ଗୌରୀ ଲଙ୍କେଶ ହତ୍ୟା ମାମଲା : ଅଭିଯୋଗଫର୍ଦ୍ଦ ଦାଖଲ କଲା ଏସ୍‍ଆଇଟି

0

ନୂଆଦିଲ୍ଲୀ : ସାମ୍ବାଦିକା ଗୌରୀ ଲଙ୍କେଶ ହତ୍ୟା ମାମଲାରେ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି) ବୁଧବାର ୬୫୦ ପୃଷ୍ଠା ସମ୍ବଳିତ ଅଭିଯୋଗଫର୍ଦ ଦାଖଲ କରିଛି। ଏଥିରେ ଫରେନ୍ସିକ୍‍ ସାଇନ୍ସ ଲାବୋରେଟୋରୀ (ଏଫ୍‍ଏସ୍‍ଏଲ୍‍) ଅଧିକାରୀ, ମାମଲାର ୨ ଅଭିଯୁକ୍ତ କେ. ଟି. ନବୀନ ଏବଂ ପ୍ରବୀଣଙ୍କ ସମେତ ୧୩୧ ଜଣ ଲୋକଙ୍କ ସାକ୍ଷ୍ୟ ରହିଛି। ନବୀନକୁ ପୁଲିସ ଗତ ଫେବୃଆରୀରେ ଗିରଫ କରିଥିଲା। ଲଙ୍କେଶ ହତ୍ୟାକାଣ୍ଡରେ ବ୍ୟବହୃତ ପ୍ରତ୍ୟେକ ଗୁଳିକୁ ଉତ୍ତର ପ୍ରଦେଶରୁ ୧୦୦୦ ଟଙ୍କା ଲେଖାଏଁ ମୂଲ୍ୟରେ କିଣିଥିବା ନବୀନ ଜେରା ବେଳେ ପୁଲିସକୁ କହିଛି। କୁମାର ନାମକ ଅନ୍ୟ ଜଣେ ଅଭିଯୁକ୍ତକୁ ସିସିଟିଭି ଫୁଟେଜ୍‍ରୁ କର୍ଣ୍ଣାଟକ ପୁଲିସର ଏସ୍‍ଆଇଟି ଚିହ୍ନଟ କରିବା ପରେ ଫେବୃଆରୀ ୧୮ରେ ଗିରଫ କରାଯାଇଥିଲା। ନିକଟରେ କର୍ଣ୍ଣାଟକ ପୁଲିସ ଏହି ମାମଲାରେ ଅନ୍ୟ ୪ ଜଣଙ୍କୁ ଗିରଫ କରିଛି। ଲଙ୍କେଶ ଏବଂ କନ୍ନଡ ଛାତ୍ର ଏମ୍‍. ଏମ୍‍. କାଲବର୍ଗିଙ୍କୁ ଗୋଟିଏ ଅସ୍ତ୍ର (୭.୬୫ଏମ୍‍ଏମ୍‍ ବନ୍ଧୁକ)ରେ ହତ୍ୟା କରାଯାଇ ଥାଇପାରେ ବୋଲି ଫରେନ୍ସିକ୍‍ ରିପୋର୍ଟରେ ଦର୍ଶାଯାଇଛି। କାଲବର୍ଗିଙ୍କୁ ୨୦୧୫ ଅଗଷ୍ଟରେ ଧର୍‍ୱାଡସ୍ଥିତ ତାଙ୍କ ବାସଭବନରେ ହତ୍ୟା କରାଯାଇଥିଲା। ଲଙ୍କେଶଙ୍କୁ ୨୦୧୭ ସେପ୍ଟେମ୍ବର ୫ରେ ବେଙ୍ଗାଲୁରୁସ୍ଥିତ ତାଙ୍କ ବାସଭବନ ନିକଟରେ ହତ୍ୟା କରାଯାଇଥିଲା।

Leave A Reply