www.samajalive.in
Monday, December 15, 2025
26.1 C
Bhubaneswar

ଇଏମ୍‌ଆଇ ଜାଲରେ ମଧ୍ୟବିତ୍ତ

ନୂଆଦିଲ୍ଲୀ: ବର୍ତ୍ତମାନ ପ୍ରାୟ ସବୁକିଛି ସହଜ ମାସିକ କିସ୍ତି (ଇଏମ୍‌ଆଇ)ରେ ଉପଲବ୍ଧ। ଫୋନ୍ ଠାରୁ ଆରମ୍ଭ କରି ବିମାନ ଟିକେଟ୍, କାର୍‌, ଏପରିକି ଘରୋଇ ଆସବାବପତ୍ର ପର୍ଯ୍ୟନ୍ତ ସବୁକିଛି ଏବେ ମାସିକ କିସ୍ତିରେ କିଣି ହେଉଛି। ଯାହା ପୂର୍ବରୁ ଏକ ସହାୟକ ବିକଳ୍ପ ଥିଲା ତାହା ଏବେ ଜୀବନ ଶୈଳୀରେ ପରିଣତ ହୋଇଛି। ଇଏମ୍‌ଆଇରେ ସହଜରେ କିଣାକିଣି କରି ହେଉଥିବାରୁ ସାଧାରଣ ମଧ୍ୟବିତ୍ତ ବର୍ଗର ଲୋକ ଅନାବଶ୍ୟକ ଭାବେ ମଧ୍ୟ ବହୁ ସାମଗ୍ରୀ କିଣୁଛନ୍ତି। ଫଳରେ ମଧ୍ୟବିତ୍ତ ବର୍ଗଙ୍କ ଆୟର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ମାସିକ କିସ୍ତିରେ ଯାଉଛି। ସଞ୍ଚୟ କିମ୍ବା ଜରୁରୀକାଳୀନ ପରିସ୍ଥିତି ପାଇଁ ରହୁଥିବା ଅର୍ଥରୁ ମାସିକ କିସ୍ତି ଦିଆଯାଉଛି। ମଧ୍ୟବିତ୍ତ ବର୍ଗ ଅଜାଣତରେ ଧୀରେ ଧୀରେ ଇଏମ୍‌ଆଇ ଜାଲରେ ଛନ୍ଦି ହୋଇଯାଉଛନ୍ତି। ଏଥିରୁ ମୁକୁଳିବା ମଧ୍ୟ ସେତେ ସହଜ ନୁହେଁ। ତେବେ ମଧ୍ୟବିତ୍ତ ବର୍ଗଙ୍କ ଉପରେ ଏହି ଅତିରିକ୍ତ ଆର୍ଥିକ ଚାପ, କାର୍ଯ୍ୟ ଉପରେ ଧ୍ୟାନ କମାଇବା ସହ ଉତ୍ପାଦକତାକୁ ହ୍ରାସ କରିପାରେ ଏବଂ ଦେଶର ଅର୍ଥନୈତିକ ଅଭିବୃଦ୍ଧିକୁ ସମ୍ଭାବ୍ୟ ଭାବରେ ମନ୍ଥର କରିପାରେ। ତେଣୁ ଏକ ଉନ୍ନତ ଜୀବନର ସ୍ୱପ୍ନ ଋଣ ଫାଶରେ ପରିଣତ ହେବା ଉଚିତ୍ ନୁହେଁ ବୋଲି ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି।

ଭାରତର ମଧ୍ୟବିତ୍ତ ବର୍ଗ ଚାପରେ ଅଛନ୍ତି, କିନ୍ତୁ ଏହା କେବଳ ବୃଦ୍ଧି ପାଉଥିବା ମୂଲ୍ୟ କିମ୍ବା ଅଧିକ ଟିକସ ଯୋଗୁଁ ନୁହେଁ। ଆର୍ଥିକ ବିଶେଷଜ୍ଞ ତାପସ ଚକ୍ରବର୍ତ୍ତୀଙ୍କ ମତରେ, ଆଜି ସାଧାରଣ ପରିବାର ପାଇଁ ସବୁଠାରୁ ବଡ଼ ବିପଦ ହେଉଛି ମାସିକ କିସ୍ତି। ସାଧାରଣ ଲୋକ କାର୍ଡ ସ୍ୱାଇପ୍ କରି ଫ୍ରିଜ୍, ଏସି ଓ ସୋଫା ଆଦି ମାସିକ କିସ୍ତିରେ କିଣୁଛନ୍ତି। କୌଣସି ଲମ୍ବା ଫର୍ମ ନାହିଁ, କୌଣସି ଅପେକ୍ଷା ନାହିଁ। କେବଳ ଟ୍ୟାପ୍ କରନ୍ତୁ, କିଣନ୍ତୁ ଏବଂ ପରେ ପଇଠ କରନ୍ତୁ। କିନ୍ତୁ ଏହି ‘ଏବେ କିଣନ୍ତୁ, ପରେ ପଇଠ କରନ୍ତୁ’ ନୀରବରେ ଋଣ ବଢ଼ାଉଛି। ପାରିବାରିକ ଋଣ ଭାରତର ଜିଡିପିର ୪୨% ଛୁଇଁଛି। ଏହାର ଏକ ବଡ଼ ଅଂଶ, ୩୨%ରୁ ଅଧିକ କ୍ରେଡିଟ୍ କାର୍ଡ, ବ୍ୟକ୍ତିଗତ ଋଣ ଏବଂ ଇଏମ୍‌ଆଇ ଯୋଜନାରୁ ଆସିଥାଏ। ଭାରତରେ ବିକ୍ରି ହେଉଥିବା ପ୍ରାୟ ୭୦% ଆଇଫୋନ୍‌ ଇଏମ୍‌ଆଇରେ କିଣାଯାଇଥାଏ।

- Advertisement -

ପ୍ରାୟ ୧୧% ଛୋଟ ଋଣଗ୍ରହୀତା ପୂର୍ବରୁ ଋଣ ଖିଲାପି ହୋଇସାରିଛନ୍ତି। ଅନେକ ଲୋକ ଏକା ସମୟରେ ତିନି କିମ୍ବା ତା’ଠାରୁ ଅଧିକ ଋଣ ନେଇଛନ୍ତି। ଯଦିଓ ପ୍ରତ୍ୟେକ ମାସିକ କିସ୍ତି ସ୍ବଳ୍ପ ମନେହୁଏ, ତେବେ ସେଗୁଡ଼ିକ ମିସିଗଲେ ଏକ ବଡ଼ ପରିମାଣ ହୋଇଥାଏ। ୨,୪୦୦ ଟଙ୍କାର ଏକ ଫୋନ୍ ଇଏମ୍‌ଆଇ, ୩,୦୦୦ ଟଙ୍କାରେ ଲାପଟପ୍, ୪,୦୦୦ ଟଙ୍କାରେ ମୋଟରସାଇକଲ ଏବଂ ୬,୫୦୦ ଟଙ୍କାର କ୍ରେଡିଟ୍ କାର୍ଡ ବିଲ୍; ଏସବୁ ମିସିଗଲେ ପ୍ରତି ମାସରେ ସହଜରେ ୨୦,୦୦୦ ଟଙ୍କା ହୋଇଯିବ। ଇଏମ୍‌ଆଇ ଉପରେ ଏହି ଅତ୍ୟଧିକ ନିର୍ଭରଶୀଳତା ବ୍ୟକ୍ତିଗତ ଆର୍ଥିକ ସୀମା ବାହାରେ ବୃଦ୍ଧିପାଉଛି। ଯାହା ବ୍ୟାପକ ଅର୍ଥନୀତିକୁ ପ୍ରଭାବିତ କରିପାରେ। ଇଏମ୍‌ଆଇ ଫଳରେ ଲୋକଙ୍କ ସଞ୍ଚୟ ହ୍ରାସ ପାଇଛି। କମ୍ ସଞ୍ଚୟ ଅର୍ଥ ହେଉଛି ସାଧାରଣ ମଧ୍ୟବିତ୍ତ ପରିବାର ଭବିଷ୍ୟତ ପାଇଁ ନିବେଶ କିମ୍ବା ଯୋଜନା କରିପାରିବେ ନାହିଁ। ଅଧିକ ଋଣ ଅର୍ଥ ହେଉଛି ଋଣ ଖିଲାପି ହେବା ସମ୍ଭାବନା ଅଧିକ। ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ଯେ ମାସିକ କିସ୍ତି ଆୟର ୪୦%ରୁ ଅଧିକ ହେବା ଉଚିତ ନୁହେଁ, ମାସିକ ୫୦୦ ଟଙ୍କାରୁ ସୁରକ୍ଷା ପାଣ୍ଠି ଗଠନ କରନ୍ତୁ, ଧନୀ ଦେଖାଯିବା ପାଇଁ ଋଣ ନିଅନ୍ତୁ ନାହିଁ ଓ ଅଳ୍ପ ଅର୍ଥରେ ଏସ୍‌ଆଇପି (ସିଷ୍ଟମେଟିକ ଇନ୍‌ଭେଷ୍ଟମେଣ୍ଟ ପ୍ଲାନ୍‌) ଆରମ୍ଭ କରନ୍ତୁ ବୋଲି ପରାମର୍ଶ ଦେଇଛନ୍ତି। ଏକ ଉନ୍ନତ ଜୀବନର ସ୍ୱପ୍ନ ଋଣ ଫାଶରେ ପରିଣତ ହେବା ଉଚିତ୍ ନୁହେଁ।

 

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories