ଅନିଶ୍ଚିତତା ମଧ୍ୟରେ ହରଭଙ୍ଗା ମେଗା ପାଇପ୍ ପ୍ରକଳ୍ପ ନିର୍ମାଣକାର୍ଯ୍ୟ

ହରଭଙ୍ଗା : ତିନିମାସ ହେଲା ସରିଲାଣି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ମିଆଦି ,ମାତ୍ର ନିର୍ମାଣ କାର୍ଯ୍ୟ ପୁରା କଛପ ଗତିରେ ଚାଲିଥିବାରୁ ଏଥର ବି ଲୋକେ ପ୍ରକଳ୍ପରୁ ପିଇବା ପାଣି ଟୋପାଏ ପିଇବା ପାଇଁ ଆଶା ଛାଡି ଦେଲେଣି। ଯାହାଫଳରେ ପ୍ରକଳ୍ପ ନିର୍ମାଣକାର୍ଯ୍ୟ
ପାଇପ୍ ପୋତା ଦେଖି ଦେଖି ଏଥର ବି ହରଭଙ୍ଗା ବ୍ଲକବାସୀଙ୍କ ଖରାଦିନେ ଶୋଷ ମେଂଟାଇବା ଛଡା ଅନ୍ୟ ଉପାୟ ନାହିଁ ବୋଲି ମତପ୍ରକାଶ ପାଉଛି। ଏଲ ଏଣ୍ଡ ଟି କମ୍ପାନୀର ଏଭଳି ମନମୁଖୀ କାର୍ଯ୍ୟ ଯୋଗୁଁ ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ଅହେତୁକ ମନ୍ଥରତା ସୃଷ୍ଟି ହୋଇଛି ବୋଲି ଅଭିଯୋଗ ହେଉଛି। ଏହାର ତଦାରଖ ପାଇଁ ଭୁବନେଶ୍ୱରରୁ ପ୍ରତି ମାସରେ ଜଣେ ମେଗା ଏକ୍ସପର୍ଟ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସମୀକ୍ଷା ପାଇଁ ଆସୁଛନ୍ତି। ମାତ୍ର ପ୍ରକଳ୍ପକାର୍ଯ୍ୟ ଅଗ୍ରଗତିକୁ ନେଇ ଆଦୌ ସନ୍ତୋଷ ନଥିବା ଜଣାପଡିଛି। ଏ ନେଇ ମେଗା ଏକ୍ସପର୍ଟ ନକରାତ୍ମକ ରିପୋର୍ଟ ସରକାରଙ୍କୁ ପ୍ରଦାନ କରୁଥିଲେ ମଧ୍ୟ କମ୍ପାନୀ ଉପରେ ସେ ଭଳି କୌଣସି ଚାପ ପଡୁନାହିଁ। ଯାହାଫଳରେ ପ୍ରକଳ୍ପ କାର୍ଯ୍ୟ ଶେଷହେବା ପାଇଁ କେତେ ମାସ ସମୟ ଲାଗିବ ତାହାର ଉତର ମଧ୍ୟ କାହାପାଖରେ ନଥିବା ଜଣାପଡିଛି।
ଯାହାଫଳରେ ହରଭଙ୍ଗା ବୃହତ୍ ପାଇପ୍ ଜଳ ଯୋଗାଣ ପ୍ରକଳ୍ପରୁ ଲୋକେ ପାଣି ପାଇବା ଏକପ୍ରକାର ଆଶା ଛାଡି ଦେଇଛନ୍ତି। ପ୍ରକାଶ ଯେ ବହୁତ ଦିନର ଦାବୀ ପରେ ହରଭଙ୍ଗାଠାରେ ଜଳ ଜୀବନ ମିଶନ ଯୋଜନାରେ ଗତ ୧୫ ନଭେମ୍ବର ୨୦୨୧ରୁ ୧୯୫ କୋଟି ୭୦ଲକ୍ଷ ଟଙ୍କା ବ୍ୟୟବରାଦରେ ବୃହତ୍ ପାଇପ୍ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ ନିର୍ମାଣଧିନ ରହିଛି। ପ୍ରକଳ୍ପ ନିର୍ମାଣ ମିଆଦି ୨ବର୍ଷ ରହିଛି। ଗତ ନଭେମ୍ବର ମାସରେ ନିର୍ମାଣ ମିଆଦି ସରିଥିବାବେଳେ ଏଯାବତ୍ ୬୦ ପ୍ରତିଶ୍ରତରୁ କମ୍ କାର୍ଯ୍ୟ ସରିଥିବା ଜଣାପଡିଛି। ପ୍ରକଳ୍ପ ନିର୍ମାଣ କାର୍ଯ୍ୟ କଛପଗତିରେ ଚାଲିଥିବା ଦେଖିବାକୁ ମିଳିଛି। କମ୍ପାନୀ କତୃପକ୍ଷ ନିଜଦ୍ୱାରା ସମସ୍ତ କାର୍ଯ୍ୟ କରିବା ପରିବର୍ତେ ଥାର୍ଡପାର୍ଟୀ ଠିକାଦାରଙ୍କୁ କାର୍ଯ୍ୟରେ ନିୟୋଜିତ କରୁଥିବାରୁ ନିର୍ମାଣର ମାନ ଉପରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରୁଛି।
ସୂଚନା ଅନୁସାରେ ପ୍ରକଳ୍ପ ମିଆଦି ଗତ ୧୪ ନଭେମ୍ବର ୨୦୨୩ରେ ଶେଷ ହୋଇସାରିଛି। ମିଆଦି ସମୟ ସୀମାର ୨ବର୍ଷ ପରେ ମଧ୍ୟ ଏଯାବତ୍ ୩୮ଟି ଓଭରହ୍ୟାଡ ଟ୍ୟାଙ୍କ ନିର୍ମାଣ ଆବଶ୍ୟକତା ଥିବାବେଳେ ସେଥିରୁ ମାତ୍ର ହାତଗଣତି ୦୩ଗୋଟି ଓଭରହ୍ୟାଡ୍ ଟ୍ୟାଙ୍କ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ୦୫ଟି ଓଭରହ୍ୟାଡ ଟ୍ୟାଙ୍କ କାର୍ଯ୍ୟ ତ୍ୱରାନ୍ୱିତ ଥିବାବେଳେ ଜଙ୍ଗଲ ଜମି ଅଧିଗ୍ରହଣ ଯୋଗୁଁ ଓଭରହ୍ୟାଡ ଟ୍ୟାଙ୍କ କାର୍ଯ୍ୟରେ ଅଗ୍ରଗ୍ରତି ହୋଇ ପାରୁନାହିଁ। ଏପରିକି ଗୋଟିଏ ଓାଟର ଟ୍ରିଟମେଂଟ ପ୍ଲାଂଟ (ଡବ୍ଲୁ.ଟି.ପି) କାର୍ଯ୍ୟ ମଧ୍ୟ ଏଯାଏଁ ସମ୍ପୂର୍ଣ୍ଣ ହୋଇପାରିନାହିଁ। ସେହିପରି ଗୋଟିଏ ଇନଟେକ ଓଲ କାର୍ଯ୍ୟ ମଧ୍ୟ ସରିପାରିନାହିଁ। ୭୮୦ମିଟର ପାଇପ୍ ଲାଇନ ନିର୍ମାଣକାର୍ଯ୍ୟ ରହିଥିଲେ ମଧ୍ୟ ଏଯାବତ୍ ୫୯୧ମିଟର ପାଇପ୍ ବିଛା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି।
ମାତ୍ର ପାଇପ୍ ପୋତିବା ପାଇଁ କମ୍ପାନୀ ମାଟିଖୋଳୁଥିବାବେଳେ ପାଇପ୍ ପୋତିବା ପରେ ମାଟିକୁ ସଠିକ ଢଙ୍ଗରେ ବିଛାଉନଥିବା ଦେଖିବାକୁ ମିଳିଛି। ସବୁ ପ୍ରକାର କାର୍ଯ୍ୟ ଅଧପନ୍ତରିଆ ଅବସ୍ଥାରେ ରହିଥିବାବେଳେ ପ୍ରକଳ୍ପ କାର୍ଯ୍ୟରେ ଅହେତୁକ ବିଳମ୍ବ ସମସ୍ତଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ପ୍ରକଳ୍ପ ତଦାରଖ ଦାୟିତ୍ୱରେଥିବା ଓାପକସ ନାମକ ଥାର୍ଡପାର୍ଟୀ କନସଲଟାଂଟ ପ୍ରକଳ୍ପ କାର୍ଯ୍ୟ ସଠିକ  ତଦାରଖ କରୁନଥିବାରୁ ଏଭଳି ସମସ୍ୟା ଉପୁଜୁଥିବା ଅଭିଯୋଗ ହେଉଛି। ଲୋକଙ୍କ ଟିକସ ପଇସାରେ ଏତେବଡ ପ୍ରକଳ୍ପର ଭବିଷ୍ୟତକୁ ନେଇ ବ୍ଲକବାସୀ ଅନ୍ଧାରରେ ରହିଥିବାବେଳେ ବେଳେ ପ୍ରକଳ୍ପ କାର୍ଯ୍ୟ କେବେ ସରିବ ଲୋକଙ୍କୁ କେବେ ପାଣି ମିଳିବ ତାହାର ଉତରଦାୟିତ୍ୱ ଉପରେ ଏବେଠାରୁ ଜିଲ୍ଲାପାଳ ଜୋର ନଦେଲେ ସବୁଓଲଟପାଲଟ ହେବା ଜଳ ଜଳ ହୋଇ ଦିଶୁଛି। ଅନ୍ୟପଟେ ଜଙ୍ଗଲ ଜମି ଅଧିଗ୍ରହଣ ପାଇଁ ବନବିଭାଗ ମଧ୍ୟ ଏଥିରେ ସହଯୋଗ କରିବାର ଆବଶ୍ୟକତା ରହିଛି। ଲୋକଙ୍କ ସ୍ୱାର୍ଥ ଏବଂ ପିଇବା ପାଣି ଭଳି ମୌଳିକ ଅଧିକାର ଦୃଷ୍ଟିକୋଣରୁ ପ୍ରକଳ୍ପ କାର୍ଯ୍ୟ ଶେଷଦିଗରେ ଜଳ ଓ ପରିମଳ ବିଭାଗ ସଚିବ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବୀ ହେଉଛି।

 

Comments are closed.