ଜିଲ୍ଲାପାଳଙ୍କ ଫୋକସରେ ମାରଡା ଗାଁ; ୧୦ ଦିନରେ ପ୍ରତିଶ୍ରୁତି ପୂରଣ କଲେ
ଶ୍ରଦ୍ଧା ସଂଜୀବନୀ ଶୁଭାରମ୍ଭ କଲେ, ଶିଶୁଙ୍କ ମୁହଁରେ ହସ ଫୁଟାଇଲେ
ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କୁଶଙ୍ଗ ମହାନଦୀ ବନ୍ୟପ୍ରାଣୀ ଅଭୟାରଣ୍ୟର ଅଭିଶାପରେ ପେଶି ହେଉଥିବା ଆଦିବାସୀ ବହୁଳ ମାରଡା ଗାଁ ଉପରେ ଏକ ଅନୁସନ୍ଧାନମୂଳକ ଶୀର୍ଷକ ଖବର ‘ସମାଜ’ରେ ପ୍ରକାଶ ପାଇଥିଲା। ଖବର ପ୍ରକାଶନ ପରେ ପ୍ରଥମଥର ପାଇଁ ଗତ ୫ତାରିଖ ଦିନ ବୌଦ୍ଧ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ ମାରଡା ଗାଁ ପରିଦର୍ଶନ କରିଥିଲେ। ଗ୍ରାଉଣ୍ଡ ଜିରୋରେ ପହଞ୍ଚି ମାରଡାବାସୀଙ୍କ ଚଳଣି, ସୁଖଦୁଃଖ ବିଷୟରେ ପଚାରି ବୁଝିବା ସହିତ ପ୍ରାଥମିକତା ଭିତ୍ତିରେ ଦେଇଥିବା ପ୍ରତିଶ୍ରୁତିକୁ ପାଳନ କରିଛନ୍ତି। ଗୁରୁବାର ଜିଲ୍ଲାପାଳ ମାରଡା ଗାଁରେ ପହଞ୍ଚିବା ପରେ ତାଙ୍କୁ ଗ୍ରାମବାସୀଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଜିଲ୍ଲାପାଳଙ୍କ ଗସ୍ତର ମାତ୍ର ୧୦ଦିନ ମଧ୍ୟରେ ଶିଶୁଙ୍କ ଶିକ୍ଷା ପାଇଁ ବନ୍ଦ ହୋଇପଡ଼ିଥିବା ପ୍ରାଥମିକ ସ୍କୁଲରେ ଜିଲ୍ଲାପାଳଙ୍କ ଦ୍ୱାରା ଶ୍ରଦ୍ଧା ସଂଜୀବନୀର ଶୁଭାରମ୍ଭ ହୋଇଥିଲା। ଅଙ୍ଗନଓ୍ବାଡ଼ି ଶିଶୁଙ୍କ ନୂଆ ପୋଷାକ, ଜୋତା ସହିତ ଖେଳନା ଇତ୍ୟାଦି ବଣ୍ଟନ କରି ସେମାନଙ୍କ ମୁହଁରେ ହସ ଫୁଟାଇଛନ୍ତି। ୨୪ଜଣ ଲୋକଙ୍କୁ ହାଇଜେନିକ କିଟ୍ ସାଙ୍ଗକୁ କମ୍ବଳ ବଣ୍ଟନ କରିଥିଲେ। ସେମାନଙ୍କୁ ରୋଜଗାରକ୍ଷମ କରିବା ପାଇଁ ଆଚାର, ବଡି, ପାମ୍ପଡ ପ୍ରସ୍ତୁତ ପାଇଁ ସ୍ୱୟଂସହାୟକ ଦଳକୁ ପ୍ରୋତ୍ସାହନ ରାଶି ଯୋଗାଇ ଦେବାକୁ ବ୍ଲକ ଜୀବିକା ମିଶନ ଅଧିକାରୀ ଏବଂ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଖଜୁରୀ ରସରୁ ଗୁଡ ପ୍ରସ୍ତୁତ ପାଇଁ ମଧ୍ୟ କହିଥିଲେ। ଗାଁ ଲୋକଙ୍କ ଦାବୀ ଅନୁସାରେ ସେଠାରେ ଏକ ବନ୍ଧ ଏବଂ ଶ୍ମଶାନ ନିର୍ମାଣ ପାଇଁ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଗ୍ରାମର ଅସହାୟ ବୃଦ୍ଧା ତୁଳସା ବେହେରାଙ୍କୁ ୫ହଜାର ଟଙ୍କା ରେଡକ୍ରସରୁ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମସାରି ଜିଲ୍ଲାପାଳ ଶୀତଳପାଣି ଡାକବଙ୍ଗଳା ପରିଦର୍ଶନ ସାରି ଅତଲସରା ଗ୍ରାମରେ ପହଞ୍ଚି ଲୋକଙ୍କ କଥା ବୁଝିଥିଲେ। ଗ୍ରାମରେ କ୍ଷୀର ଏବଂ ଦହିର ଉତ୍ପାଦନ ଅଧିକ ହେଉଥିବା ଜାଣିବାକୁ ପାଇଁ ଖୁସିବ୍ୟକ୍ତ କରିଥିଲେ।କ୍ଷୀର ଏବଂ ଦହିର ବଜାର ସୁବିଧା ଦିଗରେ ଧ୍ୟାନ ଦେବାକୁ ପ୍ରାଣୀ ସମ୍ପଦ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଗାଁ ଲୋକେ ବନ୍ୟାଆଶ୍ରୟସ୍ଥଳୀ, ନଳକୂପ ପାଇଁ ଦାବୀ କରିଥିଲେ। ଅଭୟାରଣ୍ୟ ମଧ୍ୟରେ ରହୁଥିବା ଲୋକଙ୍କୁ ରୋଜଗାରକ୍ଷମ ପାଇଁ ଶୀତଳ ପାଣିରେ ଏକ ପର୍ଯ୍ୟଟନ କେନ୍ଦ୍ର ସ୍ଥାପନ ପାଇଁ ଲୋକେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଶେଷଦେବ ବେହେରା ଏବଂ ଚତୁରୀ ବେହେରା ଭଳି ଦୁଇ ଅସହାୟଙ୍କୁ ରେଡକ୍ରସ ପାଣ୍ଠିରୁ ୫ହଜାର ଟଙ୍କା ଲେଖାଏଁ ପ୍ରଦାନ କରିଥିଲେ। ସଂଯୁକ୍ତା ଡାଳୁଆଙ୍କୁ ତୁରନ୍ତ ଜାତୀୟ ପରିବାର ମଙ୍ଗଳ ଯୋଜନାରେ ୨୦ହଜାର ଟଙ୍କା ସହିତ ଭତା ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ମିନି ଦେହୁରୀଙ୍କୁ ୭ଦିନ ମଧ୍ୟରେ ଭତ୍ତା ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେଠାରୁ ଆସି କୁଶଙ୍ଗ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ପିଲାମାନେ ଆଜବେଷ୍ଟସ ଘରେ ବସୁଥିବା ଦେଖି ତାଙ୍କୁ କମ୍ପ୍ୟୁଟର ରୁମକୁ ସ୍ଥାନାନ୍ତରିତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେଠାରୁ ଫେରିବା ବାଟରେ ରାସ୍ତାକଡରେ ନିଆଁ ଲାଗିଥିବା ଦେଖି ଗାଡି ଅଟକାଇ ସୁରକ୍ଷା କର୍ମୀମାନଙ୍କୁ ନିଆଁ ଲିଭାଇବା ପାଇଁ କହିଥିଲେ। ପାଖରେ ଥିବା ଲୋକଙ୍କୁ ନିଆଁ ନ ଲଗାଇବା ପାଇଁ ବୁଝାଇଥିଲେ। ଶେଷରେ ହରଭଙ୍ଗାଠାରେ ଜଳ ଜୀବନ ମିଶନ ଯୋଜନାରେ ନିର୍ମାଣଧିନଥିବା ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ପରିଦର୍ଶନ କରିଥିଲେ। ପ୍ରକଳ୍ପ ମିଆଦି ବିଷୟରେ ପଚାରିବୁଝିବା ସହିତ କାର୍ଯ୍ୟ କେତେ ପ୍ରତିଶତ ସରିଛି ସେ ଦିଗରେ ପଚାରିଥିଲେ। ତୁରନ୍ତ ସମସୟସୀମା ମଧ୍ୟରେ ଅଧିକ ଶ୍ରମିକ ଲଗାଇ କାର୍ଯ୍ୟ ସାରିବାକୁ ପ୍ରକଳ୍ପ ମ୍ୟାନେଜର ଏବଂ ଜଳ ଓ ପରିମଳ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଆଜି ଜିଲ୍ଲାପାଳଙ୍କ ଗସ୍ତ ସମୟରେ ତାଙ୍କ ସହିତ ବୌଦ୍ଧ ଅତିରକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା, ବୌଦ୍ଧ ଡିଏଫଓ ଦେବପ୍ରିୟ କମ୍ପ, ନୟାଗଡ଼ ବନ୍ୟପ୍ରାଣୀ ଡିଏଫଓ ଫାଲଗୁନୀ ଶେଖର ମଲ୍ଲିକ, ହରଭଙ୍ଗା ବିଡିଓ ସ୍ୱପ୍ନିତା ନାଏକ, ସିଡିପିଓ ନିରୁପମା ପାଣି, ବ୍ଲକ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ମନୋରଞ୍ଜନ ପାତ୍ର, ଜିଲ୍ଲା ଜଳ ଓ ପରିମଳ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ପ୍ରଦୀପ କୁମାର ମହାପାତ୍ର, ଜିଲ୍ଲା ମଙ୍ଗଳ ଅଧିକାରୀ ସଶ୍ମିତା ପ୍ରଧାନ, ବିଭିଓ ଡାକ୍ତର ବିରେନ୍ଦ୍ର କୁମାର ପୃଷ୍ଟି, ଡାକ୍ତର ସଂଘମିତ୍ରା ପଣ୍ଡା, ଡାକ୍ତର ପ୍ରତିଭା ପାଢ଼ୀ, ଡାକ୍ତର ପ୍ରିୟବ୍ରତ ବେହେରା, ଜିଲ୍ଲା ସୂଚନା ଲୋକ ସର୍ମ୍ପକ ଅଧିକାରୀ ରିତିକାନ୍ତ ବଳିଆର ସିଂ, କୁଶଙ୍ଗ ପଂଚାୟତ ପିଇଓ ଜଗଦୀଶ ମଲ୍ଲିକ ପ୍ରମୁଖ ସାମିଲ ଥିଲେ।
Comments are closed.