ଗାନ୍ଧୀନଗର: ୨୦୦୨ ଗୁଜରାଟ ଦଙ୍ଗା ପୀଡ଼ିତା ବିଲକିସ ବାନୋଙ୍କୁ କ୍ଷତିପୂରଣ ଦେବାକୁ ଗୁଜରାଟ ସରକାର ଘୋଷଣା କରିଛନ୍ତି। ସୋମବାର ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରେ ସରକାର ବିଲ୍କିସଙ୍କୁ ୫୦ ଲକ୍ଷ ଟଙ୍କା, ଚାକିରି ଏବଂ ଗୋଟିଏ ଘର ଦେବେ ବୋଲି କହିଛନ୍ତି।
୨୦୦୨ରେ ଗୁଜରାଟରେ ଦଙ୍ଗା ସମୟରେ ବିଲ୍କିସ ଗଣବଳାତ୍କାରର ଶିକାର ହୋଇଥିଲେ। ଏହି ଦଙ୍ଗାରେ ସେ ତାଙ୍କ ପରିବାରର ୧୪ ଜଣ ସଦସ୍ୟଙ୍କୁ ହରାଇଥିଲେ। ଏହା ସତ୍ବେ ଗୁଜରାଟ ପୁଲିସ ତାଙ୍କ ବଳାତ୍କାର ଅଭିଯୋଗକୁ ଖାରଜ କରିଦେଇଥିଲା। ପରେ ସେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଦୀର୍ଘ ୧୫ ବର୍ଷ ଧରି ସେ ନ୍ୟାୟ ପାଇଁ ଆଇନଗତ ଲଢ଼େଇ ଜାରି ରଖିଥିଲେ। ଶେଷରେ ସୁପ୍ରିମକୋର୍ଟ ତାଙ୍କୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଓ ଚାକିରି ଦେବାକୁ ଗୁଜରାଟ ସରକାରଙ୍କୁ ନିର୍ଦେଶ ଦେଇଥିଲେ। କୋର୍ଟଙ୍କ ଆଦେଶ କାର୍ଯ୍ୟକାରୀ କରିବାରେ ମଧ୍ୟ ସରକାର ୫ମାସ ବିଳମ୍ବ କରିଥିଲେ। ସୋମବାର ପୁଣି ଥରେ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ସହ କ’ଣ ପାଇଁ ନିର୍ଦେଶ କାର୍ଯ୍ୟକାରୀ ହୋଇନି ବୋଲି ପ୍ରଶ୍ନ କରିଥିଲେ। ଏହାପରେ ସରକାରଙ୍କ ପକ୍ଷରୁ ୨ ସପ୍ତାହ ମଧ୍ୟରେ କ୍ଷତିପୂରଣ ଦିଆଯିବ ବୋଲି କୁହାଯାଇଥିଲା।



