ବିଶ୍ୱକପ୍‍ ହକି: ଅନ୍‍ଲାଇନ ଟିକଟ ବିକ୍ରି ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

0
୨୦ ହଜାର କ୍ଷମତା, ସାଧାରଣ ଦର୍ଶକଙ୍କ ଲାଗି ୧୫ ହଜାର

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମ ହକି କମ୍ପେ୍ଲକ୍ସରେ ଆଉ ୧୮୨ ଦିନ ପରେ ୨୪ତମ ପୁରୁଷ ହକି ବିଶ୍ୱକପ ଖେଳାଯିବ। ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଖେଳାଯିବାକୁ ଥିବା ଉକ୍ତ ପ୍ରତିଯୋଗିତା ଲାଗି ଅନ୍‍ଲାଇନ୍‍ ଟିକଟ ବିକ୍ରି ପ୍ରକ୍ରିୟା ସୋମବାର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମଧ୍ୟାହ୍ନରେ ସଚିବାଳୟ ପରିସରରେ ଅନ୍‍ଲାଇନ ଟିକଟ ବିକ୍ରି ଶୁଭାରମ୍ଭ କରିଛନ୍ତି।
ପ୍ରତିଯୋଗିତାରେ ମୋଟ ୩୬ଟି ମ୍ୟାଚ ଖେଳାଯିବ। ସାଧାରଣ ଦର୍ଶକଙ୍କ ଲାଗି ଲିଗ୍‍ ଓ ନକ୍‍ଆଉଟ୍‍ ପାଇଁ ଭିନ୍ନଭିନ୍ନ ଟିକଟ ମୂଲ୍ୟ ରହିଛି। ଟିକଟ ମୂଲ୍ୟ ସର୍ବାଧିକ ୨୫୦ ଟଙ୍କା ଓ ସର୍ବନିମ୍ନ ୧୦୦ ଟଙ୍କା ରହିଛି। ଲିଗ୍‍ ମ୍ୟାଚ ଲାଗି ପୂର୍ବ ଷ୍ଟାଣ୍ଡ ଟିକଟ ମୂଲ୍ୟ ୨୦୦ ଟଙ୍କା, ଉତ୍ତର ଷ୍ଟାଣ୍ଡ ୧୦୦ ଟଙ୍କା, ଦକ୍ଷିଣ ଷ୍ଟାଣ୍ଡ ଗ୍ୟାଲେରି ଟିକଟ ମୂଲ୍ୟ ୧୦୦ ଟଙ୍କା ରହିଛି। ସେହିପରି ଡିସେମ୍ବର ୧୦ରୁ ଖେଳାଯିବାକୁ ଥିବା ନକ୍‍ଆଉଟ୍‍ ମ୍ୟାଚ ଲାଗି ପୂର୍ବ ଷ୍ଟାଣ୍ଡ ଟିକଟ ମୂଲ୍ୟ ୨୫୦ ଓ ଉତ୍ତର ଷ୍ଟାଣ୍ଡ ଟିକଟ ମୂଲ୍ୟ ୧୫୦ ଟଙ୍କା ଓ ପୂର୍ବ ଷ୍ଟାଣ୍ଡ ଗ୍ୟାଲେରୀ ମୂଲ୍ୟ ୧୫୦ ଟଙ୍କା ରହିଛି। ଦର୍ଶକମାନେ  http://in.ticketgenie.inରେ ଅନ୍‍ଲାଇନ ଟିକଟ ବୁକିଂ କରିପାରିବେ। କଳିଙ୍ଗ ଷ୍ଟାଡିୟମ୍‍ର ଗ୍ୟାଲେରୀରେ ପୂର୍ବରୁ ମାତ୍ର ୧୨ ହଜାର ଦର୍ଶକ ବସିବାର ସୁବିଧା ରହିଥିଲା। ହକି ବିଶ୍ୱକପ ଲାଗି ଷ୍ଟାଡିୟମ ଗ୍ୟାଲେରୀ ସଂପ୍ରସାରଣ କରାଯାଇଛି। ପୂର୍ବ, ଉତ୍ତର ଓ ଦକ୍ଷିଣ ଗ୍ୟାଲେରୀ ସଂପ୍ରସାରଣ କରାଯାଇ ୨୦ ହଜାର ଦର୍ଶକ କ୍ଷମତାକୁ ବୃଦ୍ଧି କରାଯାଇଛି। ଷ୍ଟାଡିୟମର କ୍ଷମତା ୨୦ ହଜାର ରହିବା ବେଳେ ସାଧାରଣ ଦର୍ଶକଙ୍କ ଲାଗି ୧୫ ହଜାର ଟିକଟ ପ୍ରତି ମ୍ୟାଚ ଲାଗି ଉପଲବ୍ଧ ହେବ। ହକି ଇଣ୍ଡିଆର ସିଇଓ ଏଲିନା ନର୍ମାନ୍‍ଙ୍କ ଉପସ୍ଥିତିରେ ପ୍ରତିଯୋଗିତା ଲାଗି ଅନ୍‍ଲାଇନ୍‍ ଟିକଟ ବିକ୍ରିର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ଶ୍ରୀପଟ୍ଟନାୟକ କହିଲେ, ଓଡ଼ିଶାରେ ହକି ବିଶ୍ୱକପ୍‍ ସଫଳ ହେବ। ଏହାକୁ ଲୋକପ୍ରିୟତା କରିବା ଲାଗି ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି। ହକି ମ୍ୟାଚ ଦେଖିବା ଲାଗି ଓଡ଼ିଶା ଦର୍ଶକଙ୍କ ଉତ୍ସାହ ରହିଥିବା ବେଳେ ବିଶ୍ୱରେ ବେଶ୍‍ ଲୋକପ୍ରିୟତା ହାସଲ କରିବ। ପ୍ରତିଯୋଗିତା ଆରମ୍ଭହେବା ପାଇଁ ଏବେ ପାଖାପାଖି ୬ ମାସ ସମୟ ରହିଛି। ଏଥିଲାଗି ଟିକଟ ବିକ୍ରି ପ୍ରକ୍ରିୟା ହକି ଇଣ୍ଡିଆ ଓ ରାଜ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ ଆରମ୍ଭ ହୋଇଛି। ଟିକଟ ବିକ୍ରି ଆରମ୍ଭ ପ୍ରତିଯୋଗିତା ଲାଗି ଉତ୍ସାହ ବୃଦ୍ଧିକରିବ ବୋଲି ହକି ଇଣ୍ଡିଆ ସିଇଓ ଏଲିନା ନର୍ମାନ କହିଛନ୍ତି। ହକି ଇଣ୍ଡିଆ ସଭାପତି ରାଜିନ୍ଦର ସିଂହ କହିଥିଲେ, ଭୁବନେଶ୍ୱରରେ ହକି ବିଶ୍ୱଲିଗ୍‍ ଫାଇନାଲ, ଚମ୍ପିଆନ୍‍ସ ଟ୍ରଫି ହକି ଭଳି ଅନ୍ତର୍ଜାତୀୟ ପ୍ରତିଯୋଗିତା ସଫଳ ହୋଇଛି। ବିଶ୍ୱକପ ହକି ପ୍ରତିଯୋଗିତା ସବୁଠାରୁ ସଫଳ ହେବ। ଦର୍ଶକମାନଙ୍କୁ ପ୍ରତିଯୋଗିତା ବେଶ ଉତ୍ସାହିତ କରିବ ବୋଲି କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ କ୍ରୀଡ଼ା ଓ ଯୁବସେବା ବିଭାଗ ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ପ୍ରତିଯୋଗିତାରେ ମୋଟ ୧୬ଟି ଦଳ ଅଂଶଗ୍ରହଣ କରିବେ। ୨୮ରେ ଉଦ୍‍ଘାଟନୀ ମ୍ୟାଚ୍‍ ବିଶ୍ୱର ୩ ନମ୍ବର ଦଳ ବେଲଜିୟମ୍‍ ୧୧ ନମ୍ବର ଦଳ କାନାଡ଼ା ମଧ୍ୟରେ ଖେଳାଯିବା ବେଳେ ୨ୟ ମ୍ୟାଚ୍‍ରେ ଘରୋଇ ଭାରତର ମୁକାବିଲା ଦକ୍ଷିଣ ଆଫ୍ରିକା ବିରୋଧରେ ହେବ।

Leave A Reply