ହାଫିଜ୍‍ ସୟିଦ ଦ୍ୱାରା ପରିଚାଳିତ ସଂଗଠନ ଉପରୁ ପ୍ରତିବନ୍ଧକ ହଟାଇଲେ ଇମ୍ରାନ

0

ଇସଲାମାବାଦ : ୨୬/୧୧ ମୁମ୍ବଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ ହାଫିଜ୍‍ ସୟିଦ ଦ୍ୱାରା ପରିଚାଳିତ ସଂଗଠନଗୁଡ଼ିକ ଉପରୁ ପାକିସ୍ତାନ ସରକାର ପ୍ରତିବନ୍ଧକ ହଟାଇ ଦେଇଛନ୍ତି। ହାଫିଜ୍‍ ସୟିଦ ପରିଚାଳିତ ଜମାତ-ଉଦ୍‍-ଦାବ (ଜେୟୁଡି), ଫଲହ-ଏ-ଇନ୍‍ସାନିୟତ ପାଉଣ୍ଡେସନ୍‍ (ଏଫଆଇଏଫ) ଭଳି ସଂଗଠନ ଗୁଡ଼ିକ ଉପରୁ ଇମ୍ରାନ ସରକାର କଟକଣା ପ୍ରତ୍ୟାହାର କରିନେଇଥିବା ସୂଚନା ମିଳିଛି। ଫଳରେ ଆତଙ୍କବାଦୀ ଓ ପାକିସ୍ତାନ ସରକାରଙ୍କ ମଧୁଚନ୍ଦ୍ରିକା ପୁଣି ଥରେ ପଦାକୁ ଆସିଛି। ମିଳିତ ଜାତିସଂଘର ପ୍ରସ୍ତାବ ଅନୁସାରେ ହାଫିଜ ସୟିଦ ଦ୍ୱାରା ପରିଚାଳିତ ସଂଗଠନଗୁଡ଼ିକ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ଚଳିତ ବର୍ଷ ଫେବୃଆରୀ ମାସରେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ମମନୁନ ହୁସେନ ଏକ ଅଧ୍ୟାଦେଶ ଦ୍ୱାରା ଜମାତ-ଉଦ୍‍-ଦାବା ଏବଂ ଏଫଆଇଏଫ ଭଳି ସଂଗଠନ ଉପରେ କଟକଣା ଜାରି କରିଥିଲେ। ଆତଙ୍କବାଦ ନରୋଧ ଆଇନ-୧୯୯୭କୁ ସଂଶୋଧନ କରି ଏହି ସଂଗଠନଗୁଡ଼ିକୁ ପ୍ରତିବନ୍ଧକ ତାଲିକାଭୁକ୍ତ କରାଯାଇଥିଲା। ଏବେ ପାକିସ୍ତାନ ରାଷ୍ଟ୍ରପତିଙ୍କ ଦ୍ୱାରା ଏକ ଅଧ୍ୟାଦେଶ ଜାରି କରାଯାଇ ଏହି ସବୁ ସଂଗଠନଗୁଡ଼ିକୁ ପ୍ରତିବନ୍ଧକ ତାଲିକାରୁ ବାହାର କରିଦିଆଯାଇଛି।
ଇସଲାମାବାଦ ହାଇକୋର୍ଟରେ ଗତ ବୁଧବାର ହାଫିଜ୍‍ ସୟିଦର ଓକିଲ ଜେୟୁଡ଼ି ଏବଂ ଏଫଆଇଏଫକୁ ପ୍ରତିବନ୍ଧକ ତାଲିକାରୁ ବାଦ ଦେବାକୁ ଯୁକ୍ତି ବାଢିଥିଲେ। ସେ କହିଥିଲେ ଯେ ପୂର୍ବତନ ରାଷ୍ଟ୍ରପତିଙ୍କ ଦ୍ୱାରା ଜାରି ଅଧ୍ୟାଦେଶ ନିଷ୍ପ୍ରଭ ହୋଇଯାଇଛି ଓ ଏହାର ଅବଧିକୁ କେବେ ବି ବଢାଯାଇନାହିଁ। ତେଣୁ ଏହି ସଂଗଠନଗୁଡ଼ିକୁ କଟକଣା ତାଲିକାରୁ ବାଦ ଦିଆଯାଉ। ଏହି କ୍ରମରେ ପାକିସ୍ତାନ ସରକାର ହାଫିଜ୍‍ ପରିଚାଳିତ ସଂଗଠନଗୁଡ଼ିକ ଉପରୁ କଟକଣା ହଟାଇ ଦେଇଛନ୍ତି।

Leave A Reply