nua o banner

ହାଫିଜ ସଇଦକୁ ସ୍ଥାୟୀ ଭାବେ ନିଷିଦ୍ଧ କରିବ ପାକିସ୍ତାନ

BSKY banner  750×100
0

ଇସଲାମାବାଦ : ମୁମ୍ବଇ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ, ଆତଙ୍କବାଦୀ ସଂଗଠନ ଜମାତ-ଉତ୍‌ ଦାୱା ମୁଖ୍ୟ ହାଫିଜ ସଇଦ୍‌କୁ ସ୍ଥାୟୀ ଭାବେ ନିଷିଦ୍ଧ ଘୋଷଣା କରିବା ପାଇଁ ପାକିସ୍ତାନ ସରକାର ପ୍ରସ୍ତୁତି ଚଳାଇଛନ୍ତି। ପାକିସ୍ତାନ ଆଇନ ମନ୍ତ୍ରଣାଳୟ ଏ ସମ୍ପର୍କିତ ବିଧେୟକର ଚିଠାପ୍ରସ୍ତାବ ପ୍ରସ୍ତୁତ କରିଛି। ୧୯୯୭ର ଆତଙ୍କବାଦ ନିରୋଧୀ ଆଇନର ସଂଶୋଧନରେ ଏହି ବିଧେୟକ ଆଗତ ହେବ ଓ ଏହା ହାଫିଜ ସଇଦର ସଂଗଠନକୁ ନିଷେଧ କରାଯିବା ସଂକ୍ରାନ୍ତରେ ଦେଶର ରାଷ୍ଟ୍ରପତିଙ୍କ ଦ୍ୱାରା ଜାରି ହୋଇଥିବା ଅଧ୍ୟାଦେଶର ସ୍ଥାନ ନେବ ବୋଲି ପ୍ରମୁଖ ଗଣମାଧ୍ୟମ ‘ଡନ୍‌’ରେ ପ୍ରକାଶ ପାଇଛି। ଏହା ଦ୍ୱାରା ହାଫିଜ ସହିତ ତାର ସଂଗଠନ ଓ ଅନ୍ୟ କେତେକ ଆତଙ୍କବାଦୀ ସଂଗଠନ ତଥା ଏହାର ମୁଖ୍ୟଙ୍କୁ ମଧ୍ୟ ପାକିସ୍ତାନ ମାଟିରେ ସବୁଦିନ ପାଇଁ ନିଷେଧ କରାଯିବ ବୋଲି ଏଥିରେ ଉଲ୍ଲେଖ କରାଯାଇଛି। ସମ୍ପୃକ୍ତ ସଂଗଠନ ଓ ବ୍ୟକ୍ତିଙ୍କ ତାଲିକା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ପ୍ରସ୍ତୁତ କରାଯାଇଛି। ସରକାରଙ୍କ ସବୁ ପଦକ୍ଷେପରେ ଦଖଲ ନେଉଥିବା ଦେଶର କ୍ଷମତାଶାଳୀ ସେନାର ଏହା ପଛରେ ସମର୍ଥନ ରହିଥିବା ମଧ୍ୟ ସୂଚନା ଦିଆଯାଇଛି। ସୋମବାରଠାରୁ ଆରମ୍ଭ ହେଉଥିବା ପାକିସ୍ତାନ ଜାତୀୟ ଆସେମ୍ବ୍ଲିର ଅଧିବେଶନରେ ପ୍ରସ୍ତାବିତ ବିଧେୟକ ଆଗତ ହେବା ସମ୍ଭାବନା ରହିଛି।
ଆତଙ୍କବାଦୀଙ୍କ ସହିତ ଆର୍ଥିକ କାରବାର କରୁଥିବା ଆନ୍ତର୍ଜାତିକ ସଂଗଠନ ତାଲିକାରେ ପାକିସ୍ତାନକୁ ସାମିଲ କରିବା ପାଇଁ ଆମେରିକା, ଫ୍ରାନ୍ସ, ଇଂଲଣ୍ଡ ଓ ଜର୍ମାନୀ ଭଳି ରାଷ୍ଟ୍ର ଫାଇନାନ୍‌ସିଆଲ ଆକ୍ସନ ଟାସ୍କ ଫୋର୍ସ (ଏଫଏଟିଏଫ)କୁ ସୁପାରିସ କରିଥିବାରୁ ଓ ଏ ସଂକ୍ରାନ୍ତ ତାଲିକା ଗତ ଫେବୃଆରୀ ମାସରେ ପ୍ରକାଶ ପାଇଥିବାରୁ ଏହାର ପ୍ରତିକାର ବ୍ୟବସ୍ଥା ସ୍ୱରୂପ ପାକିସ୍ତାନ ସରକାର ଏଭଳି ପଦକ୍ଷେପ ନେବାକୁ ବାଧ୍ୟ ହୋଇଥିବା ଉପରୋକ୍ତ ରିପୋର୍ଟରେ ପ୍ରକାଶ ପାଇଛି। ଜାତିସଂଘ ସୁରକ୍ଷା ପରିଷଦ ଦ୍ୱାରା ନିକଟରେ ଘୋଷିତ ଆତଙ୍କବାଦୀ ଓ ସେମାନଙ୍କ ସଂଗଠନ ତାଲିକାରେ ଥିବା ନାମଗୁଡ଼ିକୁ ଏହି ବିଧେୟକରେ ସ୍ଥାନ ଦିଆଯାଇଥିବା ଜଣାପଡ଼ିଛି। ପୂର୍ବରୁ ଦେଶର ରାଷ୍ଟ୍ରପତି ମାମନୁନ୍‌ ହୁସେନ୍‌ଙ୍କ ସ୍ୱୀକୃତି ପାଇଥିବା ଅଧ୍ୟାଦେଶର କାର୍ଯ୍ୟକାଳ ୧୨୦ଦିନ ରହିଥିବାବେଳେ ଏହା ଶେଷ ହେବାକୁ ଯାଉଛି। ଏହା ପୂର୍ବରୁ ଉପରୋକ୍ତ ବିଧେୟକ ଆଗତ ହେବା ଜରୁରୀ।

Leave A Reply