ଭୁବନେଶ୍ୱର: ଏଫ୍ଏମ୍ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମଦାହ ଘଟଣାରେ ୬ ଦିନ ହେଲା ଓଡ଼ିଶାରେ ଅସ୍ଥିରତା ଲାଗି ରହିଛି। ଏହି ଘଟଣାରେ ରାଜ୍ୟ ସରକାର ବିଧି ମତେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବାବେଳେ ବିରୋଧୀ କିନ୍ତୁ ବଡ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଅଡ଼ି ବସି ଓଡ଼ିଶା ବନ୍ଦ, ଘେରାଉ, ବିକ୍ଷୋଭରେ ମାତିଛନ୍ତି। ଶାସକ ଦଳ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନର ଦ୍ବାହି ଦେଇ ରାଜନୀତି ନ କରିବା ପାଇଁ ନିବେଦନ କରୁଥିବାବେଳେ ବିେରାଧୀ ରାଜନୈତିକ ଦଳଗୁଡ଼ିକ ନିର୍ଣ୍ଣାୟକ ପରିଣାମ ଚାହୁଁଛନ୍ତି। ଦୁଇ ଦିନ ଧରି ଘେରାଉ, ଜିଲା ବନ୍ଦ, ଓଡ଼ିଶା ବନ୍ଦରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଗଲାଣି। ବାସ୍ତବରେ ଏହା ସମସ୍ୟା ସମାଧାନ କରିବ ନା କେବଳ ରାଜନୀତିରେ ସବୁ ସୀମିତ ରହିଯିବ ତାହା ଏବେ ଜନତାଙ୍କ ମନରେ ପ୍ରଶ୍ନ।
ସୌମ୍ୟାଶ୍ରୀ ମୃତ୍ୟୁ ଘଟଣାରେ ବୁଧବାର ମୁଖ୍ୟ ବିରୋଧୀ ଦଳ ବିଜେଡି ବାଲେଶ୍ବର ବନ୍ଦ କରିବା ସହିତ ଭୁବନେଶ୍ବରରେ ସଚିବାଳୟ ଘେରାଉ କରିଥିଲା। ଏହି ଘଟଣାରେ ବିଜେଡିର କିଛି ତୁଙ୍ଗ ନେତା ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କିଛି ନେତାଙ୍କର ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ଥିବା ବିଜେଡି ଦାବି କରିଛି। କିନ୍ତୁ ଶାସକ ଦଳ ଏହାକୁ କେବଳ ନାଟକବାଜି ବୋଲି ଅଭିଯୋଗ କରିଛି। ଅପରପକ୍ଷେ କଂଗ୍ରେସ ତଥା ସହଯୋଗୀ ଦଳଙ୍କ ଗୁରୁବାର ଓଡ଼ିଶା ବନ୍ଦ ଡାକରା ହେତୁ ସାରା ରାଜ୍ୟରେ ଅଚଳାବସ୍ଥା ଦେଖା ଦେଇଛି। ସରକାରଙ୍କୁ ଠିକ୍ ବାଟକୁ ଆଣିବା ଲାଗି ଏହା ଉଚିତ ପଦକ୍ଷେପ ବୋଲି ବିରୋଧୀ ଦଳଗୁଡ଼ିକ ପକ୍ଷରୁ କୁହାଯାଇଛି। ଏହି ମାମଲାରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଏବଂ ମହିଳାଙ୍କ ସୁରକ୍ଷା ପାଇଁ ସରକାର ଠୋସ୍ ପଦକ୍ଷେପ ଗ୍ରହଣ କରିବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ସେମାନେ ଚେତାଇ ଦେଇଛନ୍ତି। ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣାରେ ଜନଜୀବନ ଆହୁରି ଅସ୍ତବ୍ୟସ୍ତ ହେବା ଆଶଙ୍କା ଦେଖା ଦେଲାଣି। ଶାସକ, ବିରୋଧୀଙ୍କ ମଧ୍ୟରେ ବୟାନବାଜି ଥମିବା ନାଁ ଧରୁନାହିଁ। ଅପରପକ୍ଷେ କଂଗ୍ରେସର ଛାତ୍ର ସଂଗଠନ ଏନ୍ଏସ୍ୟୁଆଇ ଏବଂ ବିଜେପିର ଛାତ୍ର ସଂଗଠନ ଏବିଭିପି ମଧ୍ୟରେ କଳି ଯୋଗୁଁ ସୌମ୍ୟାଶ୍ରୀ ବଳି ପଡ଼ିଲେ ବୋଲି ଅଭିଯୋଗ ହେଉଛି। ଏହାକୁ ନେଇ ଉଭୟ ସଂଗଠନ ପରସ୍ପର ଉପରେ ଦୋଷ ଲଦିବା ଆରମ୍ଭ କରିଛନ୍ତି।
କଂଗ୍ରେସ ମୁଖପାତ୍ର ନଳିନୀକାନ୍ତ ନାୟକ କହିଛନ୍ତି, ଯେଉଁଠି ବଡ଼ ସମସ୍ୟା, ଜନତାଙ୍କ ସ୍ବାର୍ଥ କଥା ଆସେ ସେଠି ଆନ୍ଦୋଳନ, ଧର୍ମଘଟ ଜରୁରୀ ହୋଇଥାଏ। ସରକାରଙ୍କ ଉପରେ ଚାପ ସୃଷ୍ଟି କରିବା ପାଇଁ ଏହା ଯଥାର୍ଥ। ସୌମ୍ୟାଶ୍ରୀଙ୍କ ଆତ୍ମଦାହ ଏକ ସମ୍ବେଦନଶୀଳ ମାମଲା। ସରକାରଙ୍କ ଅବହେଳା ପାଇଁ ତାଙ୍କ ଜୀବନ ଯାଇଛି। ତାଙ୍କ ଭଳି ଅନେକ ଛାତ୍ରୀ, ମହିଳା ଆଜି ଦୁର୍ଦଶା ଭୋଗୁଛନ୍ତି। ଏଥିପାଇଁ ସରକାରଙ୍କୁ ଉତ୍ତରଦାୟୀ କରିବା ସହିତ ସମସ୍ୟା ସମାଧାନ ପାଇଁ ବାଧ୍ୟ କରିବା ଲାଗି ବନ୍ଦ, ଆନ୍ଦୋଳନ ଏକାନ୍ତ ଆବଶ୍ୟକ ବୋଲି ଶ୍ରୀ ନାୟକ କହିଛନ୍ତି। ବିଜେଡି ବିଧାୟକ ଡ. ଅରୁଣ ସାହୁ କହିଛନ୍ତି, ଏହି ମାମଲାରେ ସରକାର ଯାହା ପଦକ୍ଷେପ ନେଇଛନ୍ତି ତାହା ଯଥେଷ୍ଟ ନୁହେଁ। ବାଲେଶ୍ବର ଘଟଣାରେ ବିଜେପି ନିଜ ତ୍ରୁଟି ଲୁଚାଇବାକୁ ଉଦ୍ୟମ କରୁଛି। ବର୍ଷକ ଭିତରେ ସୌମ୍ୟାଶ୍ରୀଙ୍କ ଭଳି ଅନେକ ମହିଳା ନିର୍ଯାତନାର ଶିକାର ହୋଇ ଚାଲିଛନ୍ତି। ନ୍ୟାୟ ମିଳିବା ଯାଏଁ ଲଢ଼େଇ ଜାରି ରହିବ। ଯେଉଁ ଦଳ କିମ୍ବା ସଂଗଠନ ମହିଳା ପ୍ରସଙ୍ଗରେ ଲଢ଼େଇ କରିବ, ବିଜେଡି ତାକୁ ନୈତିକ ସମର୍ଥନ ଦେବ େବାଲି ଡ. ସାହୁ କହିଛନ୍ତି। ବିଜେପି ଉପ-ସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ କହିଛନ୍ତି, କଂଗ୍ରେସ ଓ ବିଜେଡି ଶାସନ କାଳରେ ମହିଳାଙ୍କ ସୁରକ୍ଷା ପାଇଁ କିଛି କଲେ ନାହିଁ। ଅନେକ ସୌମ୍ୟାଶ୍ରୀ ବଳି ପଡ଼ିଛନ୍ତି। କିନ୍ତୁ ବିଜେପି ସରକାର ଏହି ମାମଲାରେ ସବୁ ଦିଗରୁ କାର୍ଯ୍ୟାନୁଷ୍ଠାନ ନେଇ ମହିଳା ସୁରକ୍ଷା ପ୍ରତି ଥିବା ପ୍ରତିବଦ୍ଧତାକୁ ଦର୍ଶାଇଛନ୍ତି। ନିଜର ଅସ୍ତିତ୍ବ ବଞ୍ଚାଇବା ପାଇଁ ବିରୋଧୀ ଏବେ ଏହି ମାମଲାକୁ ରାଜନୈତିକ ରଙ୍ଗ ଦେଉଛନ୍ତି ବୋଲି ସେ କହିଛନ୍ତି।



