ସାଧାରଣତଃ ନିଜର ସୁନ୍ଦରତାକୁ ନେଇ ସମସ୍ତ ଚିନ୍ତିତ ଓ ସଚେତନ। ଏକ ସୁନ୍ଦର ଓ ଆକର୍ଷଣୀୟ ଚେହେରା ପାଇବା ପାଇଁ ଲୋକେ ନାନାଦି ଉପାୟ ଆପଣାଉଛନ୍ତି। ଖାସ୍ କରି ମହିଳାମାନେ ଏଥି ପ୍ରତି ଅଧିକ ଧ୍ୟାନ ଦେଇଥାଆନ୍ତି। ଅନେକ ଟଙ୍କା ବିନିମୟରେ ବଜାରରେ ମିଳୁଥିବା ଅନେକ ପ୍ରସାଧନ ସାମଗ୍ରୀ ଆଣି ବ୍ୟବହାର କରି ଥାଆନ୍ତି ଓ ବେଳେବେଳେ ଏସବୁର ପାର୍ଶ୍ବ ପ୍ରତିକ୍ରିୟାରେ ତ୍ଵଚା ସମସ୍ୟା ଦୂର ହେବା ପରିବର୍ତ୍ତେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥାଏ। ତ୍ଵଚା ସମ୍ବନ୍ଧୀୟ ସମସ୍ୟା ଦୂର କରି ଉଜ୍ଵଳ ଓ ସୁନ୍ଦର କରିବା ପାଇଁ ଘରୋଇ ଉପଚାର ଆପଣାଇବା ଉଚିତ। ଆଜି ଆମେ ଏପରି ଏକ ଘରୋଇ ଉପଚାର ବିଷୟରେ କହିବୁ ଯାହାଦ୍ବାରା ବିନା କୌଣସି ପାର୍ଶ୍ବ ପ୍ରତିକ୍ରିୟାରେ ଆପଣ ଏକ ଉଜ୍ଵଳ ଓ ଚିକ୍କଣ ତ୍ଵଚା ପାଇ ପାରିବେ। ଆସନ୍ତୁ ଜାଣିବା ସେହି ଘରୋଇ ଉପାୟ ବିଷୟରେ –
ମହୁ ସ୍ୱାସ୍ଥ୍ୟ ସହ ତ୍ୱଚା ପାଇଁ ମଧ୍ୟ ଖୁବ୍ ଲାଭଦାୟକ ହୋଇଥାଏ। ମହୁକୁ ବ୍ୟବହାର କରି ଘରେ ମଧ୍ୟ ଫେସିଆଲ କରିପାରିବେ। ଏହାଦ୍ବାରା ଖୁବଶୀଘ୍ର ଆପଣ ଫରକ ଅନୁଭବ କରିପାରିବେ।
ଫେସିଆଲ କରିବା ପୂର୍ବରୁ ପ୍ରଥମେ ଏକ ଟାୱେଲକୁ ଗରମ ପାଣିରେ ବୁଡ଼ାଇ ୪-୫ ମିନିଟ୍ ପର୍ୟ୍ୟନ୍ତ ମୁହଁକୁ ଭଲ ଭାବେ ପୋଛିଦିଅନ୍ତୁ। ଏଭଳି କରିବା ଦ୍ୱାରା ମୁହଁର ଲୋମକୂପ ଖୋଲିଯିବ ଓ ଫେସିଆଲର ଦୁଇଗୁଣ ଲାଭ ମିଳିପାରିବ। ଏହାପରେ ପ୍ରଥମେ ସ୍କ୍ରବ୍ କରିବା ଉଚିତ୍।
ସ୍କ୍ରବ୍ ପାଇଁ ଆବଶ୍ୟକୀୟ ସାମଗ୍ରୀ:
ଚାଉଳଗୁଣ୍ଡ- ୧ଚାମଚ
ମହୁ-୧ ଚାମଚ
ଲେମ୍ବୁ ବା ଟମାଟୋ ରସ- ୪ରୁ ୫ ବୁନ୍ଦା
ସ୍କ୍ରବିଂ କରିବା ଉପାୟ:
ଚାଉଳଗୁଣ୍ଡ, ମହୁ ଓ ଲେମ୍ବୁ ରସକୁ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହି ପେଷ୍ଟକୁ ମୁହଁରେ ଲଗାଇ ଧୀରେ ଧୀରେ ଘଷନ୍ତୁ। ନାକ ଓ ଗାଲ ତଳ ପାର୍ଶ୍ୱକୁ ଭଲ ଭାବେ ଘଷନ୍ତୁ, କାରଣ ଏହି ସ୍ଥାନରେ ସବୁଠାରୁ ଅଧିକ ମୃତ କୋଷିକା ରହିଥାଏ। ୫-୧୦ ମିନିଟ୍ ପରେ ମୁହଁକୁ ଭଲ ଭାବେ ଧୋଇ ସଫା କରିଦିଅନ୍ତୁ। ଏହାପରେ ଫେସ୍ ପ୍ୟାକ୍ ଲଗାଇବେ।
ଫେସ୍ ପ୍ୟାକ୍ ପାଇଁ ଆବଶ୍ୟକୀୟ ସାମଗ୍ରୀ:
ମୁଲତାନି ମାଟି- ୧ ଚାମଚ
ମହୁ- ୧ ଚାମଚ
ଗୋଲାପ ଜଳ- ଆବଶ୍ୟକ ଅନୁସାରେ
ଫେସ୍ ପ୍ୟାକ୍ ପ୍ରସ୍ତୁତି ଓ ବ୍ୟବହାର ପ୍ରଣାଳୀ:
ମୁଲତାନି ମାଟିରେ ମହୁ ସହ ଆବଶ୍ୟକ ଅନୁସାରେ ଗୋଲାପ ଜଳ ମିଶାଇ ଏକ ପ୍ୟାକ୍ ପ୍ରସ୍ତୁତ କରନ୍ତୁ। ଏହି ପ୍ୟାକ୍କୁ ମୁହଁରେ ଲଗାଇ ଅଳ୍ପ ଶୁଖିବାକୁ ଦିଅନ୍ତୁ। ଧ୍ୟାନ ରଖନ୍ତୁ କେବେ ବି ଫେସ୍ ପ୍ୟାକ୍କୁ ସମ୍ପୂର୍ଣ୍ଣ ଶୁଖିବାକୁ ଦେବେ ନାହିଁ। ଏହାଦ୍ୱାରା ମୁହଁର ତ୍ୱଚା ଲୋଚାକୋଚା ହୋଇଯାଏ।



