ଜନବସତିରେ ବେଆଇନ ଗ୍ୟାସ ସିଲିଣ୍ଡର ଗଚ୍ଛିତ ଅଭିଯୋଗ
ବିପଦ ଆଶଙ୍କା, ତଦନ୍ତ କଲେ ଏସିଏସଓ
ଆଠଗଡ : ଆଠଗଡ ଥାନା ଅନ୍ତର୍ଗତ କୁଲାଇଲୋ ଗ୍ରାମରେ ଜନବସତି ଅଞ୍ଚଳରେ ବେଆଇନ ଭାବେ ୫୦ରୁ ଅଧିକ ଗ୍ୟାସ ସିଲିଣ୍ଡର ଗଚ୍ଛିତ ରହିବା ଯୋଗୁଁ ଲୋକମାନଙ୍କ ପାଇଁ ବିପଦ ଆଶଙ୍କା ରହିଛି ବୋଲି ଗ୍ରାମବାସୀ ଲିଖିତ ଭାବେ ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । କୌଣସି ଅଧିକୃତ ବିକ୍ରେତା ନହୋଇ ସେହି ଗ୍ରାମର ଜଣେ ବ୍ୟକ୍ତି ନିଜ ଘରେ ଭାରତ ଗ୍ୟାସ ଓ ଏଚପି ଗ୍ୟାସ ସିଲିଣ୍ଡର ବହୁସଂଖ୍ୟାରେ ମହଜୁଦ୍ ରଖିବା ଦ୍ୱାରା ଯେ କୌଣସି ସମୟରେ ବଡ ଧରଣର ବିପଦ ସୃଷ୍ଟି ହେବ ବୋଲି ଆଶଙ୍କା କରି ଗ୍ରାମବାସୀ ଏହି ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ଉପଜିଲ୍ଲାପାଳ ଦାୟିତ୍ୱରେ ଥିବା ଡେପ୍ୟୁଟି କଲେକ୍ଟର ଦିପ୍ତିମୟୀ ବେହେରା ଘଟଣା ସଂପର୍କରେ ତଦନ୍ତ କରିବା ପାଇଁ ସହକାରୀ ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସହକାରୀ ଯୋଗାଣ ଅଧିକାରୀ ଜଗମୋହନ ଦାସ ଓ ଏମଆଇ ମିଥୁନ୍ ବେହେରା କୁଲେଇଲୋ ଗ୍ରାମକୁ ଯାଇ ସଂପୃକ୍ତ ବ୍ୟକ୍ତିଙ୍କ ଘର ବାହାରେ ଏକାଧିକ ଗ୍ୟାସ ସିଲିଣ୍ଡର ପ୍ରଚଣ୍ଡ ଖରାରେ ରଖାଯାଇଥିବା ଦେଖିବାକୁ ପାଇଥିଲେ। ତେବେ ଗ୍ୟାସ ବିକ୍ରୟ କରୁଥିବା ବ୍ୟକ୍ତି ଘରେ ନଥିବାରୁ ତାଙ୍କ ସହ ଏସିଏସଓ ଟେଲିଫୋନ ଯୋଗେ କଥା ହୋଇଥିଲେ। ସଂପୃକ୍ତ ବ୍ୟକ୍ତି ଉଭୟ ଭାରତ ଗ୍ୟାସ ଓ ଏଚପି ଗ୍ୟାସର ଅଧିକୃତ ବିତରକଙ୍କ ସହ ବୁଝାମଣା ପତ୍ର ସ୍ୱାକ୍ଷର କରି ଗ୍ୟାସ ସିଲିଣ୍ଡର ବିକ୍ରୟ କରୁଥିବା କହିଥିଲେ । ବୁଝାମଣା ପତ୍ର ଯଥାଶୀଘ୍ର ଆଣି କାର୍ଯ୍ୟାଳୟରେ ଦେଖାଇବାକୁ କହି ଏସିଏସଓ ଶ୍ରୀ ଦାସ ସେଠାରୁ ଫେରି ଆସିଥିଲେ। ତେବେ ଜନବସତି ଅଞ୍ଚଳରେ ପୁଣି ପ୍ରଚଣ୍ଡ ରୌଦ୍ରତାପରେ ବାହାରେ ରଖାଯାଇଥିବା ୨୦ରୁ ଅଧିକ ଗ୍ୟାସ ସିଲିଣ୍ଡରକୁ ଜବତ ନକରି ଏସିଏସଓ ଫେରି ଆସିବା ପଛର ଉଦ୍ଦେଶ୍ୟ ବୁଝା ପଡୁନାହିଁ । ନିକଟରେ ୧୦ଟି ଘର ଓ ଅନତିି ଦୂରରେ ଅନନ୍ତ ଦଳାଇ ସ୍ମୃତି ବିଦ୍ୟାପୀଠ ରହିଥିବା ବେଳେ ଯଦି କୌଣସି ଅଘଟଣ ଘଟେ ତେବେ ବହୁଲୋକ ଏଥିରେ ମୃତାହତ ହେବାର ଆଶଙ୍କା ରହିଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଯଦିବା ସେ ବୁଝାମଣା ପତ୍ର ସ୍ୱାକ୍ଷର କରି ଗ୍ୟାସ ସିଲିଣ୍ଡର ବିକ୍ରୟ କରୁଛନ୍ତି ତେବେ ନିଛାଟିଆ ସ୍ଥାନରେ ନରଖି ଜନବସତି ଅଞ୍ଚଳରେ ଏତେ ସଂଖ୍ୟକ ଗ୍ୟାସ ସିଲିଣ୍ଡର କିପରି ମହଜୁଦ୍ ରଖୁଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହା ଉପରେ ଉପଜିଲ୍ଲାପାଳ ଦୃଷ୍ଟି ଦେବା ସହ ସେଠାରୁ ଗ୍ୟାସ ସିଲିଣ୍ଡର ସ୍ଥାନାନ୍ତର ପାଇଁ ପଦକ୍ଷେପ ନେବା ଲାଗି ଦାବି ହେଉଛି।
Comments are closed.