ରାଜନେତାଙ୍କ ଆୟକୁ ଟପି ଯାଉଛି ପତ୍ନୀଙ୍କ ରୋଜଗାର

0

ଭୋପାଳ: କ୍ଷମତାକୁ ଆସିବା ପରେ ରାଜନେତାଙ୍କ ଅପେକ୍ଷା ସେମାନଙ୍କ ପତ୍ନୀଙ୍କ ରୋଜଗାର ବହୁମାତ୍ରାରେ ବୃଦ୍ଧି ପାଉଥିବା ଏବେ ଦେଖିବାକୁ ମିଳୁଛି। ମନ୍ତ୍ରୀ ଓ ବିଧାୟକଙ୍କ ପତ୍ନୀମାନଙ୍କୁ ବିଭିନ୍ନ ସଂସ୍ଥା ଉଚ୍ଚ ପଦରେ ବସାଇ ସରକାରଙ୍କ ଠାରୁ ବିପୁଳ ଫାଇଦା ହାସଲ କରୁଛନ୍ତି। ପରୋକ୍ଷରେ ରାଜନେତାଙ୍କ ପତ୍ନୀମାନଙ୍କୁ ମୋଟା ଅଙ୍କର ଦରମା ସହିତ ଲାଭାଂଶ ପାଉଛନ୍ତି। ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ରାଜନେତାମାନେ ଦାଖଲ କରିଥିବା ସତ୍ୟପାଠରୁ ଏପରି ତଥ୍ୟ ନଜରକୁ ଆସିଛି। ଖୋଦ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ପତ୍ନୀ ସାଧନା ସିଂହଙ୍କ ବାର୍ଷିକ ରୋଜଗାର ସ୍ୱାମୀଙ୍କ ଅପେକ୍ଷା ବହୁତ ଅଧିକ ଥିବା ଜଣାପଡିଛି। ସତ୍ୟପାଠ ଅନୁଯାୟୀ ଶିବରାଜଙ୍କ ବାର୍ଷିକ ରୋଜଗାର ୧୯.୭ ଲକ୍ଷ ଟଙ୍କା ଥିବାବେଳେ ସାଧନାଙ୍କ ବାର୍ଷିକ ରୋଜଗାର ୩୭ଲକ୍ଷ ଟଙ୍କା। ୨୦୧୩ ନିର୍ବାଚନ ବେଳେ ସାଧନାଙ୍କ ବାର୍ଷିକ ରୋଜଗାର ୨୦.୫ ଲକ୍ଷ ଟଙ୍କା ଥିବାବେଳେ ଶିବରାଜଙ୍କ ରୋଜଗାର ୧୭.୧୨ ଲକ୍ଷ ଟଙ୍କା ଥିଲା। ସେହିପରି ବିଜେପି ମନ୍ତ୍ରୀ ଭୂପେନ୍ଦ୍ର ସିଂହଙ୍କ ବାର୍ଷିକ ରୋଜଗାର ୯୭ ଲକ୍ଷ ଟଙ୍କା ଥିବାବେଳେ ପତ୍ନୀଙ୍କ ରୋଜଗାର ୪.୫କୋଟି ଟଙ୍କା। ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ରାଜେନ୍ଦ୍ର ଶୁକ୍ଳାଙ୍କ ବାର୍ଷିକ ରୋଜଗାର ୬.୬ ଲକ୍ଷ ଟଙ୍କା ଥିବାବେଳେ ପତ୍ନୀଙ୍କ ରୋଜଗାର ୨୬.୪୪ ଲକ୍ଷ। ମନ୍ତ୍ରୀ ସଞ୍ଜୟ ପାଠକଙ୍କ ରୋଜଗାର ୮୫ଲକ୍ଷ ଟଙ୍କା ଥିବାବେଳେ ପତ୍ନୀ ରୋଜଗାର ୧.୪ କୋଟି ଟଙ୍କା। ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ସୁରେଶ ପଚୌରୀଙ୍କ ରୋଜଗାର ୧୯.୯୯ ଲକ୍ଷ ଟଙ୍କା ଥିବାବେଳେ ପତ୍ନୀଙ୍କ ରୋଜଗାର ୨୨.୬୧ ଲକ୍ଷ ଟଙ୍କା। କଂଗ୍ରେସର ୪ଥର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବାଲା ବଚ୍ଚନଙ୍କ ବାର୍ଷିକ ରୋଜଗାର ୭.୨ ଲକ୍ଷ ଟଙ୍କା ଥିବାବେଳେ ପତ୍ନୀଙ୍କ ରୋଜଗାର ୧୦.୩୨ ଲକ୍ଷ ଟଙ୍କା ବୋଲି ନିର୍ବାଚନ ସତ୍ୟପାଠରୁ ଜଣାପଡିଛି।

Leave A Reply