ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତଳଗାଁ ନୋଡାଲ ହାଇସ୍କୁଲରେ ମଧ୍ୟାହ୍ନ ଭୋଜନ(ଭାତ) ପ୍ରସ୍ତୁତି ପ୍ରଣାଳୀ ଉଲ୍ଲଂଘନକୁ ନେଇ ସ୍ଥାନୀୟ ସିଆରସିସି, ପ୍ରଧାନଶିକ୍ଷକ ଏବଂ ମଧ୍ୟାହ୍ନ ଭୋଜନ ଦାୟିତ୍ୱରେ ଥିବା ଶିକ୍ଷକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବୌଦ୍ଧ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁଙ୍କ ନିର୍ଦ୍ଦେଶକ୍ରମେ ତିନି ଦିନ ମଧ୍ୟରେ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯିବ ସହ ଏପ୍ରିଲ ମାସର ଦରମା ବନ୍ଦ ପାଇଁ ଜିଲ୍ଲା ଶିକ୍ଷାଧିକାରୀ ନିର୍ଦ୍ଦେଶ ଦେଇଛନ୍ତି।
ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୨୦୦୦/୧୩/୦୪/୨୩ ଅନୁସାରେ, ଗତ ୧୦ ତାରିଖ ଦିନ ବୌଦ୍ଧ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ ତଳଗାଁ ନୋଡାଲ ହାଇସ୍କୁଲ ପରିଦର୍ଶନରେ ଯାଇଥିଲେ। ପରିଦର୍ଶନ ସମୟରେ ମଧ୍ୟାହ୍ନ ଭୋଜନ ପାଇଁ ଯୋଗାଇ ଦିଆଯାଉଥିବା ଭିଟାମିନଯୁକ୍ତ ଫୋର୍ଟିଫାଏଡ ଚାଉଳ ରୋଷେଇ ପ୍ରଣାଳୀ ଅନୁପାଳନ ହେଉନଥିବା ଦେଖିବାକୁ ପାଇ କ୍ଷୋଭ ପ୍ରକାଶ କରିଥିଲେ। ଏ ସଂକ୍ରାନ୍ତରେ ଗତ ୧୮ ଜାନୁଆରୀରେ ଫୋର୍ଟିଫାଏଡ ଚାଉଳ ରୋଷେଇ ପ୍ରସ୍ତୁତ ପ୍ରଣାଳୀ ଏବଂ ସାଇତି ରଖିବା ବିଷୟରେ ସିଆରସିସିମାନଙ୍କୁ ବୈଠକ ଜରିଆରେ ସଚେତନ କରାଯାଇଥିଲା। ଏହା ସହିତ ସେମାନେ ଏ ବାବଦରେ ପ୍ରଧାନଶିକ୍ଷକମାନଙ୍କୁ ସଚେତନ କରିବା ପାଇଁ ମଧ୍ୟ କୁହାଯାଇଥିଲା। ଏହାସତ୍ୱେ ସେଦିନ ତଳଗାଁ ନୋଡାଲ ହାଇସ୍କୁଲରେ ମଧ୍ୟାହ୍ନ ଭୋଜନ ଫୋର୍ଟିଫାଏଡ ଚାଉଳ ରୋଷେଇ ପ୍ରସ୍ତୁତ ପ୍ରଣାଳୀ ଉଲ୍ଲଂଘନ ଘଟଣା ସ୍ଥାନୀୟ ସିଆରସିସି, ପ୍ରଧାନଶିକ୍ଷକ ଏବଂ ମଧ୍ୟାହ୍ନ ଭୋଜନ ଦାୟିତ୍ୱରେ ଥିବା ଶିକ୍ଷକଙ୍କ ଅବହେଳା ବୋଲି ପତ୍ରରେ ଦର୍ଶାଯାଇଛି। ଆସନ୍ତା ୩ଦିନ ମଧ୍ୟରେ କାରଣ ଦର୍ଶାଅ ନୋଟିସର ଉତ୍ତର ରଖିବାକୁ କୁହାଯାଇଛି। ଏହା ସହିତ ଏପ୍ରିଲ ମାସର ଦରମା ବନ୍ଦ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏ ସମ୍ପର୍କରେ ହରଭଙ୍ଗା ବ୍ଲକ ସହକାରୀ ଗୋଷ୍ଠି ଶିକ୍ଷାଧିକାରୀ ସ୍ୱରାଜ କହଁରଙ୍କୁ ପଚାରିବାରୁ ମଧ୍ୟାହ୍ନ ଭୋଜନ ଚାଉଳ ରୋଷେଇ ପ୍ରସ୍ତୁତ ପ୍ରଣାଳୀ ଉଲ୍ଲଂଘନ ଯୋଗୁଁ ସିଆରସିସି, ପ୍ରଧାନଶିକ୍ଷକ ଏବଂ ମଧ୍ୟାହ୍ନଭୋଜନ ଦାୟିତ୍ୱରେ ଥିବା ଶିକ୍ଷକଙ୍କ ଦରମା ବନ୍ଦ ପାଇଁ ଡିଇଓ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଥାଉ କି, ସ୍କୁଲ ପିଲାଙ୍କୁ ମଧ୍ୟାହ୍ନଭୋଜନ ପାଇଁ ସରକାର ଭିଟାମିନଯୁକ୍ତ(ଫୋର୍ଟିଫାଏଡ) ଚାଉଳ ଯୋଗାଉଛନ୍ତି। ଏଥିରେ ଭିଟାମିନ-ଏ, ଭିଟାମିନ-ବି୧୨, ଭିଟାମିନ-ବି୧, ଆଇରନ, ଜିଙ୍କ୍ ଏବଂ ଫଲିକ ଏସିଡ ଭଳି ଭିଟାମିନ ରହିଛି। ଏହାର ପ୍ରସ୍ତୁତି ପାଇଁ ସ୍ୱତନ୍ତ୍ର ଗାଇଡଲାଇନ ଜାରି କରାଯିବା ସହିତ କ୍ଷେତ୍ର ପରିଦର୍ଶନ ଦାୟିତ୍ୱରେ ଥିବା କର୍ମଚାରୀମାନଙ୍କୁ ତାଲିମ ପ୍ରଦାନ କରାଯାଇଛି। ମାତ୍ର ଏହି ନିୟମ ଅନୁପାଳନ ଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ଫୋର୍ଟିଫାଏଡ ଭଳି ଭିଟାମିନଯୁକ୍ତ ଚାଉଳରୁ ପ୍ରସ୍ତୁତ ଭାତରୁ ପିଲାଙ୍କୁ ଆବଶ୍ୟକୀୟ ଭିଟାମିନ ମିଳିବାରେ ବ୍ୟତିକ୍ରମ ପରିଲକ୍ଷିତ ହେଉଛି।



