ଭାରତୀୟ ବାୟୁ ସେନାରେ ଯୁଦ୍ଧ ବିମାନ ଓ ପାଇଲଟଙ୍କ ଅଭାବ

0

ନୂଆଦିଲ୍ଲୀ : ଭାରତୀୟ ବାୟୁ ସେନା (ଆଇଏଏଫ) ଏବଂ ନୌ ସେନାରେ ଯୁଦ୍ଧ ବିମାନ ଓ ପାଇଲଟ (ବିମାନ ଚାଳକ)ଙ୍କ ଘୋର ଅଭାବ ପରିଲକ୍ଷିତ ହୋଇଛି । ରାଜ୍ୟସଭାରେ କେନ୍ଦ୍ର ପ୍ରତିରକ୍ଷା ରାଷ୍ଟ୍ର ମନ୍ତ୍ରୀ ସୁବାଶ ଭାମ୍ରେ ସୋମବର ଦେଇଥିବା ଲିଖିତ ଉତ୍ତର ଅନୁସାରେ ବର୍ତ୍ତମାନ ଭାରତୀୟ ବାୟୁ ସେନାରେ ୪,୩୨୧ ପାଇଲଟଙ୍କ ଆବଶ୍ୟକତା ରହିଥିବାବେଳେ ୩,୮୫୫ ପାଇଲଟ ନିଯୁକ୍ତ ଅଛନ୍ତି । ଅର୍ଥାତ ୩୭୬ ଜଣ ପାଇଲଟଙ୍କ ଅଭାବ ରହିଛି । କେବଳ ବାୟୁ ସେନା ନୁହେଁ ନୌ ସେନାରେ ମଧ୍ୟ ଯୁଦ୍ଧ ବିମାନ ଚାଳକଙ୍କ ଅଭାବ ପରିଲକ୍ଷିତ ହୋଇଛି । ସେହିପରି ଭାରତୀୟ ବାୟୁ ସେନାରେ ୬ଟି ଯୁଦ୍ଧ ବିମାନ ସ୍କ୍ୱାର୍ଡନ ଅଭାବ ରହିଛି । ଭାରତର ଦୁଇ ପାର୍ଶ୍ବରେ ଥିବା ପଡୋଶୀ ଦେଶ ଚୀନ ଓ ପାକିସ୍ତାନ ସୀମାରେ ଅସ୍ଥିରତା ସୃଷ୍ଟି କରୁଥିବାବେଳେ ଭାରତୀୟ ବାୟୁ ସେନାରେ ଯୁଦ୍ଧ ବିମାନ ଓ ପାଇଲଟଙ୍କ ଅଭାବକୁ ପ୍ରତିରକ୍ଷା ବିଶେଷଜ୍ଞମାନେ ସମାଲୋଚନା କରିଛନ୍ତି । ଏହି ଦୁଇ ପଡୋଶୀ ରାଷ୍ଟ୍ରଙ୍କ ମୁକାବିଲା ପାଇଁ ଭାରତୀୟ ବାୟୁ ସେନାରେ ୪୨ଟି ଯୁଦ୍ଧ ବିମାନ ସ୍କ୍ୱାର୍ଡନର ଆବଶ୍ୟକତା ରହିଛି । ହେଲେ ବର୍ତ୍ତମାନ ଭାରତୀୟ ବାୟୁ ସେନାରେ ମାତ୍ର ୩୪ଟି ୬ଟି ଯୁଦ୍ଧ ବିମାନ ସ୍କ୍ୱାର୍ଡନ ରହିଛି । ସେଥିମଧ୍ୟରୁ ଏମ୍‌ଆଇଜି-୨୧ବିଆଇଏସ୍‌, ଏମ୍‌ଆଇଜି୨୭ ଏବଂ ଅମ୍‌ଆଇଜି ୨୧ ଏମ୍‌ ବହୁ ପୁରୁଣା ଯୁଦ୍ଧ ବିମାନ ସ୍କ୍ୱାର୍ଡନ । ଏହାବାଦ୍‌ ଏସ୍‌ୟୁ-୩୦ଏମ୍‌କେଆଇର ୧୧ଟି ସ୍କ୍ୱାର୍ଡନ, ଏମ୍‌ଆଇଜି-୨୯, ମିରେଜ-୨୦୦୦ର ୩ଟି ଲେଖାଏଁ ସ୍କ୍ୱାର୍ଡନ, ଏମ୍‌ଆଇଜି ୨୧ ବିସନ ଏବଂ ଜାଗୁଆରର ୬ଟି ଲେଖାଏଁ ସ୍କ୍ୱାର୍ଡନ ରହିଛି । ଭାତରୀୟ ନୌ ସେନାରେ ୯୧ ଜଣ ପାଇଲଟଙ୍କ ଅଭାବ ରହିଛି । ଭାରତୀୟ ନୌସେନାରେ ୭୩୫ ଜଣ ପାଇଲଟ ଆବଶ୍ୟକ ଥିବାବେଳେ ବର୍ତ୍ତମାନ ୬୪୪ ଜଣ ପାଇଲଟ ଅଛନ୍ତି । ସେହିପରି ସେନା ବିମାନ ପରିଚାଳନା ନିଗମରେ ୧୯୨ ଜଣ ପାଇଲଟଙ୍କ ଅଭାବ ରହିଛି । ସେନା ବିମାନ ପରିଚାଳନା ନିଗମରେ ୭୯୪ ଜଣ ପାଇଲଟଙ୍କ ଆବଶ୍ୟକତା ଥିବାବେଳେ ବର୍ତ୍ତମାନ ୬୦୨ ଜଣ ପାଇଲଟ ରହିଛନ୍ତି । ତେବେ ପାଇଲଟଙ୍କ ଅଭାବକୁ ପୂରଣ କରିବା ପାଇଁ ପ୍ରତିରକ୍ଷା ବିଭାଗ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି ।

Leave A Reply