ମାଉଳି ମା’ଙ୍କ ମୂର୍ତ୍ତି ଚୋରି, ଥାନାରେ ଏତଲା

ସମ୍ବଲପୁର: ସ୍ଥାନୀୟ ଧନୁପାଲି ଥାନା ଅନ୍ତର୍ଗତ କୁଲୁଥକାନୀସ୍ଥିତ ମାଉଳି ମା’ ମନ୍ଦିରରୁ ମା’ଙ୍କ ମୂର୍ତ୍ତି ଚୋରି ହୋଇଯାଇଛି। ଏ ସମ୍ପର୍କରେ ଥାନାରେ ଏତଲା ଦିଆଯାଇଛି। ଅଭିଯୋଗ ଅନୁଯାୟୀ, ବୁଧବାର ମନ୍ଦିରକୁ ପୂଜା କରିବା ପାଇଁ ଅଚ୍ୟୁତାନନ୍ଦ ଭୋଇ ଯାଇଥିବା ବେଳେ ମୂର୍ତ୍ତି ଚୋରି ହୋଇଥିବା ଜଣାପଡିଥିଲା। ଏଣୁ ଅଞ୍ଚଳବାସୀ ମୂର୍ତ୍ତିକୁ ବହୁ ଖୋଜାଖୋଜି କରିବା ପରେ ନ ପାଇବାରୁ ଧନୁପାଲି ଥାନାରେ ଗୁରୁବାର ଅଭିଯୋଗ କରିଛନ୍ତି। ମନ୍ଦିରରେ ଥିବା ମୂର୍ତ୍ତି ୨୦୦ ବର୍ଷରୁ ଊର୍ଦ୍ଧ୍ବ ପ୍ରାଚୀନ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି। ପୁରାତନ କାଳରୁ ଭୁତାପଡା, ମୋତିଝରନ, କମଲାପଡା, ସୁନାପାଲି, ଦିଗତପାଲି, କୁଲୁଥକାନୀ, ଚାରଭାଟି ଆଦି ଅଞ୍ଚଳବାସୀଙ୍କର ମାଉଳି ମା’ଙ୍କ ଉପରେ ଅତୁଟ ବିଶ୍ୱାସ ରହିଥିବା ବେଳେ ପାରମ୍ପରିକ ରୀତିନୀତି ଅନୁଯାୟୀ ନିୟମିତ ପୂଜା କରି ଆସୁଛନ୍ତି । ଏଣୁ ମନ୍ଦିରରୁ ମୂର୍ତ୍ତି ଚୋରି ହେବା ଘଟଣାକୁ ନେଇ ଅଞ୍ଚଳାବସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Comments are closed.