ଜଳସେଚିତ ଜମିରୁ ଏକର ପିଛା ୧୯ କୁଇଣ୍ଟାଲ ଧାନ ସଂଗ୍ରହ କରିବେ ସରକାର: ଯୋଗାଣ ମନ୍ତ୍ରୀ
ସମାଜ ଡିଜିଟାଲ ଡେସ୍କ: ଚଳିତବର୍ଷ ରାଜ୍ୟ ସରକାର ଜଳସେଚିତ ଚାଷ ଜମିରୁ ଏକର ପିଛା ୧୯ କୁଇଣ୍ଟାଲ ଧାନ ସଂଗ୍ରହ କରିବେ। ସେହିପରି ଅଣ-ଜଳସେଚିତ ଜମିରୁ ଏକର ପିଛା ୧୩ କୁଇଣ୍ଟାଲ ଧାନ ସଂଗ୍ରହ ପାଇଁ ସ୍ଥିର କରାଯାଇଥିବା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ବିଧାନସଭାରେ ବୁଧବାର ବିଧାୟକ ସନାତନ ମହାକୁଡ଼ଙ୍କ ଏକ ପ୍ରଶ୍ନର ଉତ୍ତରରେ ସେ ଏହା କହିଥିଲେ। ଏକର ପିଛା ଚାଷୀମାନେ ଉତ୍ପାଦନ କରୁଥିବା ସମସ୍ତ ଧାନକୁ ସରକାର କ୍ରୟ କରିବା ଲାଗି ନିଷ୍ପତ୍ତି ନେବେ କି ବୋଲି ସନାତନ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ମନ୍ତ୍ରୀ କହିଥିଲେ ଯେ, ନିର୍ଦ୍ଧାରିତ ଅମଳ ହାରରେ ଚାଷୀ ତା’ର ଉତ୍ପାଦିତ ଧାର୍ଯ୍ୟ ବଳକା ଧାନ ସରକାରଙ୍କୁ ବିକ୍ରି କରିପାରିବେ।
ସେହିପରି ବିଧାୟକ ଟଙ୍କଧର ତ୍ରିପାଠୀ ମଧ୍ୟ ଯୋଗାଣ ମନ୍ତ୍ରୀଙ୍କୁ ଧାନ କିଣା ସମ୍ପର୍କରେ ପ୍ରଶ୍ନ କରିଥିଲେ। ଚଳିତ ଖରିଫ ଋତୁରେ ଧାନ କିଣା ପାଇଁ କେତେ ଅର୍ଥ ଆବଶ୍ୟକ ଏବଂ ଏହି ଅର୍ଥ ସରକାର କେଉଁ ସୂତ୍ରରୁ ଆଣିବେ, ଧାନ କିଣା ବାବଦରେ କେତେ ଅର୍ଥ କେନ୍ଦ୍ର ସରକାରଙ୍କଠାରୁ ପାଇବାର ଅଛି ଏବଂ ଏଥିପାଇଁ ବ୍ୟାଙ୍କରୁ ଆଣିଥିବା ଋଣ ଓ ସୁଧର ପରିମାଣ କେତେ, କେନ୍ଦ୍ର ସରକାର ଶେଷଥର କେବେ ଅର୍ଥ ଦେଇଥିଲେ ଓ କେବେ ସୁଦ୍ଧା ସମସ୍ତ ଅର୍ଥ ପ୍ରଦାନ କରିବେ ତାହା ଦର୍ଶାଇବେ କି ତ୍ରିପାଠୀ ପ୍ରଶ୍ନ କରିଥିଲେ। ଉତ୍ତରରେ ମନ୍ତ୍ରୀ ପାତ୍ର କହିଥିଲେ, ୨୦୨୪-୨୫ ଖରିଫ ଋତୁର ଧାନ କ୍ରୟ ଲାଗି ରାଜ୍ୟ ଯୋଗାଣ ନିଗମ ପାଇଁ ୧୯ ହଜାର ୫୫୦ କୋଟି ଟଙ୍କା ଆବଶ୍ୟକ। ଏହି ଅର୍ଥ ଭାରତୀୟ ଖାଦ୍ୟ ନିଗମରୁ ବଳକା ଚାଉଳ ବିକ୍ରୟ ବାବଦ ପ୍ରାପ୍ୟ, କେନ୍ଦ୍ର ସରକାରଙ୍କଠାରୁ ବକେୟା ଥିବା ଆର୍ଥିକ ସହାୟତା ରାଶି ଏବଂ ବ୍ୟାଙ୍କ ଋଣ ମାଧ୍ୟରେ ହାସଲ କରାଯିବ। ଯୋଗାଣ ନିଗମ ଧାନ କିଣା ବାବଦରେ କେନ୍ଦ୍ର ସରକାରଙ୍କଠାରୁ ୯ ହଜାର ୮୫୦ କୋଟି ଟଙ୍କା ପାଇବାକୁ ଅଛି। ଗତ ଡିସେମ୍ବର ୫ ସୁଦ୍ଧା ୧୭ ହଜାର ୪୧୩ କୋଟି ଟଙ୍କା ବ୍ୟାଙ୍କରୁ ଋଣ କରାଯାଇଛି। କେନ୍ଦ୍ର ସରକାର ସବସିଡି ବାବଦରେ ୨୦୨୪-୨୫ ଆର୍ଥିକ ବର୍ଷରେ ଡିସେମ୍ବର ୧୦ ସୁଦ୍ଧା ୫୦୧୧ କୋଟି ଟଙ୍କା ପ୍ରଦାନ କରିଛନ୍ତି। ୨୦୨୦-୨୧ରୁ ୨୦୨୪-୨୫ ପର୍ଯ୍ୟନ୍ତ କେନ୍ଦ୍ର ସରକାର ବକେୟା ରାଶି ପର୍ଯ୍ୟାୟକ୍ରମେ ପ୍ରଦାନ କରିଆସୁଛନ୍ତି।
Comments are closed.