ଇମ୍ରାନଙ୍କୁ ସାମୟିକ ଆଶ୍ବସ୍ତି : ଗିରଫ ଉପରେ ଲାହୋର ହାଇକୋର୍ଟଙ୍କ ରହିତାଦେଶ
ଲାହୋର : ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ଗିରଫ ଭୟରୁ ସାମୟିକ ଆଶ୍ବସ୍ତି ମିଳିଛି। ତୋଷଖାନା ଦୁର୍ନୀତି ମାମଲାରେ ପୁଲିସ ଇମ୍ରାନଙ୍କୁ ଗିରଫ ପାଇଁ ଜଗି ବସିଥିବାବେଳେ ଲାହୋର ହାଇକୋର୍ଟ ଏଥିରେ ରହିତାଦେଶ ଲାଗୁ କରିଛନ୍ତି। ହାଇକୋର୍ଟଙ୍କ ନିର୍ଦେଶ ଅନୁଯାୟୀ ଗୁରୁବାର (ମାର୍ଚ୍ଚ ୧୬) ପୂର୍ବାହ୍ଣ ୧୦ଟା ପର୍ଯ୍ୟନ୍ତ ପୁଲିସ ଇମ୍ରାନଙ୍କୁ ଗିରଫ କରିପାରିବ ନାହିଁ। ହାଇକୋର୍ଟଙ୍କ ଏହି ନିର୍ଦେଶ ପରେ ଇମ୍ରାନଙ୍କ ବାସଭବନ ଆଗରେ ଜଗି ବସିଥିବା ପୁଲିସ ଓ ରେଞ୍ଜର୍ସମାନେ ଫେରିଆସିଛନ୍ତି। ଅନ୍ୟପଟେ ହାଇକୋର୍ଟଙ୍କ ନିର୍ଦେଶ ପରେ ଇମ୍ରାନଙ୍କ ସମର୍ଥକ ଓ ପିଟିଆଇ କର୍ମୀମାନେ ଖୁସି ମନାଇଛନ୍ତି। ଇମ୍ରାନ ଘରୁ ବାହାରକୁ ଆସି ସମର୍ଥକ ଓ କର୍ମୀଙ୍କୁ ଅଭିବାଦନ ଜଣାଇଥିଲେ। ମଙ୍ଗଳବାର ପାକିସ୍ତାନ ପୁଲିସ ଇମ୍ରାନଙ୍କୁ ଗିରଫ କରିବା ଲାଗି ତାଙ୍କ ବାସଭବନ ଘେରାଉ କରିଥିଲା। ପୁଲିସର କାର୍ଯ୍ୟାନୁଷ୍ଠାନକୁ ଇମ୍ରାନଙ୍କ ସମର୍ଥକ ଓ କର୍ମୀମାନେ ବିରୋଧ କରିଥିଲେ। ଏପରିକି ଉଭୟ ପକ୍ଷରେ ସଂଘର୍ଷ ହୋଇଥିଲା।
Comments are closed.