ଗୁରୁଡ଼ିଝାଟିଆ: ଅଘୋଷିତ ବିଜୁଳିକାଟରେ ଗୁରୁଡ଼ିଝାଟିଆ ନଦୀକୂଳ ଅଞ୍ଚଳର ୫ ପଞ୍ଚାୟତର ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଶ୍ରୀରାମ ବରିଷ୍ଠ ନାଗରିକ ସଂଘ, କଖଡି ନଦୀକୂଳ ଏଥିପାଇଁ ଦୃଢ ପ୍ରତିବାଦ କରି ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ବିଦ୍ୟୁତ କାର୍ଯ୍ୟାଳୟ ଆଗରେ ଧାରଣା ଦେବା ପାଇଁ ସଜବାଜ ହୋଇଥିଲେ। ହେଲେ ଆଠଗଡ଼ ବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀ ଇଂ ପବିତ୍ର କୁମାର ସାହୁଙ୍କ ସହିତ ବରିଷ୍ଠ ନାଗରିକ ମଞ୍ଚର କର୍ମକର୍ତ୍ତାମାନେ ବୈଠକରେ ଆଲୋଚନା କରିଥିଲେ। ନିର୍ବାହୀ ଯନ୍ତ୍ରୀ ଶ୍ରୀ ସାହୁ ଦେଇଥିବା ପ୍ରତିଶୃତି ଏବେ ଉପଭୋକ୍ତାଙ୍କ ମନରେ ଆଶ୍ୱସ୍ତି ଆଣିଦେଇଛି। ସପ୍ତାହେ ଧରି ଆଉ ସେତେ ପରିମାଣର ବିଦ୍ୟୁତ୍ କାଟ ହେଉନାହିଁ।
ଆଗଭଳି ବିଦ୍ୟୁତ୍ ସମାସ୍ୟା ଦେଖାଯାଉନାହିଁ। ତେଣୁ ଶ୍ରୀରାମ ବରିଷ୍ଠ ନାଗରିକ ସଂଘର କର୍ମକର୍ତ୍ତାମାନେ କଖଡି ଗାନ୍ଧିହାଟ ଠାରେ ଏକତ୍ର ହୋଇ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଶ୍ରୀ ସାହୁ, ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ସାମନ୍ତରାୟ ଓ ବିଦ୍ୟୁତ୍ କ୍ଷେତ୍ର କର୍ମଚାରୀମାନଙ୍କୁ ଅନ୍ତରଭରା କୃତଜ୍ଞତା ଜ୍ଞାପନ କରିଛନ୍ତି।



