www.samajalive.in
Saturday, December 13, 2025
23.1 C
Bhubaneswar

ଆରଏସଏସ୍‌କୁ ନାଜି ସହ ତୁଳନା କଲେ ଇମ୍ରାନ

ଇସଲାମାବାଦ : ଭାରତ ବିରୋଧରେ ସମର୍ଥନ ଯୋଗାଡ଼ କରିବାରେ ସବୁ ଦିଗରୁ ବିଫଳ ହୋଇଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଏବେ ନିଜର ନକାରାତ୍ମକ ମନ୍ତବ୍ୟ ଯୋଗୁଁ ଅଡ଼ୁଆରେ ପଡ଼ିଛନ୍ତି। ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ନେଇ ଭାରତର ପଦକ୍ଷେପ କାଶ୍ମୀରର ଭୌଗୋଳିକ ସ୍ଥିତିକୁ ପରିବର୍ତ୍ତନ କରିବାର ଏକ ହୀନ ଉଦ୍ୟମ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ରାଷ୍ଟ୍ରୀୟ ସ୍ବୟଂସେବକ ସଙ୍ଘ (ଆରଏସଏସ) ନିର୍ଦେଶରେ କାର୍ଯ୍ୟ କରୁଛି ବୋଲି ସେ ଟ୍ବିଟର ବାର୍ତ୍ତାରେ ଉଲ୍ଲେଖ କରିଛନ୍ତି। ଏଥିସହ ଆରଏସଏସକୁ ସେ ‘ନାଜି ସେନା’ ସହିତ ତୁଳନା କରିବାକୁ ମଧ୍ୟ ପଛାଇ ନାହାନ୍ତି। ହିନ୍ଦୁବାଦୀ ସଂଗଠନ ଆରଏସଏସର ବିଚାରଧାରାକୁ ନେଇ ସେ ଭୟଭୀତ। ନାଜିବାଦ ଭଳି ଏହା ମଧ୍ୟ ଉଗ୍ର ରୂପ ନେବ ଓ ଭାରତରେ ମୁସଲମାନଙ୍କୁ ଦମନ କରିବ। ପରେ ଏହା ପାକିସ୍ତାନକୁ ନିଶାଣ କରିବାର ଆଶଙ୍କା ମଧ୍ୟ ରହିଛି। ଏଭଳି ସ୍ଥିତିରେ ବିଶ୍ବସମୁଦାୟ ହିଟଲରଙ୍କ ସମୟରେ ନିରବ ରହିବା ଭଳି ଏବେ ମଧ୍ୟ ନିରବ ରହିବ କି ବୋଲି ଇମ୍ରାନ ଟ୍ବିଟରରେ ପ୍ରଶ୍ନ କରିଛନ୍ତି। ଜାତିସଙ୍ଘ ସହିତ ସମଗ୍ର ବିଶ୍ବସମୁଦାୟ ଜାମ୍ମୁ-କାଶ୍ମୀରକୁ ଦ୍ବିପାକ୍ଷିକ ପ୍ରସଙ୍ଗ କହି ଏହାଠାରୁ ଦୂରେଇ ରହିଛି। ଏପରିକି ପାକିସ୍ତାନର ସର୍ବକାଳୀନ ମିତ୍ର ଚୀନ ମଧ୍ୟ ଏହାକୁ ସମର୍ଥନ କରି ନାହିଁ। ଅନ୍ୟପଟେ ରୁଷ ଧାରା ୩୭୦ ଉଚ୍ଛେଦ ପରିପ୍ରେକ୍ଷୀରେ ଭାରତକୁ ଖୋଲାଖୋଲି ସମର୍ଥନ କରିଛି। ଏଭଳି ସ୍ଥିତିରେ ଇମ୍ରାନ ଏପରି ମନ୍ତବ୍ୟ ଦେଇ କେବଳ ସମାଲୋଚିତ ହେବା ସାର ହୋଇଛି। ବିଭିନ୍ନ ମହଲରୁ ତାଙ୍କୁ ତୀବ୍ର ସମାଲୋଚନାର ଶିକାର ହେବାକୁ ପଡ଼ିଛି।
ଅନ୍ୟ ଏକ ଖବର ଅନୁଯାୟୀ, ସବୁ ଦିଗରୁ ବିଫଳ ହେବା ସତ୍ତ୍ବେ ଇମ୍ରାନ ଚୀନ୍‌ ଉପରୁ ଆସ୍ଥା ହରାଇ ନାହାନ୍ତି। ଚୀନ୍‌ ସହାୟତାରେ ସେ ଆତଙ୍କବାଦୀଙ୍କୁ ପାଣ୍ଠିଯୋଗାଣ ସମ୍ପର୍କିତ କଳାତାଲିକାରୁ ପାକିସ୍ତାନକୁ ବାଦ୍‌ ଦେବା ପାଇଁ ଉଦ୍ୟମ ଚଳାଇଛନ୍ତି। ପ୍ୟାରିସ୍‌ସ୍ଥିତ ଫାଇନାନ୍‌ସିଆଲ ଆକ୍ସନ ଟାକ୍ସ ଫୋର୍ସ (ଏଫଏଟିଏଫ) ଦ୍ବାରା ଆତଙ୍କବାଦୀଙ୍କୁ ପାଣ୍ଠିଯୋଗାଣ ନେଇ ପାକିସ୍ତାନ ଉପରେ କଟକଣା ଜାରି କରାଯାଇଛି। ଏଥିରେ ୨୭ଟି ଦଫା ଲାଗିଛି, ଯାହାକୁ ପାକିସ୍ତାନ କାର୍ଯ୍ୟକାରୀ କରିବା ଅସମ୍ଭବ ବୋଲି ଇମ୍ରାନ ଭାବୁଛନ୍ତି। ଭାରତ ଏଫଏଟିଏଫ ସଦସ୍ୟ ରହିଛି ଏବଂ ଭାରତର ଉଦ୍ୟମ ଯୋଗୁଁ ପାକିସ୍ତାନ କଳାତାଲିକାଭୁକ୍ତ ହୋଇଛି। ପାକିସ୍ତାନ ଉପରେ ଲାଗୁ ହୋଇଥିବା ୨୭ଟି ଦଫା ଆସନ୍ତା ଅକ୍ଟୋବର ସୁୂଦ୍ଧା କାର୍ଯ୍ୟକାରୀ ହେବାକୁ ଅଛି। ଆତଙ୍କବାଦୀଙ୍କୁ ସହାୟତା ବନ୍ଦ ସମ୍ପର୍କରେ ଏହି ସମୟ ସୁଦ୍ଧା ପାକିସ୍ତାନ ଏଫଏଟିଏଫ୍‌କୁ ପ୍ରମାଣ ଦେବାକୁ ପଡ଼ିବ; ନଚେତ ଆହୁରି କଠୋର କାର୍ଯ୍ୟାନୁଷ୍ଠାନର ଶିକାର ହେବ। ଦେଶର ଆର୍ଥିକ ସ୍ଥିତି ଶୋଚନୀୟ ଥିଲାବେଳେ ଏହି କଟକଣା ଯୋଗୁଁ ପାକିସ୍ତାନକୁ ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଭଳି ଏକାଧିକ ବୈଦେଶିକ ସହାୟତାରୁ ବଞ୍ଚିତ ହେବାକୁ ପଡ଼ୁଛି। ଏଥିରୁ ଉଦ୍ଧାର ପାଇବା ପାଇଁ ପାକିସ୍ତାନ ଏବେ ଚୀନ୍‌ର ଶରଣ ପଶିଛି। ଏଥିସହିତ ଦୁଇଟି ବିକାଶଶୀଳ ରାଷ୍ଟ୍ରର ସହାୟତା ମଧ୍ୟ ଲୋଡ଼ିଥିବା ସୂଚନା ମିଳିଛି। ଏହି ଦୁଇ ରାଷ୍ଟ୍ର ହେଉଛନ୍ତି ମାଲେସିୟା ଓ ତୁର୍କୀ। ଏମାନଙ୍କ ସହାୟତାରେ ପାକିସ୍ତାନ ଏହି କଟକଣାରୁ କିଛିଟା ରିଆତି ପାଇବାକୁ ପ୍ରୟାସ କରୁଛି। ଇତିମଧ୍ୟରେ ଚୀନ୍‌ ଏଫଏଟିଏଫ ସଦସ୍ୟ ରାଷ୍ଟ୍ରଙ୍କୁ ବୁଝାଇ ପାକିସ୍ତାନକୁ ବଞ୍ଚାଇବା ପ୍ରୟାସ ଆରମ୍ଭ କରିଥିବା ଜଣାପଡ଼ିଛି। ଚୀନ୍‌ ବୈଦେଶିକ ମନ୍ତ୍ରଣାଳୟ କହିବାନୁସାରେ ଆତଙ୍କବାଦ ବିରୋଧରେ ପାକିସ୍ତାନ ଏବେ ସଫଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଆତଙ୍କବାଦୀଙ୍କୁ ପାଣ୍ଠିଯୋଗାଣ ନେଇ ହାଫିଜ ସଇଦ ଭଳି ଆତଙ୍କବାଦୀଙ୍କୁ ଜେଲ୍‌ରେ ପୂରାଇଛି ଏବଂ ୧୩୦୦ ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବୋଲି ଚୀନ୍‌ ଦର୍ଶାଉଛି; ତେବେ ମାଲେସିଆ ଓ ତୁର୍କୀ ଏଥିନେଇ ସତର୍କତା ଅବଲମ୍ବନ କରୁଥିବା ପ୍ରକାଶ। ଉଲ୍ଲେଖଯୋଗ୍ୟ ଯେ ଏଫଏଟିଏଫ ହେଉଛି ଆତଙ୍କବାଦୀଙ୍କୁ ପାଣ୍ଠିଯୋଗାଣ, ବିଧ୍ବଂସୀ ଅସ୍ତ୍ରଶସ୍ତ୍ର ଓ ବେଆଇନ ଆର୍ଥିକ କାରବାର ନିୟନ୍ତ୍ରଣ କରିବା କ୍ଷେତ୍ରରେ ଏକ ବିଶ୍ବସ୍ତରୀୟ ସଂଗଠନ। ଏଥିରେ ୩୭ଟି ରାଷ୍ଟ୍ର ସଦସ୍ୟ ଅଛନ୍ତି। ଏହି ସଂଗଠନ ଦ୍ବାରା ପାକିସ୍ତାନ ସମେତ ୧୨ଟି ରାଷ୍ଟ୍ର କଳାତାଲିକାଭୁକ୍ତ ହୋଇଛନ୍ତି।

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories