www.samajalive.in
Saturday, December 6, 2025
16.1 C
Bhubaneswar

ବର୍ଷକ ପରେ ଜଙ୍ଗଲରୁ ଠାବ ହେଲା ନିଖୋଜ ଯୁବତୀଙ୍କ କଙ୍କାଳ

ସାନଖେମୁଣ୍ଡି : ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତ ଅନ୍ତର୍ଗତ ବୃନ୍ଦାବନପୁର ଗ୍ରାମ ନିକଟସ୍ଥ ଖାରୀ ପାହାଡ଼ ଜଙ୍ଗଲରୁ ରବିବାର ସକାଳୁ ପୁଲିସ ବୃନ୍ଦାବନପୁର ଗ୍ରାମର ଅନୀତା ନାୟକଙ୍କ କଙ୍କାଳ ଉଦ୍ଧାର କରିଛି। ପ୍ରାୟ ଏକ ବର୍ଷ ପରେ ଯୁବତୀଙ୍କ କଙ୍କାଳ ଉଦ୍ଧାର କରାଯାଇଛି। ପୁଲିସ ଘଟଣାସ୍ଥଳରୁ ଏକ ସାଇକଲ ଜବତ କରିଛି। ପ୍ରାଥମିକ ତଦନ୍ତରୁ ଯୁବତୀକୁ ହତ୍ୟା କରାଯାଇଥିବା ଜଣାପଡିଛି। ବୃନ୍ଦାବନପୁର ଗାଁର ସନାତନ ଓ ବିବି ନାୟକଙ୍କ ଝିଅ ଅନୀତା ନିଖୋଜ ହୋଇଯାଇଥିବା ନେଇ ୨୦୨୩ ଅଗଷ୍ଟ ୨୯ ତାରିଖରେ ଥାନାରେ ଏତଲା ହୋଇଥିଲା। ଘଟଣା ଦିନ ଅନୀତା ପୋଡାମାରୀ କଲେଜ ଯାଇ ଘରକୁ ଫେରି ନଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି ପରେ ଝିଅ ନିଖୋଜ ନେଇ ଅଭିଯୋଗ କରିଥିଲେ । ଗତକାଲି ରାତିରେ ଗ୍ରାମର କିଛି ଲୋକ ନିକଟସ୍ଥ ଜଙ୍ଗଲ ସଫା କରୁଥିବା ସମୟରେ ଜଙ୍ଗଲରେ ଖପୁରି ଓ ଲେଡିସ ସାଇକଲ ପଡ଼ିଥିବା ଦେଖିବାକୁ ପାଇଥିଲେ । ଘଟଣା ସମ୍ପର୍କରେ ପାଟପୁର ପୁଲିସକୁ ଜଣାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଖପୁରି ସହ ସାଇକେଲ ଜବତ କରିଥିଲା । ପରେ ସାଇଣ୍ଟିଫିକ ଟିମ୍ ଓ ଅନୁସନ୍ଧାନୀ କୁକୁର ସହାୟତାରେ ଘଟଣାର ଖୋଳତାଡ଼ କରାଯାଇଥିଲା। ସନାତନ ଘଟଣାସ୍ଥଳରେ ପହଞ୍ଚି ଝିଅର ସାଇକଲ ଚିହ୍ନି ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ପୁଲିସ ନିକଟରେ କହିଛନ୍ତି। ପୁଲିସ କଙ୍କାଳ ଓ ସାଇକେଲ ଜବତ କରି ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୂର୍ବରୁ ୨୦୨୩ ସେପ୍ଟେମ୍ବର ୨୪ ତାରିଖରେ ସନାତନଙ୍କ ପୁଅ ସୁନୀଲ ନାୟକ ନିକଟସ୍ଥ ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିବା ବେଳେ ତାଙ୍କୁ ଦୁର୍ବୃତ୍ତମାନେ ହତ୍ୟା କରି ଫିଙ୍ଗି ଦେଇଥିଲେ। ପୁଲିସ ଘଟଣାରେ ପୋଡାମାରୀ ଗ୍ରାମର ଏସ୍. ମାଲେସୁ ପାତ୍ର ଏବଂ ବୃନ୍ଦାବନପୁର ଗ୍ରାମର କୁନା ଦଳାଇକୁ ଗିରଫ କରି ଜେଲ୍ ପଠାଇଥିଲା । ପୂର୍ବ ଶତ୍ରୁତାକୁ ନେଇ ଅଭିଯୁକ୍ତ ମାନେ ପ୍ରଥମେ ଝିଅ ଅନୀତା ଓ ପରେ ପୁଅ ସୁନୀଲକୁ ହତ୍ୟା କରିଥିବା ପୁଲିସ ଆଗରେ କହିଥିବା ଜଣାପଡ଼ିଛି। ଜବତ ହାଡ଼ କଙ୍କାଳ ପରୀକ୍ଷା ପାଇଁ ପଠା ଯାଇଛି। ରିପୋର୍ଟ ଆସିବା ପରେ ପ୍ରକୃତ ତଥ୍ୟ ଜଣାପଡ଼ିବ ବୋଲି ପାଟପୁର ଥାନା ଅଧିକାରୀ ଅଜୟ କୁମାର ସ୍ବାଇଁ କହିଛନ୍ତି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories