ଆଇସିସି ମହିଳା ଦିିନିକିଆ ମାନ୍ୟତା: ଖସିଲେ ମିତାଲି, ଉଠିଲେ ମାନ୍ଧାନା ଓ ୟାସ୍ତିକା

ଦୁବାଇ: ଅନ୍ତର୍ଜାତୀୟ କ୍ରିକେଟ ପରିଚାଳନା ପରିଷଦ(ଆଇସିସି) ପକ୍ଷରୁ ସଦ୍ୟ ପ୍ରକାଶିତ ଦିନିକିଆ ମହିଳା ମାନ୍ୟତାରେ ଭାରତୀୟ ଓପନର ସ୍ମୃତି ମାନ୍ଧାନା ଓ ୟାସ୍ତିକା ଭାଟିଆ ଉପରକୁ ଉନ୍ନୀତ ହୋଇଛନ୍ତି। ବର୍ତ୍ତମାନ ନ୍ୟୁଜିଲାଣ୍ଡରେ ଚାଲିଥିବା ମହିଳା କ୍ରିକେଟ ବିଶ୍ବକପର ଶେ​‌ଷ ୩ଟି ମ୍ୟାଚରେ ମାନ୍ଧାନା ଭଲ ବ୍ୟାଟିଂ ପ୍ରଦର୍ଶନ କରିବା ସହ ଶ୍ରେଷ୍ଠ ୧୦ ମଧ୍ୟରେ ସ୍ଥାନ ପାଇଛନ୍ତି। ଅଷ୍ଟ୍ରେଲିଆ ଓ ବାଂଲାଦେଶ ବିପକ୍ଷରେ କ୍ରମାଗତ ଦୁଇଟି ଅର୍ଦ୍ଧଶତକ ହାସଲ କରିଥିବା ବାମହାତୀ ବ୍ୟାଟର ୟାସ୍ତିକା ୩୯ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଅନ୍ୟପକ୍ଷରେ ଭାରତୀୟ ଦଳର ଅଧିନାୟିକା ମିତାଲି ରାଜ୍‌ ମାନ୍ୟତାରେ ତଳକୁ ଖସି ଆସିଛନ୍ତି। ମିତାଲି ୫ଟି ସ୍ଥାନ ତଳକୁ ଖସି ଆସିବା ସହିତ ୮ମ ସ୍ଥାନରେ ରହିଛନ୍ତି। ମିତାଲି ଅଷ୍ଟ୍ରେଲିଆ ବିପକ୍ଷରେ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିବାବେଳେ ବାଂଲାଦେଶ ବିପକ୍ଷରେ ଖାତା ଖୋଲି ପାରିନଥିଲେ। ଅଷ୍ଟ୍ରେଲିଆର ଏଲିସା ହେଲି ୧ ନମ୍ବର ସ୍ଥାନରେ ରହିଥିବାବେଳେ ବେଥ୍‌ ମନି ୨ୟ ସ୍ଥାନରେ ରହିଛନ୍ତି। ବେଥ୍‌ ମନି ୨ଟି ସ୍ଥାନ ଉପରକୁ ଉନ୍ନୀତ ହୋଇ ଦ୍ବିତୀୟ ସ୍ଥାନରେ ପହଞ୍ଚିଛନ୍ତି। ମେଗ୍‌ ଲାନିଂ ୩ୟ ଓ ରିଚିଲ ହେନ୍‌ସ ୪ର୍ଥ ସ୍ଥାନରେ ରହିଥିବାବେଳେ ଦକ୍ଷିଣ ଆଫ୍ରିକାର ଲାଉରା ଉଲଭାର୍ଡଟ ଦୁଇଟି ସ୍ଥାନ ଉପରକୁ ଉନ୍ନୀତ ହୋଇ ୩ୟ ସ୍ଥାନରେ ପହଞ୍ଚିଛନ୍ତି। ବୋଲିଂ ମାନ୍ୟତାରେ ଭାରତୀୟ ସ୍ପିନର ପୂଜା ବତ୍ସାକାର ୧୩ଟି ସ୍ଥାନ ଉପରକୁ ଉନ୍ନୀତ ହୋଇ ୫୬ତମ ସ୍ଥାନରେ ପହଞ୍ଚିଥିବାବେଳେ ଦ୍ରୁତ ବୋଲର ଝୁଲଣ ଗୋସ୍ବାମୀ ୭ଟି ସ୍ଥାନ ତଳକୁ ଖସି ଆସିଛନ୍ତି।

ଶେଷ ଦୁଇ ମ୍ୟାଚରେ ଚୂଡାନ୍ତ ଏକାଦଶରୁ ବାଦ୍‌ ପଡିଥିବା ଅଲ୍‌ରାଉଣ୍ଡର ଦୀପ୍ତି ଶର୍ମା ଅଲ୍‌ରାଉଣ୍ଡର ମାନ୍ୟତାର ୭ମ ସ୍ଥାନରେ ରହିଛନ୍ତି। ଇଂଲଣ୍ଡର ଶୋଫିଆ ଇକ୍ଳିଷ୍ଟୋନ ଶୀର୍ଷ ସ୍ଥାନରେ ରହିଥିବାବେଳେ ଜିସ୍‌ ଜାନାସେନ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଦକ୍ଷିଣ ଆଫ୍ରିକୀୟ ବୋଲର ଶବନିମ୍‌ ଇସ୍‌ମାଇଲ୍‌ ୪ର୍ଥ, ମାାରିଜାନେ କାପ୍‌ ୫ମ ଓ ଆୟୋବୋଙ୍ଗା ଖାଖା ୬ଷ୍ଠ ସ୍ଥାନରେ ରହିଛନ୍ତି। କାଟେ କ୍ରସ ୩ଟି ସ୍ଥାନ ଉପରକୁ ଉନ୍ନୀତ ହୋଇ ୧୦ତମ ସ୍ଥାନରେ ରହିଛନ୍ତି। ଇଂଲଣ୍ଡର ଆନ୍ୟା ସର୍ବୋସୋଲ ୪ଟି ସ୍ଥାନ ଉପରକୁ ଉନ୍ନୀତ ହୋଇ ୧୧ତମ ଓ ନ୍ୟୁଜିଲାଣ୍ଡର ଜେସ କେର୍‌ ୬ଟି ସ୍ଥାନ ଉପରକୁ ଉନ୍ନୀତ ହୋଇ ୨୧ତମ ସ୍ଥାନରେ ପହଞ୍ଚିଛନ୍ତି। ପାକିସ୍ତାନ ବୋଲର ନିଦା ଦାର୍‌ ୫ଟି ସ୍ଥାନ ଉପରକୁ ଉନ୍ନୀତ ହୋଇ ୨୪ତମ ଓ ଅମନ ଅମିନ ୨ଟି ସ୍ଥାନ ଉପରକୁ ଉନ୍ନୀତ ହୋଇ ୩୧ତମ ସ୍ଥାନରେ ପହଞ୍ଚିଛନ୍ତି।

Comments are closed.