ପାନୀୟଜଳ ଯୋଗାଣ ପ୍ରକଳ୍ପ ବାଟବଣା ; ଆବଶ୍ୟକ ଅନୁସାରେ ମିଳୁନି ପାଣି
ହରଭଙ୍ଗା : ଦିନକୁ ଦିନ ଖରାର ପ୍ରକୋପ ଯେତିକି ମାତ୍ରାରେ ବଢୁଛି ,ତାଠାରୁ ଅଧିକ ପରିମାଣରେ ସବୁ ସ୍ଥାନରେ ପାଣି ସମସ୍ୟା ମୁଣ୍ଡ ଟେକୁଛି। ପିଇବା ପାଣି ଟୋପାଏ ପାଇଁ ନଳକୂଅ ଠାରୁ ଆରମ୍ଭ କରି କୂଅ ଚାରିପାଖରେ ଲୋକେ ସକାଳ ପାଇଲେ ଜନ୍ଦା, ପିମ୍ପୁଡି ପରି ଘେରି ରହୁଥିବା ଦୃଶ୍ୟ ମଧ୍ୟ ନଜରକୁ ଆସିଲାଣି। ବର୍ତମାନଠାରୁ ଏହି ସମସ୍ୟା ଉପରେ ଦୃଷ୍ଟି ନ ଦେଲେ ଆଗକୁ ପାଣି ସମସ୍ୟା ବ୍ଲକ ଅଂଚଳରେ ଉଗ୍ରରୂପ ଧାରଣ କରିବ ତାହା ଏବେଠୁ ଜଳ ଜଳ ହୋଇ ଦିଶିଲାଣି। ଏଭଳି ପରିସ୍ଥିତିରେ ଗ୍ରାମାଚଂଳ ଲୋକଙ୍କ ପାଣି ସମସ୍ୟା ଦୂର ପାଇଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟବରାଦରେ ନିର୍ମାଣ ହୋଇଥିବା ପ୍ରକଳ୍ପରୁ ବର୍ଷ ବର୍ଷ ଧରି ଲୋକଙ୍କ ପିଇବାପାଣି ଆବଶ୍ୟକତା ପୂରଣ ନ କରିପାରିବା ଏକ ଚିନ୍ତାଜନକ ବିଷୟ। ଏଭଳି ଏକ ପ୍ରକଳ୍ପ ହେଉଛି ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଧଳପୁର ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପ।
ପ୍ରକାଶ ଯେ ଧଳପୁର ଗ୍ରାମର ୪ଟି ୱାର୍ଡର ୧୫ ଶହରୁ ଅଧିକ ଜନସାଧାରଣଙ୍କ ପିଇବା ପାଣି ସୁବିଧା ପାଇଁ ଗତ୨୦୧୦-୧୧ ଆର୍ଥିକ ବର୍ଷରେ ଏକ ଗ୍ରାମ୍ୟ ପାନୀୟଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ଲକ୍ଷ ଲକ୍ଷ ଟଙ୍କା ବ୍ୟୟବରାଦରେ ନିର୍ମାଣ ହୋଇଥିବା ଏହି ପ୍ରକଳ୍ପ ପାଇଁ ପ୍ରଥମେ ବୋରୱେଲ, ଟାୱାର .ଟ୍ୟାଙ୍କ ,ପାଇପ୍ ବିଛା କାର୍ଯ୍ୟ ସାଙ୍ଗକୁ ଷ୍ଟାଣ୍ଡ ପୋଷ୍ଟ ସହିତ ବିଦ୍ୟୁତ୍ ସଂଯୋଗ କରାଯାଇଥିଲା। ୨୦୧୧ରେ ପ୍ରକଳ୍ପ ସଂପୂର୍ଣ୍ଣ ପରେ ମଧ୍ୟ ଖରା ଦିନରେ ନିଅଟିଂଆ ସମୟରେ ସ୍ଥାନୀୟ ଲୋକଙ୍କ ପିଇବା ପାଣି ଚାହିଦାକୁ ପୂରଣ କରିପାରୁନାହିଁ। ସକାଳୁ ୧୦ରୁ ୧୫ ମିନିଟ୍ ଓପରଓଳି ଅଧଘଂଟା ଜଳ ଯୋଗାଣ ଯୋଗୁଁ ଅନେକ ଲୋକେ ପିଇବା ପାଣିରୁ ବଂଚିତ ହେଉଛନ୍ତି। ଫଳରେ ଲୋକେ ସକାଳ ପାଇଲେ ପାଣି ପାଇଁ ଷ୍ଟାଣ୍ଡପୋଷ୍ଟରେ ମାଡଧର ହେଉଥିବା ଦେଖିବାକୁ ମିଳିଛି। ଏଭଳି ପ୍ରକଳ୍ପ ଲୋକଙ୍କ ପିଇବାପାଣି ଚାହିଦା ପୂରଣ ନକରିପାରିବା ଘଟଣାକୁ ଗ୍ରାମର ଉତରା ବାରିକ,ଛାୟା ବାରିକ,ରିନା ପ୍ରଧାନ,ମୀନା ବାରିକ,ଉଜ୍ଜଳା ମହାକୁଳ,ପୁଷ୍ପାଞ୍ଜଳି ନାଏକ,ଜ୍ୟୋସ୍ନା ଅମାତ ପ୍ରମୁଖ ଅଭିଯୋଗ ଉଠାଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ପଂଚାୟତ ପକ୍ଷରୁ ଲୋକଙ୍କୁ ଟ୍ୟାଙ୍କର ଯୋଗେ ପିଇବା ପାଣି ଯୋଗାଇବା ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି। ଏ ଦିଗରେ ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟିଦେବାକୁ ଦାବୀ ହେଉଛି।
Comments are closed.