ପ୍ରଧାନଶିକ୍ଷକଙ୍କୁ ଘେରିଲେ ଅଭିଭାବକ, ସ୍କୁଲରେ ପକାଇଲେ ତାଲା

ମଧ୍ୟାହ୍ନଭୋଜନ ସହାୟତାରାଶି ପ୍ରଦାନରେ ଅନିୟମିତତା ଅଭିଯୋଗ

ହରଭଙ୍ଗା: କରୋନା ମହାମାରୀ ପ୍ରଭାବରେ ଶିକ୍ଷାନୁଷ୍ଠାନଗୁଡିକ ବନ୍ଦ ଯୋଗୁଁ ପିଲାଏ ମଧ୍ୟାହ୍ନ ଭୋଜନରୁ ବଞ୍ଚିତ ହୋଇଥିଲେ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ତିନୋଟି ପର୍ଯ୍ୟାୟରେ ୨୦୦ଦିନର ମଧ୍ୟାହ୍ନ ଭୋଜନ ସହାୟତା ରାଶି ପିଲାଙ୍କୁ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି। ମାତ୍ର ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଛତ୍ରଙ୍ଗ ୟୁଜିଏମଇ ସ୍କୁଲରେ ମଧ୍ୟାହ୍ନ ଭୋଜନ ସହାୟତା ରାଶି ପ୍ରଦାନରେ ଅନିୟମିତତା ପ୍ରସଙ୍ଗକୁ କେନ୍ଦ୍ରକରି ଶନିବାର ସକାଳେ କିଛି ଅଭିଭାବକ, ସ୍କୁଲ କମିଟି ସଦସ୍ୟ ସ୍ଥାନୀୟ ପ୍ରଧାନଶିକ୍ଷକଙ୍କୁ ଘେରିଛନ୍ତି।ଏହାର ନିରପେକ୍ଷ ତଦନ୍ତ ଦାବୀରେ ସ୍କୁଲ ଫାଟକରେ ତାଲା ପକାଇ ପ୍ରତିବାଦ କରିଥିଲେ। ପ୍ରକାଶ ଯେ କରୋନା ମଧ୍ୟାହ୍ନ ଭୋଜନ ସହାୟତା ରାଶି ବାବଦକୁ ପ୍ରଥମ ପର୍ଯ୍ୟାୟରେ ଗତ୨୦୨୧ ମସିହା ଜୁଲାଇ, ଅଗଷ୍ଟ, ସେପ୍ଟେମ୍ବର ମାସର ୭୩ଦିନ, ଅକ୍ଟୋବର, ନଭେମ୍ବର, ଡିସେମ୍ବର ମାସର ୫୭ ଦିନ ଏବଂ ଜାନୁୟାରୀ, ଫେବୃୟାରୀ ଏବଂ ମାର୍ଚ୍ଚ ୨୦୨୨ର ୭୦ଦିନକୁ ମିଶାଇ ମୋଟ୍ ୨୦୦ଦିନର ଟଙ୍କା ସରକାର ଯୋଗାଇ ଦେଇଛନ୍ତି। ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାଥମିକ ଶ୍ରେଣୀ ପିଲାଙ୍କୁ ଦୈନିକ ୫ଟଙ୍କା୪୨ପଇସା ହିସାବରେ ମୋଟ୍ ୨୦୦ ଦିନର ୧ହଜାର୮୪ଟଙ୍କା ଏବଂ ଷଷ୍ଠରୁ ସପ୍ତମ ପର୍ଯ୍ୟନ୍ତ ଉଚ୍ଚ ପ୍ରାଥମିକ ପିଲାଙ୍କ ପାଇଁ ଦୈନିକ ୮ଟଙ୍କା୧୦ ପଇସା ହିସାବରେ ମୋଟ୍ ୨୦୦ ଦିନର ୧୬୨୦ଟଙ୍କା ପ୍ରଦାନ ପାଇଁ ସହାୟତା ରାଶି ଯୋଗାଇ ଦେଇଛନ୍ତି। ମାତ୍ର ଛତ୍ରଙ୍ଗ ୟୁଜିଏମଇ ସ୍କୁଲରେ ୮୭ଜଣ ପ୍ରାଥମିକ ଏବଂ ୬୩ଜଣ ଉଚ୍ଚ ପ୍ରାଥମିକ ପିଲାଙ୍କୁ ପ୍ରଥମ ପର୍ଯ୍ୟାୟ ୭୩ଦିନର ମଧ୍ୟାହ୍ନ ଭୋଜନ ସହାୟତା ରାଶି ୦୫ଜୁଲାଇ ୨୦୨୨ରେ ପ୍ରଦାନ କରାଯାଇଛି।

prayash

ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ସହାୟତା ରାଶି ବ୍ୟାଙ୍କରୁ ଉଠାଣ ହୋଇଥିଲେ ମଧ୍ୟ ପାଖାପାଖି ଦୁଇମାସ ହେଲା ଏ ବାବଦ ଟଙ୍କା ପିଲାଙ୍କୁ ପ୍ରଦାନ କରାଯାଇନଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ତୃତୀୟ ପର୍ଯ୍ୟାୟ ସହାୟତା ରାଶି ପ୍ରଦାନ କରାନଯାଇ ଖାତାରେ ପିଲାଙ୍କ ଦସ୍ତଖତ ନିଆଯିବା ସହିତ ପ୍ରଥମ ପର୍ଯ୍ୟାୟ ଟଙ୍କା ପ୍ରଦାନ ତାରିଖ ଦର୍ଶାଯିବା ଘଟଣା ଅଡୁଆ ଭିତରେ ମୁସ୍କିଲଥିବା ପ୍ରମାଣିତ କରୁଛି। ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ପ୍ରଦାନର କୌଣସି ରେକର୍ଡ ମିଳୁନଥିବାରୁ ମଧ୍ୟାହ୍ନଭୋଜନ ସହାୟତା ରାଶିରେ ବଡଧରଣର ଦୁର୍ନୀତି ଗନ୍ଧରହିଥିବା ସ୍କୁଲ କମିଟି ସଦସ୍ୟ,ଅଭିଭାବକ ସୂଚନା ପାଇଛନ୍ତି।ଏହାର ନିରପେକ୍ଷ ତଦନ୍ତ ଦାବୀରେ ସ୍କୁଲ କମିଟି ସଭାପତି ଘାସିରାମ ରାଉତ୍,ଅବକାଶ ସାହୁ,ରଞନ ହଂସ,ସୁଶାନ୍ତ ରାଉତ୍,ନିରଞନ ବେହେରା, ରାଜକିଶୋର ବେହେରାଙ୍କ ନେତୃତ୍ୱରେ ସ୍କୁଲ ଫାଟକରେ ତାଲା ପକାଇଥିବା ଜଣାପଡିଛି।

ଏହାର ନିରପେକ୍ଷ ତଦନ୍ତ କରାଯାଇ ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଅଭିଭାବକ ମହଲରୁ ଦାବୀ ହେଉଛି। ଏ ସମ୍ପର୍କରେ ଛତ୍ରଙ୍ଗ ୟୁଜିଏମଇ ସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଦେବେନ୍ଦ୍ର ହୋତା କହିଛନ୍ତି ଯେ ମଧ୍ୟାହ୍ନଭୋଜନ ସହାୟତା ରାଶି ଉଠାଣ ହୋଇଛି ତାହା ପ୍ରଦାନରେ ବିଳମ୍ବ ହୋଇଛି। ଏହା ତୁରନ୍ତ ପ୍ରଦାନ କରାଯିବ ବୋଲି ପ୍ରକାଶ କରିଛନ୍ତି। ଛତ୍ରଙ୍ଗ କ୍ଲଷ୍ଟର ଦାୟିତ୍ୱରେଥିବା ସିଆରସିସି ସୁଧିର ଦେହୁରୀଙ୍କୁ ପଚାରିବାରୁ ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ପଇସା ପାଖାପାଖି ୨ଲକ୍ଷ ଟଙ୍କା ଉଠାଣ ସରିଛି। ତୃତୀୟ ପର୍ଯ୍ୟାୟ ପଇସା ପ୍ରଦାନ ହୋଇନାହିଁ ମାତ୍ର ଖାତାରେ ଦସ୍ତଖତ ନିଆଯାଇଛି ଏବଂ ଦ୍ୱିତୀୟ ପର୍ଯ୍ୟାୟ ରାଶି ପ୍ରଦାନର କୌଣସି ରେକର୍ଡ ପ୍ରଧାନଶିକ୍ଷକ ଦେଖାଇପାରିନଥିବା ସେ କହିଛନ୍ତି।

kalyan agarbati

Comments are closed.