ଲୋକାର୍ପଣ ପରେ ବି ଧଳପୁର ୫ଟି ହାଇସ୍କୁଲ ନିର୍ମାଣ କାର୍ଯ୍ୟ ଅଧପନ୍ତରିଆ, ହଷ୍ଟେଲ ଗୃହରେ ଚାଲିଛି ପାଠପଢା

ହରଭଙ୍ଗା: ରାଜ୍ୟ ସରକାରଙ୍କ ୫ଟି ସ୍କୁଲ କାର୍ଯ୍ୟକ୍ରମରେ ସାମିଲ ହୋଇଛି ହରଭଙ୍ଗା ବ୍ଲକ ଧଳପୁର ରାଜେନ୍ଦ୍ର ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟ। ଉକ୍ତ ଶିକ୍ଷାନୁଷ୍ଠାନଟି ୫ଟି ହାଇସ୍କୁଲ କାର୍ଯ୍ୟକ୍ରମରେ ସାମିଲ ପରେ ଗତ ଜୁନ୍ ୧ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଏହାର ଲୋକାର୍ପଣ କାର୍ଯ୍ୟ ମଧ୍ୟ ଶେଷ ହୋଇଛି। ମାତ୍ର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନଥିବାବେଳେ ତରବରିଆଭାବେ ଏହାର ଲୋକାର୍ପଣ କରାଯାଇଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ନୂତନ ଶିକ୍ଷାବର୍ଷ ଆରମ୍ଭରୁ ଉକ୍ତ ସ୍କୁଲରେ ପାଠପଢୁଥିବା ଛାତ୍ରଛାତ୍ରୀମାନେ ବର୍ତମାନ ହଷ୍ଟେଲ ଗୃହରେ ବସି ପାଠପଢୁଥିବା ଭଳି ଅଭାବନୀୟ ଚିତ୍ର ସାମନାକୁ ଆସିଛି। ପ୍ରକାଶ ଯେ ୧୯୭୦ମସିହାରେ ଧଳପୁର ନାରାୟଣ ପ୍ରସାଦ ହାଇସ୍କୁଲ ସ୍ଥାପିତ ହୋଇଥିଲା।ଉକ୍ତ ଶିକ୍ଷାନୁଷ୍ଠାନରେ ବର୍ତମାନ ନବମ, ଦଶମ ଶ୍ରେଣୀରେ ୨୫୦ଜଣ ଛାତ୍ରଛାତ୍ରୀ ପାଠପଢୁଛନ୍ତି। ଚଳିତମାସରେ ଏହି ଶିକ୍ଷାନୁଷ୍ଠାନଟି ୫ଟିରେ ସାମିଲ ପରେ ଅଭିଭାବକ ଛାତ୍ରଛାତ୍ରୀ ଏବଂ ଶିକ୍ଷାପ୍ରେମୀଙ୍କ ମହଲରେ ଆନନ୍ଦ ଦେଖାଯାଇଥିଲା। ୫-ଟି ସ୍କୁଲରେ ସମିଲ ପରେ ବି ଏହାର ସ୍ମାର୍ଟ କ୍ଲାସରୁମ୍, ସ୍ମାର୍ଟ ବୋର୍ଡ, ଇଲେକ୍ଟ୍ରି ଫିକେସନ, ଇ-ପାଠାଗାର, ବିଜ୍ଞାନ ଲ୍ୟାବ୍ରୋଟାରୀ, ପରିଶ୍ରାଗାର, ପିଇବା ପାଣିଭଳି ଆନୁସଙ୍ଗିକ ସୁବିଧା ଅଧପନ୍ତରିଆ ଅବସ୍ଥାରେ ପଡିରହିଛି। ଫଳରେ ପିଲାମାନେ ଗୁଣାତ୍ମକ ଶିକ୍ଷାରୁ ବଞ୍ଚିତ ହେବା ସହିତ ଗରମ ଗୁଳୁଗୁଳିରେ ବସି ପାଠପଢୁଥିବା ଦେଖିବାକୁ ମିଳୁଛି। ତୁରନ୍ତ ଏ ଦିଗରେ ଜିଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ ଏହାର ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତିରେ ସମ୍ପୂର୍ଣ୍ଣ ପାଇଁ ପଞ୍ଚାନନ ବାରିକ, ଲଲିତ ମୋହନ ହୋତା, ଗିରିଧାରୀ ବେହେରା, ଜସକେତନ ବେହେରା, ଶ୍ରବଣ ବାରିକ, ସତ୍ୟନାରାୟଣ ବାରିକ ପ୍ରମୁଖ ଅଭିଭାବକ ମହଲରୁ ଦାବି ଉଠୁଛି। ଏ ସର୍ମ୍ପକରେ ହରଭଙ୍ଗା ବ୍ଲକର କନିଷ୍ଠ ଯନ୍ତ୍ରୀ ଦିବ୍ୟଲୋଚନ ନାଏକଙ୍କୁ ପଚାରିବାରୁ ସେ କହିଲେ ସେଟ୍ରାଂଲି ଆବଶ୍ୟକୀୟ ସାମଗ୍ରୀ ମଗା ଯାଇଛି। ଆସିଲେ ଆସନ୍ତା ଏକ ସପ୍ତାହ ମଧ୍ୟରେ ଏହାର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି କହିଛନ୍ତି।

kalyan agarbati

Comments are closed.