ଝାରସୁଗୁଡ଼ା ଠାରେ ନିର୍ମାଣଧିନ ହାର୍ଟ ହସ୍ପିଟାଲ ଆରମ୍ଭ ନେଇ ପ୍ରସ୍ତୁତି ବୈଠକ
ଭୁବନେଶ୍ବର: ଝାରସୁଗୁଡ଼ା ଠାରେ ନିର୍ମିତ କାର୍ଡ଼ିଆକ କେୟାର ହସ୍ପିଟାଲକୁ ସରକାରୀ ଓ ଘରୋଇ ସହଭାଗିତାରେ ପରିଚାଳନା କରିବା ପାଇଁ ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦେଶର ପ୍ରତିଷ୍ଠିତ କର୍ପୋରେଟ ହସ୍ପିଟାଲ ଗୁଡିକ ସହିତ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ବିଭାଗୀୟ ଶାସନ ସଚିବ ଶାଳିନୀ ପଣ୍ଡିତ, ଜାତୀୟ ସ୍ୱାସ୍ଥ୍ୟ ମିଶନର ନିଦେ୍ଧର୍ଶ କ ଡା. ଡି ବୃନ୍ଦା, ଏମ୍ଏସ, ଦରଭଙ୍ଗାର କାର୍ଯ୍ୟନିର୍ବାହୀ ନିର୍ଦେଶକମାଧବାନନ୍ଦ କର, କ୍ୟାପିଟାଲ ହସ୍ପଟାଲର କାର୍ଡିଓଲୋଜି ନିର୍ଦେଶକ ପ୍ରଭାତ କୁମାର ଦାଶ, ଝାରସୁଗୁଡା ଜିଲାପାଳ ସରୋଜ କୁମାର ସାମଲ ପ୍ରମୁଖ ଉପସ୍ଥିତ ଥିବା ବେଳେ, ଏଥିରେ ଦିଲ୍ଲୀର ମେଦାନ୍ତ ଗ୍ରୁପ, ପାରସ ହସ୍ପିଟାଲ, ହାଇଦ୍ରାବାଦର ଓମେଗା ହସ୍ପିଟାଲ, ଏଆଇଜି ହସ୍ପିଟାଲ, ଆଷ୍ଟର ଗ୍ରୁପ୍, କେରଳ, ଆପୋଲୋ ସ୍ପେକ୍ଟ୍ରା, ଭୁବନେଶ୍ୱରର ଆପୋଲୋ, ଆମ୍ରି, କିମସ୍ ଓ ବରଗଡର ବିକାଶ ଗ୍ରୁପ ଅଫ୍ ହସ୍ପିଟାଲ ପ୍ରମୁଖର ପ୍ରତିନିଧି ମାନେ ଏହି ବୈଠକରେ ଅଂଶ ଗ୍ରହଣ
କରିଥିଲେ।
ଏଠାରେ ସୂଚନା ଯୋଗ୍ୟ ଯେ ପ୍ରାୟ ୫ ଏକର ପରିମିତ ଅଂଚଳରେ ନିର୍ମିତ ଏହି ୧୦୦ ଶଯ୍ୟା ବିଶିଷ୍ଟ କାର୍ଡିଆକ କେୟାର ହସ୍ପିଟାଲ ପାଇଁ ୧୧୩ କୋଟି ବ୍ୟୟ କରାଯାଇଛି। ଏଥିପାଇଁ ମହାନଦୀ କୋଲ ଫିଲ୍ଡ ପକ୍ଷରୁ ଆବଶ୍ୟକ ପାଣ୍ଠି ଯୋଗାଇ ଦିଆଯାଇଛି। ସରକାରଙ୍କ ପକ୍ଷରୁ ଆବଶ୍ୟକ ଯନ୍ତ୍ରପାତିର ବ୍ୟବସ୍ଥା କରାଯାଇଛି। ସେହିପରି ଝାରସୁଗୁଡା ଠାରେ ପ୍ରାୟ ୬ ଏକର ଜମିରେ ୧୬୯ କୋଟି ଟଙ୍କା ବ୍ୟୟରେ ଏକ ୧୨୦ ଶଯ୍ୟା ବିଶିଷ୍ଠ କ୍ୟାନସର କେୟାର ହସ୍ପିଟାଲ ପ୍ରତିଷ୍ଠା କରାଯିବ। ଏଥିପାଇଁ ଜିଲା ମିନେରାଲ ଫଣ୍ଡରୁ ଅର୍ଥ ବ୍ୟୟ କରାଯିବ।
ରାଜ୍ୟର ୮୫% ଅଧିକ ଜନସଂଖ୍ୟା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଅନ୍ତର୍ଗତ ହୋଇ ଥିବା ବେଳେ, ଏଥିରେ ଘରୋଇ ହସ୍ପିଟାଲର ୬୦% ଶଯ୍ୟା ସବୁବେଳେ କାର୍ଡଧାରୀଙ୍କ ଦ୍ୱାରା ପୂରଣ ହେଉଛି। ଏହା ନିଶ୍ଚିତ ଭାବେ ଘରୋଇ ହସ୍ପିଟାଲ ଗୁଡିକ ପାଇଁ ଲାଭ ଦାୟକ ବୋଲି ମନ୍ତ୍ରୀ ଶ୍ରୀ ଦାସ ସୂଚନା ଦେଇଥିଲେ। ଝାରସୁଗୁଡା ଏକ ଶିଳ୍ପ ଭିତ୍ତିକ ଜିଲା ହୋଇଥିବା ସହ ଏଠାକୁ ରେଳ ଓ ଆକାଶ ମାର୍ଗରେ ଗମନାଗମନର ସୁବିଧା ରହିଛି। ଏଠାରେ ମହାନଦୀ କୋଲ ଫିଲ୍ଡ, ଏନ୍ଟିପିସି, ବେଦାନ୍ତ, ଆଦିତ୍ୟ ବିର୍ଲା, ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର, ଆଦାନୀ ଗ୍ରୁପ ଭଳି କର୍ପୋରେଟ ହାଉସ୍ ରହିଥିବା ବେଳେ, ଏଠାରେ ହସ୍ପିଟାଲ ପରିଚାଳନା ପାଇଁ ସମସ୍ତ ଅନୁକୂଳ ପରିସ୍ଥିତି ରହିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରକାଶ କରିଥିଲେ।
ଝାରସୁଗୁଡା ଠାରେ ମଧ୍ୟ ଆଫର୍ଡେବଲ ହେଲଥ୍ କେୟାର ସୁବିଧା ପାଇଁ କେନ୍ଦ୍ର ସରକାର ସ୍ଥାନ ଧାର୍ଯ୍ୟ କରିଥିବା ବେଳେଏଠାରେ ମଲ୍ଟି ସୁପର ସ୍ପେସିଆଲିଟି ସେବା ଉପଲବ୍ଧ ହେବା ସହ ଏହା ସରକାରୀ ଓ ଘରୋଇ ସହଭାଗିତାରେ ପରିଚାଳିତ ହେବ।
ଆଲୋଚନାରେ ଅଂଶଗ୍ରହଣ କରି ବିଭିନ୍ନ କର୍ପୋରେଟ ହସ୍ପିଟାଲର ପ୍ରତିନିଧିମାନେ ସରକାରଙ୍କ ଧାର୍ଯ୍ୟ ନୀତିନିୟମ, ଆନୁସଂଗିକ ସହାୟତା ଓ ସୁବିଧା ସଂପର୍କରେ ଅବଗତ ହୋଇଥିଲେ। କିଛି ପ୍ରତିନିଧି ମଧ୍ୟ ଝାରସୁଗୁଡା ଗସ୍ତରେ ଯାଇ ସ୍ଥିତି ପରଖିବେ ବୋଲି ଜଣା ପଡିଛି।
Comments are closed.