ସମ୍ବଲପୁର (ସ୍ୱତନ୍ତ୍ର ପ୍ରତିନିଧି) : ପଶ୍ଚିମ ଓଡ଼ିଶାର ୮ଟି ଜିଲ୍ଳାରେ ମରୁଡ଼ି ସମ୍ଭାବନା ସୃଷ୍ଟି ହୋଇଛି। ମୌସୁମି ଆଗମନର ଦେଢ଼ମାସ ପରେ ମଧ୍ୟ ଏହି ଆଠଟି ଜିଲ୍ଲାରେ ସ୍ୱଭାବିକ ବର୍ଷା ହୋଇ ନାହିଁ। ଗତ ୨ରୁ ୩ ଦିନ ମଧ୍ୟରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇଥିଲେ ମଧ୍ୟ ତାହା ପର୍ଯ୍ୟାପ୍ତ ନୁହେଁ। ଇତିମଧ୍ୟରେ ହୀରାକୁଦ ନଦୀବନ୍ଧର ଜଳସ୍ତର ହ୍ରାସ ପାଇଛି। ଉପରମୁଣ୍ଡ ଅର୍ଥାତ ଛତିଶଗଡ଼ରେ ଅଧିକ ବର୍ଷା ନ ହେବାରୁ ତଥା ଅଧିକ ପାଣି ଛଡା ନ ଯିବାରୁ ଏ ଭଳି ସ୍ଥିତି ସୃଷ୍ଟି ହୋଇଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୩୦ ଫୁଟ୍ ରହିବା କଥା, ଯାହା ଏବେ ୫୯୮ ଫୁଟ ରହିଛି। ତେବେ ଶୁକ୍ରବାର ବର୍ଷା ପରିମାଣ ବୃଦ୍ଧି ପାଇବାରୁ ଜଳସ୍ତର ୬୦୦ ଫୁଟରେ ପହଞ୍ଚିିଛି। ଯାହା ଏବେ ମଧ୍ୟ ଆବଶ୍ୟକତାଠାରୁ ୩୦ ଫୁଟ୍ କମ୍।
ଜଳଭଣ୍ଡାରର ସମସ୍ତ ଗେଟ ବନ୍ଦ ରହିଛି। ହୀରାକୁଦ ସେଚାଞ୍ଚଳ ପାଇଁ ୨,୭୫୫ କ୍ୟୁସେକ ଏବଂ ଶିଳ୍ପାଞ୍ଚଳ ପାଇଁ ୧୭୦ କ୍ୟୁସେକ ଜଳ ଦିଆଯାଉଛି। ହୀରାକୁଦ ଜଳଭଣ୍ଡାରର ପଛପଟେ ନିର୍ମିତ ରିଜର୍ଭର(ଜଳାଶୟ)ରେ ମଧ୍ୟ ବହୁତ କମ୍ ପାଣି ରହିଛି। କୃଷି ବିଭାଗର କହିବା ଅନୁସାରେ ବରଗଡ଼, ବଲାଙ୍ଗୀର, ବୌଦ୍ଧ, ଦେବଗଡ଼, ନୂଆପଡ଼ା, ସମ୍ବଲପୁର, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ ଆଦି ଜିଲ୍ଲାରେ ବହୁତ କମ୍ ବର୍ଷା ହୋଇଛି। ସୁନ୍ଦରଗଡ଼ରେ ମାତ୍ର ୪୪.୬୮ ପ୍ରତିଶତ ବର୍ଷା ହୋଇଛି। ସମ୍ଭାବ୍ୟ ମରୁଡ଼ିକୁ ନେଇ କୃଷକମାନେ ଭୟଭୀତ ହୋଇପଡିଛନ୍ତି। ଧାନ ରୁଆ ଓ ବେଉଷଣ କାର୍ଯ୍ୟ ପଛେଇ ଯାଇଛି। ବିଲରେ ତଳି ମରି ନଷ୍ଟ ହେବାକୁ ବସିଛି। ତେବେ ପାଣିପାଗ ବିଭାଗ ଅନୁସାରେ ଅଗଷ୍ଟ ୪ ତାରିଖରୁ ବର୍ଷାର ସମ୍ଭାବନା ରହିଛି।
ଗତବର୍ଷ ୪୮ କୃଷକ ଆତ୍ମହତ୍ୟା କରିଥିଲେ- ଲିଙ୍ଗରାଜ

ତେବେ ପଶ୍ଚିମ ଓଡ଼ିଶାରେ ମରୁଡ଼ି କୌଣସି ନୂଆ କଥା ନୁହେଁ। ଏଠାରେ କୃଷକମାନେ ମାନସିକ ଚାପର ଶିକାର ହୋଇ ଆତ୍ମହତ୍ୟା କରୁଛନ୍ତି। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ପ୍ରମୁଖ ଏଠାରେ ସାଧାରଣ ସଭା ଓ ରାଲି କରି କୃଷକମାନଙ୍କ ମନ ଜିଣିବାକୁ ଚେଷ୍ଟା କରିଛନ୍ତି। ଅନ୍ୟପକ୍ଷରେ ପଶ୍ଚିମ ଓଡ଼ିଶା କୃଷକ ସମନ୍ୱୟ ସମିତିର ସଂଯୋଜକ ତଥା କୃଷକ ଲିଙ୍ଗରାଜ କହିଛନ୍ତି ଯେ, ୨୦୧୭-୧୮ରେ ରାଜ୍ୟରେ ୨୦୦ କୃଷକ ଆତ୍ମହତ୍ୟା କରିଥିଲେ, ଯେଉଁଥିରେ କେବଳ ବରଗଡ଼ ଜିଲ୍ଳାର ୪୮ ଜଣ ଚାଷୀ ଥିଲେ। ତାଙ୍କ ସଂଗଠନ ପାଖରେ ଏହାର ସମ୍ପୂର୍ଣ୍ଣ ତାଲିକା ରହିଛି। କିନ୍ତୁ ସରକାର ଏହାକୁ ସ୍ୱୀକାର କରିବାକୁ ନାରାଜ। ସରକାର କୃଷମାନଙ୍କ ପ୍ରତି କେତେ ସମ୍ବେଦନଶୀଳ ତାହା ଏଥିରୁ ସ୍ପଷ୍ଟ ଜଣାପଡେ। ଅନ୍ୟ ପକ୍ଷରେ ଜଳସେଚନ ସମସ୍ୟା ମଧ୍ୟ ଚିନ୍ତାଜନକ ହୋଇପଡିଛି।
ତେବେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ହ୍ରାସ ପାଇବାରୁ ବିଜୁଳି ଉତ୍ପାଦନ ମଧ୍ୟ ପ୍ରଭାବିତ ହୋଇଛି। ୩୪୭ ମେଗାୱାଟ ବିଦ୍ୟୁତ ଶକ୍ତି ଉତ୍ପାଦନ କରିବାକୁ ଥିବା ଜଳବିଦ୍ୟୁତ ପ୍ରକଳ୍ପରୁ ୧୦୧ ମେଗାୱାଟ ବିଦ୍ୟୁତ ଶକ୍ତି ଉତ୍ପାଦନ ହେଉଛି।
ହୀରାକୁଦ ଜଳଭଣ୍ଡାରର ଇତିହାସ :

୧୯୫୭ରେ ହୀରାକୁଦ ଡ୍ୟାମ୍ ବା ଜଳଭଣ୍ଡାରକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଥିଲା। ୧୯୪୭ରେ ଦେଶ ସ୍ୱାଧୀନ ହେବା ପରେ ଏହି ବହୁମୁଖୀ ଜଳ ବିଦ୍ୟୁତ ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ୧୯୩୭ରେ ଦେଖାଦେଇଥିବା ଭୟଙ୍କର ବନ୍ୟା ପରେ ବନ୍ୟା ନିୟନ୍ତ୍ରଣ, ଜଳସେଚନ ଓ ବିଦ୍ୟୁତ ଉତ୍ପାଦନ ପାଇଁ ହୀରାକୁଦ ନଦୀବନ୍ଧ ନିର୍ମାଣର ଯୋଜନା କରାଯାଇଥିଲା। ୧୯୪୬ ମାର୍ଚ୍ଚ ୧୫ରେ ଓଡ଼ିଶାର ତତ୍କାଳୀନ ରାଜ୍ୟପାଳ ସାର ହାଥ୍ରୋନ ଲୁଇସ୍ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ୧୯୫୭ରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ବିଧିବଦ୍ଧ ଭାବେ ଏହାର ଉଦଘାଟନ କରିଥିଲେ। ତେବେ ୧୯୬୬ରେ ଏହା ସଂମ୍ପୂର୍ଣ୍ଣ କ୍ଷମତାର ସହିତ କାର୍ଯ୍ୟ କରିବା ଆରମ୍ଭ କରିଥିଲା।
ହୀରାକୁଦ ଜଳଭଣ୍ଡାର ଦ୍ୱାରା କଟକ ଓ ପୁରୀ ଜିଲ୍ଲାର ୯୫୦୦ ବର୍ଗ କିଲୋମିଟର ଡେଲ୍ଟା ଅଞ୍ଚଳକୁ ବନ୍ୟା ସୁରକ୍ଷା ପ୍ରଦାନ କରାଯାଇ ପାରୁଛି। ସେହିପରି ଶାସନ ଓ ବରଗଡ଼ କେନାଲ ଦ୍ୱାରା ବିସ୍ତୃତ ଅଞ୍ଚଳକୁ ଜଳସେଚନ କରାଯାଇ ପାରୁଛି।



