ଭୁବନେଶ୍ବର: ଘରୋଇ ବସ ଚଳାଚଳ ବନ୍ଦ ନେଇ ଘରୋଇ ବସ ମାଲିକ ସଂଘ ଚେତାବନୀ ଦେଇଛି। ଡ୍ରାଇଭର ସଂଘର ଆନ୍ଦୋଳନ ଦୃଷ୍ଟିରୁ ଘରୋଇ ବସ ମାଲିକ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ରାସ୍ତା ସ୍ବାଭାବିକ ନ ହେଲେ ବସ ଚଳାଚଳ ବନ୍ଦ ନିର୍ଦେଶ ଦିଆଯିବ ଏବଂ ରାସ୍ତା ସ୍ବାଭାବିକ ନ ହେଲେ ବସ ଠିଆ କରି ପ୍ରତିବାଦ କରାଯିବ ବୋଲି ଏଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଘରୋଇ ବସ ମାଲିକ ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଘରୋଇ ବସ ଚଳାଚଳବେଳେ ଡ୍ରାଇଭର, ହେଲପର ଓ କଣ୍ଟକ୍ଟରଙ୍କୁ ପୁଲିସ ସୁରକ୍ଷା ଦେଉନାହିଁ ବୋଲି ଘରୋଇ ବସ ମାଲିକ ସଂଘର କର୍ମକର୍ତ୍ତା ଅଭିଯୋଗ କରିଛନ୍ତି।
ଏଠାରେ ସୂଚନା ଯୋଗ୍ୟ ଯେ ଆଜି ଭୁବନେଶ୍ବର ଉପକଣ୍ଠ ତମାଣ୍ଡୋରେ ଡ୍ରାଇଭର-ଡ୍ରାଇଭର ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ରାଜ୍ୟ ଓ ରାଜ୍ୟ ବାହାରର ଡ୍ରାଇଭରଙ୍କ ମଧ୍ୟରେ ଉତ୍ତେଜନାମୂଳକ ସ୍ଥିତି ଉପୁଜିଥିଲା। ୧୬ ନଂ ରାଜପଥରେ କାଲିଠୁ ମାଲ ପରିବହନ ଗାଡି ଛିଡ଼ାହୋଇ ରାସ୍ତା ଜାମ୍ ହୋଇଥିଲା । ଯାହାକୁ ନେଇ ଉଭୟ ଡ୍ରାଇଭରଙ୍କ ମଧ୍ୟରେ ଧସ୍ତାଧସ୍ତି ସ୍ଥିତି ଉପୁଜିଥିଲା। ପୁଲିସ ପହଞ୍ଚି ରାସ୍ତା ସ୍ବାଭାବିକ କରି ଗାଡ଼ିଗୁଡ଼ିକୁ ଛାଡ଼ିବାରୁ ପୋଲିସକୁ ମଧ୍ୟ ବିରୋଧ କରିଥିଲେ ଡ୍ରାଇଭର। ଏବେ ରାସ୍ତା ସ୍ବାଭାବିକ ହୋଇଥିବା ବେଳେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଛି।
ତେବେ ରାଜ୍ୟର ବିଭିନ୍ନ ସ୍ଥାନରେ ଡ୍ରାଇଭରମାନେ ଘରୋଇ ବସଗୁଡ଼ିକୁ ଅଟକାଉଛନ୍ତି। ଏପରିକି ବିଭିନ୍ନ ବସ ଓ ଟ୍ରକ ଅଟକାଉଥିବାରୁ ରାସ୍ତା ଜାମ ରହୁଛି। ବସଟି ଘଣ୍ଟା ଘଣ୍ଟା ଧରି ରାସ୍ତା ଉପରେ ଠିଆ ହୋଇ ରହୁଛି। ଫଳରେ ନିର୍ଦ୍ଧାରିତ ସମୟରେ ଗନ୍ତବ୍ୟ ସ୍ଥାନରେ ପହଞ୍ଚି ପାରୁନାହିଁ। ତେଣୁ ଘରୋଇ ବସ ଚଳାଚଳ ପାଇଁ ପୁଲିସ ପ୍ରଶାସନ ସୁରକ୍ଷା ଦେବାକୁ ସଂଘ ପକ୍ଷରୁ ଅନୁରୋଧ କରାଯାଇଛି।



