ଗୁରୁପ୍ରିୟା ସେତୁ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଡିଜିପି

0

ମାଲକାନଗିରି :  ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ଗୁରୁବାର ମାଲକାନଗିରି ଜିଲ୍ଲା ଗସ୍ତ କରି ଗୁରୁପ୍ରିୟା ସେତୁ ପରିଦର୍ଶନ କରିବା ସହ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ  କରିଛନ୍ତି। ଡଃ.ଶର୍ମା ଏକ ହେଲିକେପ୍ଟର ଯୋଗେ ଜିଲ୍ଲାର ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଜାନବାଈ ବି.ଏସ.ଏଫ କ୍ୟାମ୍ପଠାରେ ଅବତରଣ କରିଥିଲେ। ପରେ ସେ ଗୁରୁପ୍ରିୟା ସେତୁ ପରିଦର୍ଶନ କରି ଏହାର ଚତୁଃପାର୍ଶ୍ବରେ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ। ଏହାପରେ ଜାନବାଈ ବିଏସଏଫ କ୍ୟାମ୍ପରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଯୋଗ ଦେଇ ମାଲକାନଗିରି ଜିଲ୍ଲାରେ ବର୍ତମାନ ମାଓ ସ୍ଥିତି ଓ ଏହାର ମୁକବିଲା ନେଇ ରଣନୀତି  ନେଇ ଆଲୋଚନା କରିଛନ୍ତି।

ଜିଲ୍ଲା ପୋଲିସ ଓ ବି.ଏସ.ଏଫ ମଧ୍ୟରେ ସମନ୍ୱୟ ରକ୍ଷା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।  ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଏ.ଡି.ଜି ଅପରେସନ ଆର.ପି କୋଚେ, ଗୋଇନ୍ଦା ନିର୍ଦ୍ଦେଶକ ସୁନିଲ ରାୟ, ଗୋଇନ୍ଦା ଆଇ.ଜି ରାଧାକିଷ୍ଣନ ଶର୍ମା, ରାଜ୍ୟ ଗୋଇନ୍ଦା ବିଭାଗ ଆଇ.ଜି ଘନଶ୍ୟାମ ଉପାଧ୍ୟାୟ, ମାଲକାନଗିରି ଏସ.ପି ଜଗମୋହନ ମୀନାଙ୍କ ସମେତ ବିଏସଏଫର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

ପୂର୍ବରୁ କ୍ରୀଡା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ଓ ପୂର୍ତ୍ତ  ବିଭାଗସଚିବ ନଳିନୀ କୁମାର ମହାନ୍ତି ସମେତ ଚିତ୍ରକୋଣ୍ଡା ବିଧାୟକ ଡମ୍ବରୁ ଶିଶା ପ୍ରମୁଖ ପରିଦର୍ଶନ କରିବା ସହ  ବିଭିନ୍ନ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ।  ଏହି ଅବସରରେ ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ଯେ ବିଛିନ୍ନାଞ୍ଚଳର  ଲାଇଫ୍‍ ଲାଇନ୍‍ ହୋଇଥିବା ଗୁରୁପ୍ରିୟା ସେତୁ  ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନର ସେତୁ।  ବର୍ଷ ବର୍ଷ ଧରି ଜଳବନ୍ଦି ଥିବା ଆଦିବାସୀଙ୍କୁ ନିର୍ବାସିତ ଜୀବନରୁ ମୁକ୍ତ କରି ସାମାଜିକ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ଏହି ଉଦ୍ୟମକୁ ବିଛିନ୍ନାଂଚଳବାସୀ ନିଶ୍ଚିତ ଭାବେ ସମର୍ଥନ କରିବେ ।

ସୂଚନାଯୋଗ୍ୟ ଯେ,  ପାଣିପାଗରେ ପରିବର୍ତ୍ତନ ଯୋଗୁ ବହୁ ପ୍ରତିକ୍ଷିତ ଗୁରୁପ୍ରିୟା ସେତୁ ଉଦ୍‍ଘାଟନ ତାରିଖ ଘୁଞ୍ଚାଇ ଦିଆଯାଇଛି। ଅନ୍ୟପକ୍ଷରେ ଗୁରୁପ୍ରିୟା ସେତୁକୁ ମାଓବାଦୀ ମାନେ ବିରୋଧ କରୁଥିବା ବେଳେ ଉଦ୍‍ଘାଟନ ପୂର୍ବରୁ ଲାଲ ବାହିନୀ  ହିଂସା କାଣ୍ଡ ଘଟାଇବା ନେଇ ଗୁଇନ୍ଦା ବିଭାଗ ପକ୍ଷରୁ ରାଜ୍ୟ ପୋଲିସ ବିଭାଗକୁ ସୂଚନା ଦିଆଯାଇଛି। ତେଣୁ ପୋଲିସ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ସେତୁ ଠାରୁ ପ୍ରାୟ ୫ କି.ମି ପର୍ଯ୍ୟନ୍ତ ଏରିଆ ଡୋମିନେଟ୍‍ ହୋଇଥିବା ବେଳେ ତଦାରଖ ଓ ସୁରକ୍ଷା ପାଇଁ ସି.ସି ଟିଭି ଖଞ୍ଜା ଯାଇଛି। ବି.ଏସ.ଏଫ ପକ୍ଷରୁ ପେଟ୍ରେଲିଂ ସହ କୁମ୍ବିଂ ଅପରେସନ କରାଯାଉଛି। ଆଉ କିଛି ଦିନର ଅପେକ୍ଷା ପରେ ବିଚ୍ଛିନ୍ନଂଚଳ ବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ସାକର ହେବାକୁ ଯାଉଛି। ଯାହାଫଳରେ ୧୫୧ ଟି ରାଜସ୍ୱ ଗ୍ରାମର ପ୍ରାୟ ୨୦ ହଜାରରୁ ଉର୍ଦ୍ଧ ଲୋକେ ଜଳ ବନ୍ଦିରୁ ମୁକ୍ତି ପାଇବେ।

Leave A Reply