ଭୁବନେଶ୍ବର : ହୀରାକୁଦ ଡ୍ୟାମ୍ର ଜଳଧାରା ମଝିରେ ଥିବା ଦ୍ବୀପର ଉନ୍ନତିକରଣ କରାଯିବ। କର୍ଣ୍ଣାଟକରେ ଥିବା ବୃନ୍ଦାବନ ଗାର୍ଡେନ୍ ଢ଼ାଞ୍ଚାରେ ଏହି ଦ୍ବୀପର ବିକାଶ କରାଯାଇ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳରେ ପରିଣତ କରିବା ପାଇଁ ସରକାରୀ ସ୍ତରରେ ନିଷ୍ପତ୍ତି ହୋଇଛି। ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ସମ୍ପର୍କିତ ଉନ୍ନୟନ କମିଶନର ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ କୁହାଯାଇଛି।
ହସ୍ତଗତ ସୂଚନା ଅନୁସାରେ, ହୀରାକୁଦ ଡ୍ୟାମ୍ ତଳେ ୩୦୦ ଏକର ଆୟତନ ବିଶିଷ୍ଟ ଦ୍ବୀପ ରହିଛି। ଜଳ ସମ୍ପଦ ବିଭାଗ ଅଧୀନରେ ଥିବା ଏହି ଦ୍ବୀପର ଉଭୟ ପାର୍ଶ୍ବରେ ମହାନଦୀ ପ୍ରବାହିତ ହେଉଛି। ବହୁବର୍ଷ ପୂର୍ବରୁ ଏହି ଦ୍ବୀପରେ ସୁନ୍ଦର ବଗିଚା ଥିଲା ଏବଂ ଏଠାକୁ ବୁଲିବା ପାଇଁ ଲୋକେ ଯାଉଥିଲେ। କିନ୍ତୁ କାଳକ୍ରମେ ଏହି ଦ୍ବୀପ ଜରାଜୀର୍ଣ୍ଣ ଅବସ୍ଥାକୁ ଚାଲିଆସିଲା। ତେବେ ବର୍ତ୍ତମାନ ଏହି ଦ୍ବୀପକୁ ପୁଣିଥରେ ପର୍ଯ୍ୟଟକ ସ୍ଥଳରେ ପରିଣତ କରିବା ପାଇଁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। କର୍ଣ୍ଣାଟକର ବୃନ୍ଦାବନ ଗାର୍ଡେନ୍ ଢ଼ାଞ୍ଚାରେ ଏହି ଦ୍ବୀପରେ ବିରାଟ ଆମୋଦ ସ୍ଥଳ ନିର୍ମାଣ କରିବା ପାଇଁ ଯୋଜନା ହୋଇଛି। ସେଠାରେ ହୋଟେଲ, ରିସୋର୍ଟ, ଆଲୋକମାଳାରେ ସଜ୍ଜିତ ଜଳ ଫୁଆରା, ପାର୍କ, ସମ୍ମିଳନୀ କକ୍ଷ ସହିତ ମନୋରଞ୍ଜନର ଅନେକ ସୁବିଧା ଉପଲବ୍ଧ ହେବ। ହୀରାକୁଦ ପକ୍ଷରୁ ଦ୍ବୀପକୁ ଯିବା ପାଇଁ ପାଣିରେ ଅଧା ବୁଡ଼ି ରହିଥିବା ଏକ ସଡ଼କ ନିର୍ମାଣ କରାଯିବ। ସେଠାରେ ପର୍ଯ୍ୟଟକ ବୁଲାବୁଲି କରିବା ସହ ରାତ୍ରିଯାପନ କରିପାରିବେ। ଏହି ସ୍ଥାନରୁ ହୀରାକୁଦ ଡ୍ୟାମ୍, ଦେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟ, ଘଣ୍ଟେଶ୍ବରୀ ମନ୍ଦିର, ହୁମ୍ମା ମନ୍ଦିର, ସମଲେଶ୍ବରୀ ମନ୍ଦିର ଭଳି ପ୍ରମୁଖ ପର୍ଯ୍ୟଟକ ସ୍ଥଳକୁ ଲୋକେ ଯାଇପାରିବେ। ଏହା ବ୍ୟତୀତ ପାୱାର୍ ଚ୍ୟାନେଲ୍ ଚତୁଃପାର୍ଶ୍ବରେ ଥିବା ଅଣବ୍ୟବହୃତ ଜମିରେ ପାର୍କ ନିର୍ମାଣ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ। ପ୍ରକଳ୍ପରେ ଅର୍ଥ ବିନିଯୋଗ ପାଇଁ ଏମ୍ସିଏଲ୍, ଓଡ଼ିଶା ଜଳ ବିଦ୍ୟୁତ ନିଗମ (ଓଏଚ୍ପିସି) ଭଳି କର୍ପୋରେଟ୍ ସଂସ୍ଥାଙ୍କୁ ପ୍ରସ୍ତାବ ଦେବେ ରାଜ୍ୟ ସରକାର।



