ଗୋପାଳପୁର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପଞ୍ଚମା ଗ୍ରାମରେ ଯୁବକଙ୍କୁ ଠେଙ୍ଗା ଓ ଖଣ୍ଡାରେ ମରଣାନ୍ତକ ଆକ୍ରମଣ ସହ ଜାତିଆଣ ଆକ୍ଷେପ ଅଭିଯୋଗରେ ଚାରି ଅଭିଯୁକ୍ତକୁ ଗୋଳନ୍ଥରା ଥାନା ପୁଲିସ ଗୁରୁବାର ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ପଞ୍ଚମା ଗ୍ରାମର ଭୀମ ପ୍ରଧାନ, ବିକାଶ ନାହକ, ରୁଦ୍ର ସାମଲ ଓ ରଙ୍ଗିପୁର ଗ୍ରାମର ରାଜା ନାହକ ବୋଲି ପୁଲିସ ସୂଚନା ଦେଇଛନ୍ତି ।
ପ୍ରମିଳା ଦାସ ଓ ତାଙ୍କ ପୁଅ ରାଜେଶ ଦାସ ଏପ୍ରିଲ ୨୨ ତାରିଖରେ ଘରକୁ ଆସୁଥିବା ବେଳେ ରାତି ପ୍ରାୟ ୧୦ ଟାରେ ରଣ୍ଢା ଓ ପଞ୍ଚାମା ରାସ୍ତାରେ ୮ ରୁ ୧୦ ଜଣ ଯୁବକ ହଠାତ ସେମାନଙ୍କ ସମ୍ମୁଖକୁ ଆସି ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଖଣ୍ଡା ଠେଙ୍ଗା ଦ୍ଵାରା ମରଣାନ୍ତକ ଆକ୍ରମଣ କରିଥିଲେ । ଏହି ଘଟଣା ନେଇ ଥାନାରେ ଅଭିଯୋଗ କଲେ ଜୀବନରେ ମାରି ଦେବୁ ବୋଲି ଧମକ ଦେଇଥିଲେ । ସ୍ଥାନୀୟ ଲୋକ ରାଜେଶକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲ ଭର୍ତି କରିଥିଲେ । ଏ ନେଇ ପ୍ରମିଳା ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଘଟଣାପର ଠାରୁ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ । ଗୁରୁବାର ଗୋଳନ୍ଥରା ଥାନା ପୁଲିସ ବିଭିନ୍ନ ସ୍ଥାନରେ ଚଡାଉ କରି ଭିମା, ବିକାଶ, ରୁଦ୍ର ଓ ରାଜା ଉଠେଇ ନେଇ ଥାନାରେ ଅଟକ ରଖି ପଚାର ଉଚରା କରିବା ପରେ ସନ୍ଧ୍ୟାରେ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ସୂଚନା ମିଳିଛି ।



