୫୦୦୦ ବର୍ଷ ତଳର ମାନବ କଙ୍କାଳ ଉଦ୍ଧାର

ରାଜକୋଟ: ଦୁଇମାସର ଖନନ ପରେ ପ୍ରତ୍ନତତ୍ତ୍ବବିଦ୍ମାନେ ୫୦୦୦ବର୍ଷ ତଳର ମାନବ କଙ୍କାଳ ଉଦ୍ଧାର କରିଛନ୍ତି। ହରପପ୍ପା ସଭ୍ୟତାର ଏହି ମାନବ କଙ୍କାଳକୁ ଗୁଜରାଟର କଚ୍ଛ ଜିଲାର ଧୋଲାବିରାକୁ ଉଦ୍ଧାର କରାଯାଇଛି। ପ୍ରତ୍ନତତ୍ତ୍ବବିଦ୍ମାନେ କହିଛନ୍ତି ଯେ ୩୦୦ବର୍ଗ ମିଟର ଅଞ୍ଚଳକୁ ଖନନ କରାଯାଇ ୨୬ଟି ମାନବ କଙ୍କାଳ ଉଦ୍ଧାର କରାଯାଇଛି। ଏଥିରେ ଗୋଟିଏ ପୂର୍ଣ୍ଣ ମାନବ କଙ୍କାଳ ଉଦ୍ଧାର କରାଯାଇଛି; ଯାହାର ଲମ୍ବ ୬ଫୁଟ। କଚ୍ଛ ବିଶ୍ବବିଦ୍ୟାଳୟ ପ୍ରତ୍ନତତ୍ତ୍ବ ବିଭାଗ ମୁଖ୍ୟ ସୁରେଶ ଭଣ୍ଡାରୀ କହିଛନ୍ତି ଯେ ଉଦ୍ଧାର କଙ୍କାଳକୁ ପରୀକ୍ଷା ପାଇଁ କେରଳ ବିଶ୍ବବିଦ୍ୟାଳୟକୁ ପଠାଯାଇଛି। କଙ୍କାଳର ବୟସ, ମୃତ୍ୟୁର କାରଣ ଓ ଲିଙ୍ଗ ବିଷୟରେ ପରୀକ୍ଷା କରାଯିବ। କଚ୍ଛ ବିଶ୍ବବିଦ୍ୟାଳୟ ଓ କେରଳ ବିଶ୍ବବିଦ୍ୟାଳୟ ପ୍ରତ୍ନତତ୍ତ୍ବ ବିଭାଗ ମିଳିତ ଭାବେ ଏହି ଖନନ କରିଥିଲେ। ପ୍ରଥମ କରି ଗୁଜରାଟରେ ଏକ ଆୟତକାର କବରସ୍ଥାନ ଠାବ କରାଯାଇଥିଲା। ବିଭାଗୀୟ ଶିକ୍ଷକଙ୍କ କହିବା ଅନୁଯାୟୀ ପ୍ରତି କବରର ପୂର୍ବ ଓ ପଶ୍ଚିମ ଭାଗରେ ପଥରର କାନ୍ଥ ରହିଥିଲା। ସେହିପରି କଙ୍କାଳର ମୁଣ୍ଡ ପୂର୍ବକୁ ରହିଥିବାବେଳେ ଗୋଡ ପଶ୍ଚିମକୁ ରହିଥିଲା। ସବୁଠାରୁ ବଡ କବରର ଲମ୍ବ ୬.୯ ମିଟର ହୋଇଥିବାବେଳେ ସାନ କବରର ଲମ୍ବ ୧.୨ ମିଟର। କବରସ୍ଥାନରୁ ମାନବ କଙ୍କାଳ ସହିତ ପଶୁ କଙ୍କାଳ,ଚୁଡି, ପଥରର ଚକି ଓ ପେଷଣା, ବ୍ଲେଡ, ଖୁର ଭଳି ଧାରୁଆ ରେଜର, ପଥରର ଖଟ ଉଦ୍ଧାର କରାଯାଇଛି। କବରସ୍ଥାନରେ ଧାର୍ମିକ କାର୍ଯ୍ୟକ୍ରମ ଲାଗି ଏହାସବୁ ବ୍ୟବହାର କରାଯାଇଥିବା ଅନୁମାନ କରାଯାଇଛି। ତେବେ ଏହା ଉପରେ ସବିଶେଷ ଅନୁଧ୍ୟାନ କରାଯିବ। କଙ୍କାଳ ପାଦ ପାଖରେ ମାଟି ମାତ୍ର ରଖାଯାଇଥିବା ଦେଖିବାକୁ ମିଳିଛି।