ସାଇବର ନିରାପତ୍ତା ଆନ୍ତର୍ଜାତିକ ସୁରକ୍ଷାର ଅପରିହାର୍ଯ୍ୟ ବିଷୟ : ଅମିତ ଶାହା
ନୂଆଦିଲ୍ଲୀ : ସାଇବର ନିରାପତ୍ତା ଆନ୍ତର୍ଜାତିକ ସୁରକ୍ଷାର ଏକ ଅପରିହାର୍ଯ୍ୟ ବିଷୟ ହୋଇପଡ଼ିଛି । ଏହା ପ୍ରତି ଯଥେଷ୍ଟ ଦୃଷ୍ଟିପାତ କରାଯିବା ଜରୁରୀ ହୋଇପଡ଼ିଛି ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି । ସାଇବର ସୁରକ୍ଷାକୁ ଶକ୍ତିଶାଳୀ କରିବା ପାଇଁ ସମସ୍ତ ବିଶ୍ୱକୁ ଗୋଟିଏ ମଂଚକୁ ଆସିବା ଜରୁରୀ । ଏହା ଆମର ସାମୁହିକ ଲକ୍ଷ୍ୟ ହେବା ଉଚିତ । ଆମକୁ ମିଳିତ ଭାବେ ଡିଜିଟାଲ ଦୁନିଆକୁ ସୁରକ୍ଷିତ କରିବାକୁ ପଡିବ ବୋଲି ସେ କହିଛନ୍ତି। ବିଭିନ୍ନ ଦେଶ ଓ ଆନ୍ତର୍ଜାତିକ ସଂଗଠନ ଗୁଡ଼ିକୁ ଏହିସବୁ ବିପଦର ମୁକାବିଲା ପାଇଁ ଶକ୍ତିଶାଳୀ ପଦକ୍ଷେପ ଗ୍ରହଣ କରିବା ଅପରିହାର୍ଯ୍ୟ ହୋଇପଡ଼ିଛି । ଅପରାଧ ଓ ସୁରକ୍ଷା ସଂକ୍ରାନ୍ତ ଦୁଇଦିନିଆ ଜି-୨୦ ସମ୍ମିଳନୀ ହରିଆଣାର ଗୁରୁଗ୍ରାମ ଠାରେ ଆରମ୍ଭ ହୋଇଛି । ଉଦ୍ଘାଟନୀ ଅଧିବେଶନରେ ଉଦବୋଧନ ଦେଇ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ଆତଙ୍କବାଦୀମାନେ ହିଂସାକାଣ୍ଡ ଘଟାଇବା, ଯୁବକମାନଙ୍କୁ ମୌଳବାଦ ଓ ବିଚ୍ଛିନ୍ନତାବାଦ ଆଡ଼କୁ ନେବା ଓ ସେମାନଙ୍କ ପାଇଁ ପାଣ୍ଠି ସଂଗ୍ରହ ଲାଗି ନୂଆ ନୂଆ ଉପାୟମାନ ବାହାର କରୁଛନ୍ତି । ସେ କହିଛନ୍ତି ଆତଙ୍କବାଦୀମାନେ ଆର୍ଥିକ କାରବାର ପାଇଁ ନୂଆ ନୂଆ ବୈଷୟିକ ଜ୍ଞାନର ବ୍ୟବହାର କରୁଛନ୍ତି । ଏହା ଯୋଗୁଁ ସୁରକ୍ଷା ବ୍ୟବସ୍ଥା ଓ ଡିଜିଟାଲ ଭିତ୍ତିଭୂମି ପ୍ରତି ବିପଦ ସୃଷ୍ଟି ହେଉଛି। ମନ୍ତ୍ରୀ କହିଛନ୍ତି କିଛି ଅସାମାଜିକ ଓ ଆନ୍ତର୍ଜାତିକ ଶକ୍ତି ନାଗରିକ ଓ ବିଭିନ୍ନ ଦେଶର ସରକାର ପ୍ରତି ଅର୍ଥନୈତିକ ଓ ସାମାଜିକ କ୍ଷତି ପହଞ୍ଚାଇବା
ଲାଗି ବୈଷୟିକ ଜ୍ଞାନର ବିପୁଳ ବ୍ୟବହାର କରୁଛନ୍ତି । ସେ କହିଛନ୍ତି ଡିନାମାଇଟ୍ ଠାରୁ ଆରମ୍ଭ କରି ମେଟାଭର୍ସ ପର୍ଯ୍ୟନ୍ତ ଓ ହାୱାଲା ଠାରୁ
ଆରମ୍ଭ କରି କ୍ରିପ୍ଟୋ କରେନ୍ସି ପର୍ଯ୍ୟନ୍ତ ଅପରାଧ ଗୁଡ଼ିକ ଉଦବେଗର କାରଣ ହୋଇଛି । ଶ୍ରୀ ଶାହା କହିଛନ୍ତି ର୍ୟାନ୍ସମ୍ ଓୟାର ଆଟାକ୍,
ବ୍ୟକ୍ତିଗତ ତଥ୍ୟର ବିକ୍ରୟ, ଅନ୍ଲାଇନ୍ ମାଧ୍ୟମରେ ହଇରାଣ ହରକତ କରିବା, ଶିଶୁମାନଙ୍କ ପ୍ରତି ଅସଦାଚରଣ, ମିଥ୍ୟା ଖବର ପ୍ରସାରଣ ଓ ଭୁଲ୍
ତଥ୍ୟ ପ୍ରସାରଣ ଭଳି ଅପରାଧିକ କାର୍ଯ୍ୟ ସାଇବର ଅପରାଧୀମାନେ କରୁଛନ୍ତି । ଏଥିପାଇଁ ଉଭୟ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ସହଯୋଗ
ସ୍ଥାପନ ପ୍ରତି ସେ ଗୁରୁତ୍ୱାରୋପ କରିଛନ୍ତି । ଏହିସବୁ ବିପଦର ମୁକାବିଲା ପାଇଁ ଏକ ସାଧାରଣ ରଣକୌଶଳ ପ୍ରସ୍ତୁତ ସକାଶେ ସେ ସମସ୍ତଙ୍କୁ ଆହ୍ୱାନ
ଦେଇଛନ୍ତି ।
ଡିଜିଟାଲ କ୍ଷେତ୍ରରେ ଦୀର୍ଘ ୯ ବର୍ଷ ଧରି ହାସଲ କରାଯାଇଥିବା ସଫଳତା ଗୁଡ଼ିକର ଉଲ୍ଲେଖ କରି ଶ୍ରୀ ଶାହା କହିଛନ୍ତି ଆଜି ୮୪୦ ନିୟୁତ
ଭାରତୀୟ ଅନ୍ଲାଇନ୍ ମାଧ୍ୟମରେ କାର୍ଯ୍ୟ କରୁଛନ୍ତି ଓ ୨୦୨୫ ସୁଦ୍ଧା ଆଉ ୪୦୦ ନିୟୁତ ଭାରତୀୟ ଡିଜିଟାଲ୍ କ୍ଷେତ୍ରରେ ପ୍ରବେଶ କରିବେ ।
ସେ କହିଛନ୍ତି ଗତ ୯ ବର୍ଷ ମଧ୍ୟରେ ଇଣ୍ଟରନେଟ୍ କନେକ୍ସନ ଶତକଡ଼ା ୨୫୦ ଭାଗ ବୃଦ୍ଧି ପାଇଛି । ସେ କହିଛନ୍ତି ପ୍ରଧାନମନ୍ତ୍ରୀ ଜନଧନ ଯୋଜନା
ଅଧୀନରେ ୫୦ କୋଟି ନୂଆ ବ୍ୟାଙ୍କ ଜମାଖାତା ଖୋଲାଯାଇଛି ଓ ୩୩୦ ନିୟୁତ ରୂପେ ଡେବିଟ୍ କାର୍ଡ ବଣ୍ଟନ କରାଯାଇଛି । ସେ କହିଛନ୍ତି ଭାରତ
ବିଶ୍ୱ ଡିଜିଟାଲ୍ ପେମେଣ୍ଟରେ ସର୍ବୋଚ୍ଚ ସ୍ଥାନରେ ରହିଛି । ୨୦୨୨ରେ ଭାରତରେ ୯୦ ନିୟୁତ ନେଣଦେଣ ହୋଇଛି । ସେ କହିଛନ୍ତି ଭାରତ
ଉନ୍ମୁକ୍ତ ଡିଜିଟାଲ ମୌଳିକ ଢ଼ାଞ୍ଚା ମଡେଲ୍ ସ୍ଥାପନ କରିଛି, ଯାହା ବିଶ୍ୱରେ ଏକ ଦୃଷ୍ଟାନ୍ତ ହୋଇଛି ।
ସେ କହିଛନ୍ତି ଭାରତରେ ଡିଜିଟାଲ ପରିଚୟ ପାଇଁ ଆଧାର ମଡେଲର ବିକାଶ କରାଯାଇଛି, ଦ୍ରୁତ ପେମେଣ୍ଟ ଲାଗି ଟଚଓ ମଡେଲ୍ ସ୍ଥାପନ
କରାଯାଇଛି, ଡିଜିଟାଲ ବାଣିଜ୍ୟ ପାଇଁ ଓପନ୍ ନେଟୱର୍କ ସ୍ଥାପନ କରାଯାଇଛି ଏବଂ ଓପନ୍ ସ୍ୱାସ୍ଥ୍ୟସେବା ନେଟୱର୍କ ମଧ୍ୟ ସ୍ଥାପନ କରାଯାଇଛି । ଶ୍ରୀ ଶାହା କହିଛନ୍ତି ଭାରତ’ ଅତ୍ୟାଧୁନିକ ଜ୍ଞାନକୌଶଳକୁ ସମାଜର ତଳସ୍ତରରେ ପହଞ୍ଚାଇବାରେ ବିଶ୍ୱରେ ଶୀର୍ଷ ସ୍ଥାନରେ ରହିଛି । ଭାରତ ମଧ୍ୟ ଆଧୁନିକ ବୈଷୟିକ ଜ୍ଞାନକୁ ଶସ୍ତାରେ ସମାଜର ସବୁବର୍ଗର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛି ।
ବୈଷୟିକ ଜ୍ଞାନ ସଂକ୍ରାନ୍ତ ଜି-୨୦ ସମ୍ମିଳନୀର ପ୍ରାସଙ୍ଗିକତା ଉପରେ ଶ୍ରୀ ଶାହା କହିଛନ୍ତି ଏ-୨୦ ରେ ସାଇବର ସୁରକ୍ଷା ଉପରେ ଏହା ପ୍ରଥମ
ସମ୍ମିଳନୀ । ସେ କହିଛନ୍ତି ଏ-୨୦ ଡିଜିଟାଲ ରୂପାନ୍ତରଣ ଓ ଅର୍ଥନୈତିକ ଦୃଷ୍ଟିକୋଣରୁ ଡାଟାର ପ୍ରସାର ଉପରେ ଆଲୋକପାତ କରୁଛି । ସେ
କହିଛନ୍ତି ବର୍ତ୍ତମାନ ଅପରାଧ ଓ ସୁରକ୍ଷା ପ୍ରସଙ୍ଗର ବିଭିନ୍ନ ଦିଗକୁ ବୁଝିବା ସହ ସମାଧାନ ଖୋଜିବା ଜରୁରୀ ହୋଇପଡ଼ିଛି । ସେ କହିଛନ୍ତି
ସରକାରଙ୍କ ଉଦ୍ୟମ ଯୋଗୁଁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଓ ମେଟାଭର୍ସର ଯୁଗରେ ଆଗରେ ରହିବା ସମ୍ଭବ ହୋଇଛି । ଏଥିପାଇଁ ସରକାର ଠିକ୍
ସମୟରେ ନୂଆ ବିପଦ ଗୁଡ଼ିକର ମୁକାବିଲା ପାଇଁ ସମନ୍ୱିତ ତଥା ସହଯୋଗମୂଳକ ଆଭିମୁଖ୍ୟ ପୋଷଣ କରିଛନ୍ତି ।
ଏହି ଅବସରରେ ଶ୍ରୀ ଶାହା ସାଇବର୍ ସ୍ୱେଚ୍ଛାସେବୀ ସ୍କ୍ୱାର୍ଡ ଗୁଡ଼ିକର ଶୁଭାରମ୍ଭ କରିଛନ୍ତି । ସେହି ସ୍କ୍ୱାର୍ଡ ଗୁଡ଼ିକୁ ୭ଟି ପ୍ରମୁଖ ଶିକ୍ଷାନୁଷ୍ଠାନରୁ ଆରମ୍ଭ କରାଯାଇଛି । ସେହି ସ୍ୱେଚ୍ଛାସେବୀମାନେ ସାଇବର ସଚେତନତା ସୃଷ୍ଟି କରିବା ସଙ୍ଗେ ସଙ୍ଗେ ବିପଜ୍ଜନକ ବିଷୟଗୁଡ଼ିକୁ ଚିହ୍ନଟ କରି ତାହା ଉପରେ ରିପୋର୍ଟ କରିବେ । ସେ କନ୍ଫରେନ୍ସ ମେଡାଲିୟନକୁ ଉନ୍ମୋଚନ କରିଛନ୍ତି ଓ ଏକ ପ୍ରଦର୍ଶନୀକୁ ଉଦ୍ଘାଟନ କରିଛନ୍ତି।
Comments are closed.