କାଷ୍ଠା ଓ ନିଷ୍ଠାର ଅନନ୍ୟ ଏକ ପରମ୍ପରା ଦଣ୍ଡଯାତ୍ରା
ହରଭଙ୍ଗା : ଓଡିଶାରେ ପାଳନ ହେଉଥିବା ବିଭିନ୍ନ ଯାନି ଯାତ୍ରା ମଧ୍ୟରେ ଦଣ୍ଡଯାତ୍ରାର ଏକ ସ୍ୱତନ୍ତ୍ରତା ରହିଛି। ଚୈତ୍ରମାସର ଢହ ଢହ ଖରାରେ ଏହି ଯାତ୍ରା ଅନୁଷ୍ଠିତ ହୁଏ। କାଷ୍ଠା ,ନିଷ୍ଠାର ସହ ବ୍ରତଧାରୀ ଏହି ଯାତ୍ରାରେ ସାମିଲ ହୋଇଥାନ୍ତି। କଷ୍ଟ ସତ୍ୱେ ଦଣ୍ଡଯାତ୍ରା ପ୍ରତି ଭକ୍ତ ଏବଂ ବ୍ରତଧାରୀଙ୍କ ଆବେଗକୁ ଲକ୍ଷ କଲେ ଏହା ପଛରେ ରହି ଥିବା ଲୁକ୍କାୟିତ ଶକ୍ତି ଥିବା ବାରି ହୋଇପଡେ।
ମହାଦେବ ଶିବଙ୍କ ନାନାବିଧି ଯାତ୍ରା ମଧ୍ୟରେ ଦଣ୍ଡଯାତ୍ରା ରାଜ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ୧୮୧୩ ଖ୍ରୀଷ୍ଟାବ୍ଦରୁ ବୌଦ୍ଧ ଜିଲ୍ଲାରେ ପ୍ରଚଳିତ ହୋଇ ଆସୁଥିବା ଦଣ୍ଡଯାତ୍ରା ଭଳି ଲୋକ ନୃତ୍ୟର ନିଆରା ଅନୁଭୁତିକୁ ରୁଦ୍ଧିମନ୍ତ କଲେ ଏହି ପରମ୍ପର ସହିତ ବହୁ ପୁରାତନ ପୌରାଣିକ ,ଐତିହାସିକ ଅନୁଭୁତି ଜଡିତ ରହିଥିବା ଜଣାଯାଏ। ଅଷ୍ଟମ ଓ ନବମ ଶତାବ୍ଦୀରେ ଯନ୍ତ୍ର , ମନ୍ତ୍ର, ତନ୍ତ୍ରର ବହୁ ପ୍ରଭାବ ରହିଥିଲା। ବୌଦ୍ଧ ସନ୍ୟାସୀମାନେ ମାତୃଶକ୍ତିର ସାଧନା ଦିଗରେ ଉପାସନା ପାଇଁ ଆଦିଶକ୍ତି ଭୈରବୀ, ମାହେଶ୍ୱରୀ, ଅଷ୍ଟକାଳୀ, ଦକ୍ଷୀଣକାଳୀ ଭଳି ଆଦିଶକ୍ତିଙ୍କ ଉପାସନା କରି ମନ୍ତ୍ର, ତନ୍ତ୍ର ବିଦ୍ୟା ସାଧନା କରୁଥିଲେ। ପୂରାତନ କାଳରୁ ପ୍ରଚଳିତ ମନ୍ତ୍ର ,ତନ୍ତ୍ର ବିଦ୍ୟା ସହିତ ଦଣ୍ଡଯାତ୍ରା ପରମ୍ପରା ଜଡିତ ରହିଛି। ଦଣ୍ଡ ନାଚ ବୌଦ୍ଧ ଜିଲ୍ଲାର ପୁରାତନ ଓ ଆଦିମ ପରମ୍ପରା ସହିତ ଜଡିତ।ଓଡିଶାର ବିଭିନ୍ନ ଜିଲ୍ଲାରେ ଦଣ୍ଡଯାତ୍ରା ମଧ୍ୟ ଦେଖିବାକୁ ମିଳିଥାଏ। ବିଭିନ୍ନ ଅଂଚଳରେ ଏହାକୁ ଝାମୁ ନାଟ, ପାଟୁଆ ଯାତ୍ରା, ପଣା ସଂକ୍ରାନ୍ତି, ଚଇତି ପରବ, ଉଡା ପରବ ବୋଲି ମଧ୍ୟ କହିଥାନ୍ତି।
ବିଶେଷ କରି ଓଡିଶାର ବୌଦ୍ଧ, ସୋନପୁର, ନୟାଗଡ, କନ୍ଧମାଳ, ବ୍ରହ୍ମପୁର, କଳାହାଣ୍ଡି ଭଳି ଜିଲ୍ଲାରେ ଏହି ପରମ୍ପରା ନିଷ୍ଠାର ସହିତ ପାଳନ କରାଯାଏ। ଦଣ୍ଡ କହିଲେ ଏକ ବାଡିକୁ ବୁଝାଏ। ଦଣ୍ଡ ଦୁଇଟି ଗୌରୀ ବାଡିର ସମାବେଶ ଗୋଟିଏ ହର ଏବଂ ଅନ୍ୟଟି ପାର୍ବତୀର ପ୍ରତୀକ ରୂପେ ପୂଜା କରାଯାଏ। ଦଣ୍ଡଯାତ୍ରାରେ ମୁଖ୍ୟତଃ ହର, ପାର୍ବତୀଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ। କାଷ୍ଠା ନିଷ୍ଠାର ପର୍ବ ଦଣ୍ଡ ନାଚର ବହୁ ବିଧି ବିଧାନ ରହିଛି। ମୀନ ସଂକ୍ରାନ୍ତିର ୯ ଦିନ ପରେ ଏହି ଯାତ୍ରା ଆରମ୍ଭ ହୋଇ ୨୧, ୧୩, ୧୭ ଦିନ ଧରି ପଣା ସଂକ୍ରାନ୍ତି ପର୍ଯ୍ୟନ୍ତ ପାଳନ ହୋଇଥାଏ। ଜିଲ୍ଲାରେ ଆଜି ମଧ୍ୟ ଦଣ୍ଡଯାତ୍ରା ପର୍ବର ଏକ ସ୍ୱତନ୍ତ୍ରତା ବିଶ୍ୱାସ ରହିଛି। ଭକ୍ତ ମାନଙ୍କ ବିଶ୍ୱାସରେ ମା କାଳୀଙ୍କ ପୂଜାର୍ଚ୍ଚନା, ବ୍ରତ ଉପବାସ ସାଙ୍ଗକୁ ଦଣ୍ଡମାନସିକ ରଖିଲେ ସକଳ ଦୁଃଖ କ୍ଲେଶ ଦୂର ହୋଇଥାଏ। ଘରକୁ ସୁଖଶାନ୍ତି ଫେରି ଆସେ। ବୈଶାଖ ମାସ ପ୍ରଚଣ୍ଡ ଖରାରେ ଦଣ୍ଡଯାତ୍ରା ସମ୍ପନ୍ନ ହେଉଥିବା ବେଳେ ଦଣ୍ଡଯାତ୍ରାରେ ସାମିଲ ଥିବା ପାଟଭୁକ୍ତା, ଦଣ୍ଡୁଆମାନଙ୍କ ଟାଣ ଖରାରେ ଖାଲି ପାଦରେ ଚାଲିବା କଷ୍ଟ ଏବଂ କାଷ୍ଠା ଉପବାସ ଦଣ୍ଡ ସଦୃଶ। ତେଣୁ ଏହାକୁ ଦଣ୍ଡ ଯାତ୍ରା କୁହାଯାଏ। ଏହି ବ୍ରତ ପାଳନ କରୁଥିବା ବ୍ରତଧାରୀମାନେ ମୀନ ସଂକ୍ରାନ୍ତୀଠାରୁ ପଣା ସଂକ୍ରାନ୍ତି ପର୍ଯ୍ୟନ୍ତ ଆମିଷ ସାଙ୍ଗକୁ ପିଆଜ, ରସୁଣ, ମାଦକ ଦ୍ରବ୍ୟ ସବୁକୁ ତ୍ୟାଗ କରିଥାନ୍ତି। ସେହିପରି ଗୋଟିଏ ଓଳି ଅନ୍ନ ଭୋଗ ସହିତ ଦିନ ସାରା ଗୁଡ ପଣା, ସରବତ ପିଇ ରହିଥାନ୍ତି। ସେହପରି ଦଣ୍ଡୁଆ ମାନଙ୍କୁ ପରିଧାନରେ ମଧ୍ୟ ସଂଯମତା ରକ୍ଷା କରିବାକୁ ପଡିଥାଏ। ବ୍ରତଧାରୀଙ୍କୁ କେବଳ ୪ ଖଣ୍ଡ ଧୋତି ଗାମୁଛାରେ ବ୍ରତ ପାଳନ କରିବାକୁ ପଡିଥାଏ।
ଗ୍ରାମରେ ଦଣ୍ଡ ଉଠିବା ଦିନଠାରୁ ଦଣ୍ଡୁଆ, ପାଟଭୁକ୍ତା ଏବଂ ଉପାସିଆମାନେ ଘର ତ୍ୟାଗ କରି କୋଠଘରେ ଠାକୁରଙ୍କ ସହିତ ରାତ୍ରୀ କାଟି ଥାନ୍ତି। ବ୍ରତଧାରୀମାନେ ଆହାର, ନିଦ୍ରା ସଂଯମତାକୁ ପରିହାର କରି ପଣା ସଂକ୍ରାନ୍ତି ପର୍ଯ୍ୟନ୍ତ ପରିବାରଠାରୁ ଦୂରରେ ରହିଥାନ୍ତି। ଦଣ୍ଡ ଉଠିବା ଦିନ ଠାରୁ ସ୍ଥାନୀୟ ଗ୍ରାମବାସୀ ଆମିଷ ପରିହାର କରିଥାନ୍ତି। ଏଭଳି ଉପାସାନା କଲେ ରୋଗ, ଦୁଃଖ, କ୍ଲେଶରୁ ମୁକ୍ତି ମିଳିଥାଏ ବୋଲି ବହୁ ମାନସିକଧାରୀ ନିଜ ଅଗଣାରେ ଦଣ୍ଡନାଚ ରଖିଥାନ୍ତି।। ଦଣ୍ଡ ଯାତ୍ରା ପରମ୍ପରା ସହିତ ଜଡିତ ଥିବା ବିଭିନ୍ନ ପ୍ରକାର ନାଚ, ଗୀତ ସାଙ୍ଗକୁ ଧୂଳି ଦଣ୍ଡ , ଦାଣ୍ଡାଳୀ ନାଚର ଏକ ସ୍ୱତନ୍ତ୍ରତା ରହିଛି। ପ୍ରାତଃ ସମୟରେ ମାନସିକଧାରୀଙ୍କ ଘର ସମ୍ମୁଖରେ ଠାକୁର ଭୋଗ ଖାଇଥାନ୍ତି। ଦିନ ଦ୍ୱିପହରରେ ଟାଣ ଖରାରେ ଧୂଳି ଦଣ୍ଡ ଅନୁଷ୍ଠିତ ହୋଇଥାଏ।
ଧୂଳି ଦଣ୍ଡ ସମୟରେ ଦଣ୍ଡୁଆମାନଙ୍କ ଦ୍ୱାରା ତତଲା ବାଲି ଉପରେ ୨୧ ପ୍ରକାର ଦଣ୍ଡ ପ୍ରଦର୍ଶନ କରିଥାନ୍ତି। ରାତ୍ରୀରେ ଅନୁଷ୍ଠିତ ନାଚ ମଧ୍ୟରେ ପରଭା ନାଚ, ଦାଣ୍ଡାଳି ନାଚ, କେଳା କେଲୁଣୀ ନାଚ, ପତରାଉରାଣୀ ନାଚ, ହର ପାର୍ବତୀ ନାଚ, ବିଣାକାରୀଆ ନାଚ ଲୋକଙ୍କ ମନକୁ ବେଶ ଆକୃଷ୍ଟ କରିଥାଏ। ପାଣା ସଂକ୍ରାନ୍ତି ବା ବିଷୁବ ସଂକ୍ରାନ୍ତି ଦିନ ଦଣ୍ଡଯାତ୍ରା ପାଇଁ ଗ୍ରାମରେ ଏକ ସତନ୍ତ୍ର ଯାତ୍ରାର ଆୟୋଜନ କରାଯାଇଥାଏ।
ଏହି ଦିନ ଠାକୁର ଦେଶ ଭ୍ରମଣ ସାରି ଘରକୁ ଫେରିଥାନ୍ତି। ସେଦିନ ଗ୍ରାମରେ ଠାକୁରଙ୍କ ପ୍ରବେଶ ପୂର୍ବରୁ ସ୍ୱତନ୍ତ୍ର ସ୍ୱାଗତ ପାଇଁ ବହୁ ସ୍ଥାନରେ ତୋରଣ ସହିତ ଗାଁ ,ଦାଣ୍ଡ ପରିଷ୍କାର କରାଯାଇ ରୀତିନିତି ଅନୁସାରେ ଖେଳ ,କୀର୍ତନ ସହିତ ଠାକୁରଙ୍କୁ ଗ୍ରାମ ମଧ୍ୟକୁ ପାଛୋଟି ନିଆଯାଏ। ଗ୍ରାମକୁ ପ୍ରବେଶ ସମୟରେ ଠାକୁରଙ୍କ ଦର୍ଶନ ପାଇଁ ଗ୍ରାମ ଲୋକାରଣ୍ୟ ହୋଇ ଉଠେ।ବାଜା, ଢୋଲ, ପେଁ କାଳି ସହିତ ତୁରୀ ମହୁରୀରେ ଠାକୁରଙ୍କ ଛତ୍ର ଛତ୍ରୀ, ବାନା ବଇରଖରେ ଗାଁ ଦାଣ୍ଡ ଫୁଲି ଉଠେ। ଦାଣ୍ଡାଳି ନାଚର ତାଳେ ତାଳେ ଗ୍ରାମ ମଧ୍ୟକୁ ଠାକୁର ପ୍ରବେଶ ସମୟର ଦୃଶ୍ୟ ଅତ୍ୟନ୍ତ ନିଆରା । ସଂନ୍ଧ୍ୟା ସମୟରେ କାମନା ମନ୍ଦିର ସମ୍ମୁଖରେ ଏକ ହୋମଯଜ୍ଞ ଆୟୋଜନ କରାଯାଇଥାଏ। ହୋମଯଜ୍ଞ ଶେଷପରେ ଦଣ୍ଡୁଆମାନେ ନିଆଁ ଉପରେ ଝୁଲିଥାନ୍ତି। ସେ ଦିନ ଠାକୁରଙ୍କ ନିକଟରେ ନୂଆ ଆମ୍ବ ଲାଗି କରାଯାଇଥାଏ। ତାପରେ ସମସ୍ତେ ଆମ୍ବ ଖାଇଥାନ୍ତି। ମଧ୍ୟ ରାତ୍ରୀରେ ଦଣ୍ଡନାଚ ଅନୁଷ୍ଠିତ ହୋଇଥାଏ। ନିର୍ଜ୍ଜନ ରାତ୍ରୀରେ ଦଣ୍ଡ ଛପା ଯାଇ ଯାତ୍ରା ଶେଷ ହୋଇଥାଏ। ପରଦିନ ଗାଁ ଦାଣ୍ଡରେ ମଣିମା ଆମିଷ ଭୋଜି ଭାତ କରାଯାଇ ସମସ୍ତେ ମାଙ୍କ ଭୋଗ ପାଇଥାନ୍ତି। କାଷ୍ଠା, ନିଷ୍ଠାର ପର୍ବ ଦଣ୍ଡଯାତ୍ରାର ଜିଲ୍ଲାରେ ଏକ ସ୍ୱତନ୍ତ୍ରତା ରହିଛି। ଏହାକୁ ଜନସାଧାରଣ ଅତ୍ୟନ୍ତ ଆନନ୍ଦ ଉଲ୍ଲାସରେ ପାଳନ କରୁଥିବା ଆଜି ମଧ୍ୟ ଦେଖିବାକୁ ମିଳୁଛି।
Comments are closed.