ମାଣ୍ଡିଆପଲ୍ଲୀରୁ ଚୋରି ମାମଲା; ୩ ସିନ୍ଧି ଚୋର ସହ ସୁନାରି ଗିରଫ

ମାଲିକଙ୍କୁ ଟଙ୍କା ଓ ସୁନା ଫେରାଇଲା ପୁଲିସ

ଗୋପାଳପୁର: ମାଣ୍ଡିଆପଲ୍ଲୀ ଅଞ୍ଚଳରୁ ସିନ୍ଧି ଚୋରମାନେ ଲକ୍ଷାଧିକ ଟଙ୍କାର ସୁନା ଓ ରୂପା ଗହଣା ସମେତ ଟଙ୍କା ଚୋରି ମାମଲାରେ ପୁଲିସକୁ ସଫଳତା ମିଳିଛି। ପୁଲିସ ୩ ସିନ୍ଧି ଚୋର ସମେତ ଚୋରି ସୁନା ଅଳଙ୍କାର କିଣିଥିବା ସୁନାରିକୁ ଗିରଫ କରିବା ସହ ସେମାନଙ୍କଠାରୁ ଅଳଙ୍କାର ଓ ଟଙ୍କା ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ରମ୍ଭା ଥାନା ଅନ୍ତର୍ଗତ ଛାମୁଆଁ ସାହିର ଶିବ ପରିଡା, ବେଗୁନିଆ ପଡ଼ା ଥାନା ଅନ୍ତର୍ଗତ ଲଛିପୁରର ଏନ ପ୍ରମୋଦ ପ୍ରଧାନ, ବଡ ବଜାର ଥାନା ଅନ୍ତର୍ଗତ କୁଠାରୀ ମନ୍ଦିର ସାହି ତ୍ରିନାଥ ମନ୍ଦିର ଛକର ସୁଦର୍ଶନ ସାହୁ ପ୍ରମୁଖଙ୍କ ସମେତ ସୁନା ଗହଣା କିଣିଥିବା ବଡ ବଜାର ଥାନା ଅନ୍ତର୍ଗତ ହରିଡ଼ାଖଣ୍ଡିର କେ ରାମୁ ଆଚାରୀ ବୋଲି ଗୋପାଳପୁର ପୁଲିସ ସୂଚନା ଦେଇଛି।

ଅଭିଯୋଗ ଅନୁଯାୟୀ, ଗତ ଜାନୁଆରୀ ୩ ତାରିଖରେ ମାଣ୍ଡିଆପଲ୍ଲୀ ମାଳତିନଗର ବାସିନ୍ଦା ସୁଶାନ୍ତ କୁମାର ପଟ୍ଟନାୟକଙ୍କ ପରିବାର କୌଣସି କାମରେ ଘରେ ତାଲା ପକାଇ ବାହାରକୁ ଯାଇଥିଲେ। ଅପରାହ୍ନ ପ୍ରାୟ ସାଢ଼େ ୩ଟା ବେଳେ ଚୋରମାନେ ଏକ ମୋଟରସାଇକେଲରେ ସେଠାରେ ପହଞ୍ଚି ଘରର ପଛପଟ ଗ୍ରିଲ ତାଡି ୨୦୦ ଗ୍ରାମ ଓଜନର ସୁନା ଅଳଙ୍କାର ସହ ରୂପା ଅଳଙ୍କାର ଏବଂ ୨ ଲକ୍ଷ ଟଙ୍କା ଚୋରି କରି ନେଇଥିଲେ। ଏନେଇ ସୁଶାନ୍ତଙ୍କ ପକ୍ଷରୁ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଅଭିଯୋଗକୁ ଭିତ୍ତି କରି ୦୩/୨୪ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ସଦର ଏସଡିପିଓ ଶିବ ଶଙ୍କର ମହାପାତ୍ର ଘଟଣାକୁ ଗୁରୁତର ସହ ନେଇ ଆଖପାଖ ଅଞ୍ଚଳରେ ଥିବା ସିସିଟିଭି ଫୁଟେଜ ଯାଞ୍ଚ କରି ତଦନ୍ତ ଆରମ୍ଭ କରିଥିଲେ। ତଦନ୍ତ ସମୟରେ ମୁଖ୍ୟ ଆସାମୀ ସୁଦର୍ଶନଙ୍କୁ ଗିରଫ କରିବା ପରେ ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟମାନଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କଠାରୁ ୧ ଲକ୍ଷ ୫୮ ଟଙ୍କା ଜବତ ସହ ସୁନାରିଠାରୁ ୧୮୯.୯୯ ଗ୍ରାମର ସୁନା ଜବତ କରିଥିଲେ। ଏହା ସହ ସୋମବାର ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟଠାରେ ପୁଲିସ ପକ୍ଷରୁ ସୁଶାନ୍ତଙ୍କୁ ଜବତ କରାଯାଇଥିବା ଟଙ୍କା ସହ ଅଳଙ୍କାର ହସ୍ତାନ୍ତର କରାଯାଇଥିଲା।

ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ମୁଖ୍ୟ ଅଭିଯୁକ୍ତ ସୁଦର୍ଶନଙ୍କ ନାମରେ ପୁରୁଷୋତ୍ତମପୁର ଥାନା ସମେତ କୋଦଳା ଓ ଛତ୍ରପୁର ଥାନାରେ ୫ଟି ମାମଲାରେ ସମ୍ପୃକ୍ତି ରହିଥିବା ବେଳେ ପୂର୍ବରୁ ବିଭିନ୍ନ ଚୋରି ମାମଲାରେ ଗିରଫ ହୋଇ ଜେଲ ଯାଇଛନ୍ତି। ପେସାରେ ଜଣେ ଫେରି ବାଲା ହୋଇଥିବା ବେଳେ ଦିନ ତମାମ ସାମଗ୍ରୀ ବିକ୍ରି କରିବା ଆଳରେ ବନ୍ଦ ରହିଥିବା ଘରର ସୂଚନା ସଗ୍ରହ କରିବା ପରେ ଟିମ୍ ସଦସ୍ୟଙ୍କୁ ନେଇ ଚୋରି କରିଥାନ୍ତି ବୋଲି ଏସଡିପିଓ ଶିବ ଶଙ୍କର ମହାପାତ୍ର ପ୍ରକାଶ କରିଛନ୍ତି।

Comments are closed.