ଗୃହରେ ଚୁଡ଼ା, ମୁଢ଼ି ଝଡ଼
ଭୁବନେଶ୍ୱର : ଚୁଡ଼ା, ମୁଢ଼ି, ଖଇ ଆଦି ସାମଗ୍ରୀ ଉପରେ ଦ୍ରବ୍ୟ ଓ ସେବା ଟିକସ(ଜିଏସ୍ଟି) ଲାଗୁ କରାଯିବା ପ୍ରତିବାଦରେ ସୋମବାର ଶୂନ୍ୟକାଳରେ ବିଧାନସଭାରେ ବିରୋଧୀ କଂଗ୍ରେସ ସଭ୍ୟମାନେ ପ୍ରବଳ ହଟ୍ଟଗୋଳ କରିଥିଲେ। ସେମାନେ ଗୃହର ମଧ୍ୟଭାଗକୁ ଆସି ସ୍ଳୋଗାନ ଦେବା ସହିତ ଏସବୁ ସାମଗ୍ରୀ ଉପରୁ ଜିଏସ୍ଟି ପ୍ରତ୍ୟାହାର ପାଇଁ ଦାବି କରିଥିଲେ। ପ୍ରବଳ ହଟ୍ଟଗୋଳ କାରଣରୁ ବାଚସ୍ପତି ବିକ୍ରମକେଶରୀ ଆରୁଖ ଦୁଇଟି ପର୍ଯ୍ୟାୟରେ ଗୃହକୁ ୧୧ଟା ୫୧ରୁ ପ୍ରଥମେ ୧୦ ମିନିଟ୍ ଓ ପରେ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ। କଂଗ୍ରେସ ସଭ୍ୟମାନେ ଖାଦ୍ୟ ସାମଗ୍ରୀ ଉପରେ ଲାଗୁ କରାଯାଇଥିବା ଜିଏସ୍ଟି ପ୍ରତ୍ୟାହାର ପାଇଁ ଏକ ସଂକଳ୍ପ ଆଣିବା ନିମନ୍ତେ ବାଚସ୍ପତିଙ୍କ ନିକଟରେ ଦାବି କରିବା ସହିତ ଏ ସମ୍ପର୍କରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ ବିବୃତି ରଖିବାକୁ ଦାବି କରିଥିଲେ। ଶୂନ୍ୟକାଳରେ ପ୍ରଥେମ ଏ ପ୍ରସଙ୍ଗ ଉଠାଇ କଂଗ୍ରେସ ସଭ୍ୟ ତାରାପ୍ରସାଦ ବାହିନୀପତି କହିଥିଲେ ଯେ, ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ଜିଏସ୍ଟି କାଉନସିଲ ଅଧ୍ୟକ୍ଷ ଓ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ ଏକ କମିଟି ଗଠନ ହେଉ। ଶ୍ରୀ ବାହିନୀପତି କହିଥିଲେ ଗରିବ ଲୋକଙ୍କ ଖାଦ୍ୟ ମୁଢ଼ି, ଚୁଡ଼ା, କ୍ଷୀର, ହଦି, ଖଇ ଉପରେ କେନ୍ଦ୍ର ସରକାର ଜିଏସ୍ଟି ଲାଗୁ କରିବା ଦ୍ୱାରା ଚାଷୀ ପରିବାର କ୍ଷତିଗ୍ରସ୍ତ ହେବେ ବୋଲି ସେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ଏହାକୁ ସମର୍ଥନ କରି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଥିଲେ ଲୋକମାନେ ଆଉ ଜଳଖିଆରେ ମୁଢ଼ି, ଚୁଡ଼ା, ଖଇ, ଦହି ଖାଇପାରିବେ ନାହିଁ। ଏହାକୁ ତୁରନ୍ତ ପ୍ରତ୍ୟାହାର କରାଯାଉ। ଶାସକ ଦଳର ସଭ୍ୟ ଅମରପ୍ରସାଦ ଶତପଥୀ କହିଥିଲେ ଯେ ଜିଏସ୍ଟି ପ୍ରସଙ୍ଗରେ କେବଳ କେନ୍ଦ୍ର ସରକାର ନୁହଁନ୍ତି;
ରାଜ୍ୟ ସରକାରଙ୍କ ମତାମତ ଆଧାରରେ ଜିଏସ୍ଟି କାଉନସିଲ ନିଷ୍ପତ୍ତି ନିଅନ୍ତି। ମନଇଚ୍ଛା ଏଗୁଡ଼ିକୁ ଜିଏସ୍ଟି ପରିସରଭୁକ୍ତ କରାଗଲେ ରାଜ୍ୟର ସ୍ୱାର୍ଥ ପୂରଣ ହେବନାହିଁ। ଏହା ଉପରେ ଆମର ଭୂମିକା କ’ଣ ଅର୍ଥମନ୍ତ୍ରୀ ଗୃହରେ ବିବୃତି ରଖିବାକୁ ନିର୍ଦେଶ ଦେବାକୁ ସେ ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ।
କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଜିଏସ୍ଟି ଛାଡ଼ ପାଇଁ ଦାବି କରିବା ସହିତ ଏହା ଉପରେ ମନ୍ତ୍ରୀ ଉତ୍ତର ରଖିବାକୁ ନିର୍ଦେଶ ଦେବା ପାଇଁ ବାଚସ୍ପତିଙ୍କ ଦୃଷ୍ଟିଆକର୍ଷଣ କରିବା ସହ ପ୍ରଶ୍ନକାଳରେ ନିଷ୍ପତ୍ତି ପ୍ରତ୍ୟାହାର ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଚିଠି ଲେଖିବାକୁ ଦାବି କରିଥିଲେ।
ତେବେ ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ ଏହା ଉପରେ ପ୍ରତିକ୍ରିୟା ରଖି କହିଥିଲେ ଯେ, ଜିଏସ୍ଟି ଲାଗୁ କରାଯିବା ନିଷ୍ପତ୍ତି ଜିଏସ୍ଟି କାଉନସିଲ ନେଇଥାନ୍ତି, ତେଣୁ ଓଡ଼ିଶା ଏକାକୀ ଏ ଦିଗରେ କିଛି ନିଷ୍ପତ୍ତି ନେଇପାରିବନାହିଁ। କେବଳ ପ୍ୟାକେଜ୍ ହୋଇଥିବା ଚୁଡ଼ା, ମୁଢ଼ି ଉପରେ ଟିକସ ଲାଗୁଥିବାରୁ ସାଧାରଣ ଖାଉଟିଙ୍କ ଉପରେ ଏହାର ପ୍ରଭାବ ପଡ଼ିବନାହିଁ ବୋଲି ସେ କହିଥିଲେ। ତେବେ ଶୂନ୍ୟକାଳରେ ଏହି ପ୍ରସଙ୍ଗକୁ ନେଇ କଂଗ୍ରେସ ସଭ୍ୟମାନେ ଜୋରଦାର ପ୍ରତିବାଦ କରିବା ସହିତ ଗୃହ ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିବାରୁ ବାଚସ୍ପତି ଗୃହକୁ ମୁଲତବୀ ରଖିଥିଲେ।
କେନ୍ଦ୍ର ସରକାରଙ୍କ ପକ୍ଷରୁ ଜିଏସଟି ଲାଗୁ ପ୍ରସଙ୍ଗକୁ ନେଇ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଅର୍ଥମନ୍ତ୍ରୀଙ୍କୁ ଏକ ନିର୍ଦେଶ ଜାରି କରିଛନ୍ତି। ଅପରାହ୍ଣରେ ଜଳସମ୍ପଦ ବିଭାଗର ଖର୍ଚ୍ଚଦାବି ଆଲୋଚନା କାଳରେ କଂଗ୍ରେସ ବିଧାୟକ ଶ୍ରୀ ବାହିନୀପତି ଉକ୍ତ ପ୍ରସଙ୍ଗ ଦୋହରାଇବା ସହିତ ବାଚସ୍ପତିଙ୍କଠାରୁ ରୁଲିଂ ଦାବି କରିଥିଲେ। ଏହାକୁ ନେଇ ବାଚସ୍ପତି ଶ୍ରୀ ଆରୁଖ ଅର୍ଥମନ୍ତ୍ରୀଙ୍କୁ କେନ୍ଦ୍ର ସରକାରଙ୍କ ସହ ଯୋଗାଯୋଗ କରିବା ସହିତ ପତ୍ର ଲେଖିବାକୁ ଅର୍ଥମନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲେ।
Comments are closed.