ସମାଜ ଡିଜିଟାଲ ଡେସ୍କ: ଟିଆରଏଫ(ଦ ରେଜିଷ୍ଟାନ୍ସ ଫ୍ରଣ୍ଟ)କୁ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରିଛି ଆମେରିକା। ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତଇବା(ଏଲଇଟି)ର ସହଯୋଗୀ ସଂଗଠନ ହେଉଛି ଟିଆରଏଫ। ଗତ ଏପ୍ରିଲ ୨୨ରେ ଜାମ୍ମୁ-କାଶ୍ମୀରର ପହଲଗାଓଁରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲା ଟିଆରଏଫ। ଯେଉଁଥିରେ ୨୬ ପର୍ଯ୍ୟଟକଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଥିଲେ। ସେମାନଙ୍କୁ ନ୍ୟାୟ ଦେବା ଉଦ୍ଦେଶ୍ୟରେ ଟିଆରଏଫକୁ ଆତଙ୍କୀ ସଂଗଠନ ଘୋଷଣା କରାଯାଇଥିବା ଆମେରିକା କହିଛି।
ଆମେରିକାର ଜାତୀୟ ନିରାପତ୍ତାକୁ ସୁରକ୍ଷା ଦେବାର ପ୍ରତିବଦ୍ଧତା, ଆତଙ୍କବାଦକୁ ବିରୋଧ ଏବଂ ପହଲଗାଓଁ ଆକ୍ରମଣରେ ନ୍ୟାୟ ଦେବା ଲାଗି ଟ୍ରମ୍ପ ପ୍ରଶାସନ ଏହି ନିଷ୍ପତ୍ତି ନେଇଥିବା କୁହାଯାଇଛି। ଟିଆରଏଫକୁ ବିଦେଶୀ ଆତଙ୍କବାଦୀ ସଂଗଠନ (ଏଫଟିଓ) ଏବଂ ସ୍ଵତନ୍ତ୍ର ଭାବେ ନାମିତ ବିଶ୍ଵ ଆତଙ୍କବାଦୀ(ଏସଡିଜିଟି) ବୋଲି ଘୋଷଣା କରିଛି ଆମେରିକା।



