖେଳାଯିବ।
ଭାରତ ବିପର୍ଯ୍ୟୟ ସହ ୩୧୪ ରନ୍ ବିଜୟଲକ୍ଷ୍ୟର ପିଛା ଆରମ୍ଭ କରିଥିଲା। ଶିଖର ଧାୱନ ଖରାପ ଫର୍ମ ବଜାୟରଖି ୧୦ଟି ବଲ୍‌ରୁ ୧ ରନ୍‌କରି ବିଦାୟ ନେଇଥିଲେ। ଅନ୍ୟ ଓପ୍‌ନର ରୋହିତ ଶର୍ମା ୧୪ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୧୪ ରନ୍ କରିଥିଲେ। ଅମ୍ବତି ରାୟୁଡୁ ପୁଣି ବିଫଳ​‌ ହୋଇ ୨ ରନ୍‌କରି ବିଦାୟ ନେଇଥିଲେ। ୨୭ ରନ୍‌ରେ ୩ଟି ୱିକେଟ ପଡ଼ିଯିବା ପରେ ବିରାଟ କୋହଲି ଓ ସ୍ଥାନୀୟ ହିରୋ ମହେନ୍ଦ୍ର ସିଂହ ଧୋନି ସ୍ଥିତି ସୁଧାରିବାର ପ୍ରୟାସ କରିଥିଲେ। ଦୁହେଁ ୪ର୍ଥ ୱିକେଟ ପାଇଁ ୫୯ ରନ୍ ଯୋଡ଼ିଥିଲେ। ୪୨ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୨୬ ରନ୍‌କରି ଧୋନି ଆଉଟ ହୋଇଥିଲେ। ପରେ କୋହଲି ଓ କେଦାର ଯାଦବ ଚାପର ବଶବର୍ତ୍ତୀ ନହୋଇ ଷ୍ଟ୍ରୋକ୍ ଖେଳିଥିଲେ। ଫଳରେ ଦୁହେଁ ୭ ରନ୍ ହାରରେ ସ୍କୋର୍ କରିଥିଲେ। ୫ମ ୱିକେଟ ପାଇଁ ଦୁହେଁ ଦ୍ରୁତ ୮୮ ରନ୍ ଯୋଗ କରିଥିଲେ। ୩୯ ବଲ୍‌ରୁ ୩ଟି ଚୌକା ସହ ୨୬ ରନ୍‌କରି କେଦାର ଆଉଟ ହୋଇଥିଲେ। କୋହଲି ୩୫ତମ ଓଭରରେ ଶତକ ପୂରଣ କରିଥିଲେ। ୩୮ତମ ଓଭରରେ କ୍ରମାଗତ ୨ଟି ଚୌକା ମାରିବା ପରେ ଆଡାମ୍ ଜାମ୍ପାଙ୍କ ବଲ୍‌ରେ କୋହଲି ବୋଲ୍‌ଡ ହୋଇ ଯାଇଥିଲେ। ୪୧ତମ ଦିନିକିଆ ଶତକ ହାସଲ କରିଥିବା କୋହଲି ଦର୍ଶନୀୟ ଇନିଂସ ଖେଳି ମାତ୍ର ୯୫ ବଲ୍‌ରୁ ଗୋଟିଏ ଛକା ଓ ୧୬ଟି ଚୌକା ସହ ୧୨୩ ରନ୍‌କରି ଆଉଟ ହୋଇଥିଲେ। ପରେ ଭାରତ ଦିଗହରା ହୋଇ ଯାଇଥିଲା। ବିଜୟ ଶଙ୍କର ୩୨ ଓ ରବୀନ୍ଦ୍ର ଜାଡ଼େଜା ୨୪ ରନ୍ କରିଥିଲେ ହେଁ ଏହା କେବଳ ପରାଜୟ ବ୍ୟବଧାନ ହ୍ରାସ କରି ପାରିଥିଲା। ପ୍ୟାଟ୍‌ କମିନ୍‌ସ, ଆଡାମ୍ ଜାମ୍ପା ଓ ଝାଏ ରିଚାର୍ଡସନ୍ ୩ଟି ଲେଖାଏଁ ୱିକେଟ ପାଇଥିଲେ। ଖାୱାଜା ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ।
ଟସ୍ ଜିତି ଭାରତ ଫିଲ୍‌ଡିଂର ନିଷ୍ପତ୍ତି ନେଇଥିଲା। ବ୍ୟାଟିଂ ପିଚ୍‌ର ଫାଇଦା ଉଠାଇ ଆରୋନ୍ ଫିଞ୍ଚ୍ ଫର୍ମ ଫେରି ପାଇଥିଲେ ଏବଂ ୨୨ତମ ଦିନିକିଆ ଇନିଂସରେ ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିଲେ। ସିରିଜ୍‌ରେ ଅଷ୍ଟ୍ରେଲିଆର ଶ୍ରେଷ୍ଠ ବ୍ୟାଟ୍‌ସମ୍ୟାନ୍ ଉସ୍‌ମାନ ଖାୱାଜା ଆଉ ପାଦେ ଆଗେଇ ଯାଇ ଶତକ ହାସଲ କରିଥିଲେ। ଆରମ୍ଭରୁ ଫିଞ୍ଚ୍-ଖାୱାଜା ଓଭର ପିଛା ୬ ରନ୍‌ରୁ ଅଧିକ ହାରରେ ସ୍କୋର କରିଥିଲେ ଏବଂ ୧୭ ଓଭର ଶେଷରେ ଅଷ୍ଟ୍ରେଲିଆର ସ୍କୋର୍ ଥିଲା ୧୧୧ ରନ୍। କେଦାର ଯାଦବ ବୋଲିଂ କରିଥିବା ପ୍ରଥମ ବଲ୍‌ରେ ଫିଞ୍ଚ୍ ଛକା ମାରିଥିଲେ। ୨ ଓଭରରୁ ୩୨ ରନ୍ ଦେବା ପରେ କେଦାରଙ୍କୁ ବୋଲିଂରୁ ହଟାଇ ନିଆ ଯାଇଥିଲା। ୩୨ ଓଭର ପର୍ଯ୍ୟନ୍ତ ଓପ୍‌ନିଂ ଯୋଡ଼ି କ୍ରିଜ୍‌ରେ ଥିଲେ ଏବଂ ୧୯୩ ରନ୍‌ର ପ୍ରଥମ ୱିକେଟ ଭାଗିଦାରୀ କରିଥିଲେ। ଆରୋନ୍ ଫିଞ୍ଚ୍ ୯୯ ବଲ୍‌ରୁ ୩ଟି ଛକା ଓ ୧୦ଟି ଚୌକା ସହ ୯୩ ରନ୍‌କରି ପ୍ରଥମେ ଆଉଟ ହୋଇଥିଲେ। ପରେ ଗ୍ଲେନ୍ ମ୍ୟାକ୍ସୱେଲ୍ କ୍ରିଜ୍‌କୁ ଆସିବା ମାତ୍ରେ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଫଳରେ ୩୭ ଓଭରରେ ଅଷ୍ଟ୍ରେଲିଆ ୨୩୨ ରନ୍ କରିଥିଲା। ତେବେ ଭାରତୀୟ ବୋଲର ଓ ଫିଲ୍‌ଡରଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁଁ ଶେଷ ୧୩ ଓଭରରୁ ମାତ୍ର ୮୧ ରନ୍ ହୋଇଥିଲା। ୪୨ତମ ଓଭରରେ ରବୀନ୍ଦ୍ର ଜାଡ଼େଜାଙ୍କ ଚମତ୍କାର ଫିଲ୍‌ଡିଂରେ ମ୍ୟାକ୍ସୱେଲ ରନ୍‌ଆଉଟ ହୋଇଥିଲେ। ମ୍ୟାକ୍ସୱେଲ ଆକ୍ରମଣାତ୍ମକ ବ୍ୟାଟିଂକରି ୩୧ ବଲ୍‌ରୁ ୩ଟି ଲେଖାଏଁ ଛକା ଓ ଚୌକା ସହ ୪୭ ରନ୍ କରିଥିଲେ। ୫ ରନ୍‌ରେ ଅଷ୍ଟ୍ରେଲିଆ ୩ଟି ୱିକେଟ ହରାଇବା ପରେ ମାର୍କସ ଷ୍ଟୋଇନିସ୍‌ ଓ ଆଲେକ୍ସ କ୍ୟାରେ ଶେଷ ପର୍ଯ୍ୟନ୍ତ ରହି ଦଳକୁ ୩ ଶହ ରନ୍ ପାର କରାଇଥିଲେ। ଦୁହେଁ ଅବିଭାଜିତ ୬ଷ୍ଠ ୱିକେଟ ପାଇଁ ୩୮ ବଲ୍‌ରୁ ୫୦ ରନ୍ ଯୋଡ଼ିଥିଲେ। ଷ୍ଟୋଇନିସ ୨୬ ବଲ୍‌ରୁ ୪ଟି ଚୌକା ସହ ୩୧ ଓ କ୍ୟାରେ ୧୭ ବଲ୍‌ରୁ ୩ଟି ଚୌକା ସହ ୨୧ ରନ୍‌କରି ଅପରାଜିତ ଥିଲେ। କୁଲଦୀପ ଯାଦବ ୩ଟି ୱିକେଟ ପାଇଥିଲେ ହେଁ ୬୪ ରନ୍ ଦେଇଥିଲେ। ମହମ୍ମଦ ସାମି ସଫଳତମ ଭାରତୀୟ ବୋଲର ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories