www.samajalive.in
Sunday, December 14, 2025
26.1 C
Bhubaneswar

୫ ବର୍ଷରେ ୮୨ ହଜାର ପରୀକ୍ଷାର୍ଥୀ ଅନୁପସ୍ଥିତ

ଭୁବନେଶ୍ବର : ମାଟ୍ରିକ୍ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀ ୩ଟି ବିଷୟରେ ଦୁର୍ବଳ ରହୁଥିବା ଜଣାଯାଇଛି। ବିଶେଷ କରି ଗଣିତ, ଦ୍ବିତୀୟ ଭାଷା ଇଂରାଜୀ ଓ ସାଧାରଣ ଜ୍ଞାନରେ ସେମାନଙ୍କ ଦୁର୍ବଳତା ପରିଲକ୍ଷିତ ହେଉଛି। ଏଥିସହିତ ପ୍ରତିବର୍ଷ ଛାତ୍ରଛାତ୍ରୀ ମାଟ୍ରିକ୍‌ ପରୀକ୍ଷା ପାଇଁ ଫର୍ମପୂରଣ କରୁଛନ୍ତି ହେଲେ ସମସ୍ତେ ପରୀକ୍ଷା ଦେବାକୁ ଆସୁନାହାନ୍ତି। ପ୍ରତିବର୍ଷ ହଜାର ହଜାର ପିଲା ମାଟ୍ରିକ୍ ପରୀକ୍ଷା ନ ଦେବା ଚିନ୍ତାର ବିଷୟ ହୋଇଛି। ପରୀକ୍ଷା ପୂର୍ବରୁ କିଏ ବାହା ହୋଇଯାଉଛି ତ ପୁଣି କିଏ ରାଜ୍ୟ ବାହାରକୁ ଚାଲିଯାଉଥିବା କୁହାଯାଉଛି। ଗତ ୫ ବର୍ଷରେ ୮୨ ହଜାର ୭୫୯ ପିଲା ଫର୍ମପୂରଣ କରି ମାଟ୍ରିକ୍ ପରୀକ୍ଷା ଦେଇନାହାନ୍ତି। ବିଧାନସଭାରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ତଥ୍ୟ ରଖିଛନ୍ତି।
ତଥ୍ୟ ଅନୁସାରେ, ଗତ ୨୦୨୨ରେ ୪୪,୨୪୫ ପିଲା ଫର୍ମପୂରଣ କରି ପରୀକ୍ଷା ଦେବାକୁ ଆସି ନ ଥିଲେ। ସେହିବର୍ଷ ୫ ଲକ୍ଷ ୬୭ ହଜାର ୭୫୩ ଜଣ ଫର୍ମପୂରଣ କରିଥିବାବେଳେ ପରୀକ୍ଷା ଦେଇଥିଲେ ୫ ଲକ୍ଷ ୨୩ ହଜାର ୫୦୮। ସେହିପରି ୨୦୨୧ରେ ୫ ଲକ୍ଷ ୭୪ ହଜାର ୧୨୫ଜଣ ଫର୍ମପୂରଣ କରିଥିଲେ କିନ୍ତୁ ୫ ଲକ୍ଷ ୬୯ ହଜାର ୭୧୩ ଜଣ ପରୀକ୍ଷା ଦେଇଥିଲେ। ଉକ୍ତ ବର୍ଷ ୪୪୧୨ ପିଲା ପରୀକ୍ଷାରୁ ଦୂରେଇ ରହିଥିଲେ। ଏହାସହ ୨୦୨୦ରେ ୫ ଲକ୍ଷ ୨୩ ହଜାର ୫୬୧ ଫର୍ମପୂରଣ ହୋଇଥିଲାବେଳେ ୫ ଲକ୍ଷ ୧୧ ହଜାର ୯୧୬ ପିଲା ପରୀକ୍ଷା ଦେଇଥିଲେ। ୧୧, ୬୪୫ ପିଲା ଫର୍ମପୂରଣ ସତ୍ତ୍ବେ ପରୀକ୍ଷା ଦେଇ ନ ଥିଲେ। ୨୦୧୯ରେ ୯୫୦୨ ଏବଂ ୨୦୧୮ରେ ୧୨ ହଜାର ୯୫୫ ପିଲା ପରୀକ୍ଷା ଦେବାକୁ ଆସି ନ ଥିଲେ। କରୋନା ମହାମାରୀ ପରୀକ୍ଷାରେ ପିଲାଙ୍କ ଅନୁପସ୍ଥିତିର ମୁଖ୍ୟ କାରଣ ବୋଲି ମନ୍ତ୍ରୀ କହିଛନ୍ତି। ଡୋର-ଟୁ-ଡୋର କ୍ୟାମ୍ପେନିଂ (ଘରକୁ ଘର ଅଭିଯାନ), ସ୍ବତନ୍ତ୍ର ପାଠପଢ଼ା, କ୍ଲବ୍ ସିଷ୍ଟମ୍ ଏବଂ ହାଉସ୍ ସିଷ୍ଟମ ଦ୍ବାରା ତଥା ଅଭିଭାବକଙ୍କ ମଧ୍ୟରେ ସଚେତନତା ବଢ଼ାଇ ପିଲାଙ୍କୁ ଶିକ୍ଷାର ମୁଖ୍ୟସ୍ରୋତରେ ସାମିଲ କରିବାକୁ ପ୍ରୟାସ ଜାରି ରହିଥିବା ମନ୍ତ୍ରୀ ଉଲ୍ଲେଖ କରିଛନ୍ତି।
ଅନ୍ୟପକ୍ଷରେ ରାଜ୍ୟରେ ବାର୍ଷିକ ହାଇସ୍କୁଲ ପରୀକ୍ଷାରେ ପିଲା ୩ଟି ବିଷୟ‌େ‌ର ଦୁର୍ବଳ ରହୁଛନ୍ତି। ଗଣିତ, ଦ୍ବିତୀୟ ଭାଷା ଇଂରାଜୀ ଏବଂ ସାଧାରଣ ବିଜ୍ଞାନ ବିଷୟରେ ଛାତ୍ରଛାତ୍ରୀ ଦୁର୍ବଳ ରହୁଥିବା ଗତ ସମ୍ମେଟିଭ୍ ଆସେସମେଣ୍ଟ୍ ପରିସଂଖ୍ୟାନରୁ ପରିଲକ୍ଷିତ ହେଉଥିବା ମନ୍ତ୍ରୀ କହିଛନ୍ତି। ଛାତ୍ରଛାତ୍ରୀଙ୍କ ମେଧାଶକ୍ତିର ବିକାଶ ପାଇଁ ରିମେଡିଆଲ କ୍ଲାସ, ଛାତ୍ରଛାତ୍ରୀଙ୍କ ତଦାରଖ, ୟୁନିଟ୍ ଟେଷ୍ଟ, ଲେସନ୍ ସମୀକ୍ଷା ଆଦି କାର୍ଯ୍ୟକ୍ରମ ଗ୍ରହଣ କରାଯାଉଛି। ଏହାଛଡ଼ା ୫-ଟି ଅଧୀନରେ ଉଚ୍ଚ ବିଦ୍ୟାଳୟଗୁଡ଼ିକରେ ସ୍ମାର୍ଟ କ୍ଲାସ, ବିଜ୍ଞାନ ପରୀକ୍ଷାଗାର ଓ ଡିିଜିଟାଲ ପାଠାଗାର ଯୋଗାଇ ଦିଆଯାଇ ଛାତ୍ରଛାତ୍ରୀଙ୍କ ମେଧାଶକ୍ତି ବୃଦ୍ଧି କରାଯାଉଥିବା ବିଧାୟକ ଧ୍ରୁବଚରଣ ସାହୁଙ୍କ ଏକ ପ୍ରଶ୍ନର ଉତ୍ତରେ ବିଭାଗୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି।

Hot this week

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

Related Articles

Popular Categories