ଆଠଗଡ: ସମବାୟ ସମିତି କୃଷିଋଣ ଦୁର୍ନୀତି ଆଠଗଡ ବ୍ଲକର ଗୁରୁଡିଝାଟିଆରେ ଧରାପଡିବା ପରେ ଏବେ ନିକଟବର୍ତ୍ତୀ ଛଅଗାଁ ସମବାୟ ସମିତିରେ ମଧ୍ୟ କୃଷିଋଣ ଠକେଇ ହୋଇଥିବା ଶୁକ୍ରବାର ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୁବ ସଂଗଠକ ଅଭୟ କୁମାର ବାରିକ ଅଭିଯୋଗ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଛଅଗାଁ ପ୍ରାଥମିକ କୃଷି ସମବାୟ ସମିତିରେ କୃଷିଋଣ ଠକେଇ ଶିକାର ହୋଇଥିବା କେତେକ ଚାଷୀ ଉପସ୍ଥିତ ରହି ଠକେଇ ବିଷୟରେ ଅବଗତ କରାଇଥିଲେ। ୨୦୧୩ ମସିହାରେ ମଙ୍ଗୁଳି ପାତ୍ର ଓ ସନ୍ତୋଷ ସାମଲ ପ୍ରମୁଖ ୨ଜଣ ଚାଷୀ କିପରି କୃଷିଋଣ ଠକେଇର ଶିକାର ହୋଇଥିଲେ ସେ ସଂପର୍କରେ ତଥ୍ୟ ପ୍ରମାଣ ସହ ଅଭିଯୋଗ କରିଥିଲେ।
ଯୁବ ସଂଗଠକ ଶ୍ରୀ ବାରିକ ସମିତିର ଖାତା ଦେଖାଇ ଦୁର୍ନୀତିର ପ୍ରମାଣ ଥିବା ପ୍ରକାଶ କରିଥିଲେ। ସେହିପରି ଅଜୟ ପରିଡା ନାମକ ଜନୈକ କର୍ମଚାରୀଙ୍କୁ ୨୦୧୨ରେ ନିଲମ୍ବନ କରାଯାଇଥିବା ବେଳେ ସ୍ଥାନୀୟ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ତାଙ୍କୁ କିପରି ପୁନଃ ବ୍ୟାଙ୍କ ପରିଚାଳକ ଭାବେ ଅବସ୍ଥାପିତ କଲେ ଏବଂ ଏଥିରେ ତାଙ୍କର କି ସ୍ୱାର୍ଥ ରହିଛି ବୋଲି ଅଭୟ ପ୍ରଶ୍ନ କରିଥିଲେ। ସେହିପରି ବିଧାୟକଙ୍କ ବଡଭାଇ କିପରି ୨୦୧୯ରେ ୧୦ଜଣ ଡାଟା ଏଣ୍ଟ୍ରି ଅପରେଟଙ୍କୁ ବେଆଇନ ଭାବେ ନିଯୁକ୍ତ କରିଥିଲେ ତାର ତଥ୍ୟ ପ୍ରମାଣ ଅଭୟ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥାପନ କରିଥିଲେ। ଆଠଗଡ ବ୍ଲକ ଅଞ୍ଚଳର ୨୬ଟି ଯାକ କୃଷି ସେବା ସମବାୟ ସମିତିରେ କୋଟି କୋଟି ଟଙ୍କାର ଦୁର୍ନୀତି ଓ ବେଆଇନ ନିଯୁକ୍ତି ହୋଇଥିବା ସେ ଅଭିଯୋଗ କରିବା ସହ ଏହାର ଏକ ନିରପେକ୍ଷ ସଂସ୍ଥା ଦ୍ୱାରା ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଅଭୟ ଦାବି କରିଥିଲେ।



