ପ୍ରଫେସରଙ୍କୁ ମାଡ ମାରିଥିବା ୨ ଛାତ୍ରଙ୍କୁ ବିଶ୍ବବିଦ୍ୟାଳୟକୁ ବାରଣ, ଛାତ୍ର ଅସନ୍ତୋଷ

ଗୋପାଳପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଅଧ୍ୟୟନରତ ଦୁଇ ଛାତ୍ର ପ୍ରଫେସରଙ୍କୁ ମାଡ ମାରିବା ଘଟଣା ପରେ ବିଶ୍ବବିଦ୍ୟାଳୟ ଶୃଙ୍ଖଳା କମିଟି ପକ୍ଷରୁ ଅଭିଯୁକ୍ତ ଦୁଇ ଛାତ୍ରଙ୍କୁ କ୍ୟାମ୍ପସ ପ୍ରବେଶ ଉପରେ ବାରଣ ନେଇ ନୋଟିସ ଜାରି କରାଯିବା ଘଟଣା ନେଇ କ୍ୟାମ୍ପସ ପରିସରରେ ଛାତ୍ର ଉତ୍ତେଜନା ପ୍ରକାଶ ପାଇଛି। ଗତ ଜୁନ ୩୦ ତାରିଖରେ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ଦ୍ବିତୀୟ ବର୍ଷର ଦୁଇ ଛାତ୍ର ଦିନେଶ ପାଢ଼ୀ ଓ ହୃଷିକେଶ ବାଡତିୟା ଓଡିଆ ବିଭାଗ ପ୍ରଧ୍ୟାପକ ପ୍ରଫେସର ସଦାନନ୍ଦ ନାୟକଙ୍କ ବାସଭବନରେ ପଶି ତାଙ୍କୁ ମାଡ଼ ମାରିଥିଲେ। ଏହି ଘଟଣା ନେଇ ପୁଲିସରେ ମାମଲା ରୁଜୁ ପରେ ପୁଲିସ ପକ୍ଷରୁ ଦୁଇ ଛାତ୍ରଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା।

ଏହି ଘଟଣା ନେଇ ବିଶ୍ବବିଦ୍ୟାଳୟ ଶୃଙ୍ଖଳା କମିଟି ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହେବା ସହ ୩ ଦିନ ମଧ୍ୟରେ ଅଭିଯୁକ୍ତ ଦୁଇ ଛାତ୍ର ଦିନେଶ ଓ ହୃଷିକେଶଙ୍କୁ କାରଣ ଦର୍ଶାଅ ନୋଟିସ ଶୃଙ୍ଖଳା କମିଟିକୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଜଣେ ଛାତ୍ର ନୋଟିସ ପାଇଥିବା ବେଳେ ଅନ୍ୟ ଜଣେ ଛାତ୍ର ନୋଟିସ ପାଈ ନ ଥିବା ଜଣାପଡିଛି। ନୋଟିସ ପାଇ ଥିବା ଛାତ୍ରର ଶରୀର ଅସୁସ୍ଥ ଯୋଗୁଁ କାରଣ ଦର୍ଶାଅ ନୋଟିସର ଜବାବ ଦେଇନଥିଲେ। ଶୃଙ୍ଖଳା କମିଟିର ଏକ ବୈଠକ ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ପ୍ରତାପ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବା ସହ ଆସନ୍ତା ୧୮ ତାରିଖରୁ ଆରମ୍ଭ ହେବାକୁ ଥିବା ୪ର୍ଥ ସେମିଷ୍ଟାର ପରୀକ୍ଷା ଥିବା ବେଳେ ଉଭୟ ଛାତ୍ରକୁ କ୍ୟାମ୍ପସ ପରିସର ପ୍ରବେଶ ଉପରେ ରୋକ ଲଗାଯାଇଥିବା ନେଇ ନୋଟିସ ଜାରି କରାଯାଇଥିଲା।

ଏହି ଘଟଣା ଜଣାପଡ଼ିବା ପରେ ଦିନେଶ ଓ ହୃଷିକେଶ କ୍ୟାମ୍ପସ ପରିସରରେ ଥିବା ସେମିନାର ହଲ ସମ୍ମୁଖରେ କୁଳପତି ପ୍ରଫେସର ଗିତାଞଳୀ ଦାସଙ୍କୁ ସାକ୍ଷାତ କରିବା ସହ ସେମାନଙ୍କୁ ୪ର୍ଥ ସେମିଷ୍ଟାର ପରୀକ୍ଷା ପ୍ରଦାନରେ ଅନୁମତି ଦେବାକୁ ଅନୁରୋଧ କରିଥିଲେ ଏବଂ କ୍ୟାମ୍ପସ ପ୍ରବେଶ ଉପରେ ବାରଣ ଆଦେଶକୁ ଉଠାଇବାକୁ ଅନୁରୋଧ କରିଥିଲେ। କିନ୍ତୁ କୁଳପତି ଏହା ନେଇ କିଛି କରି ପାରିବେ ନାହିଁ, ଶୃଙ୍ଖଳା କମିଟି ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତିକୁ ମାନିବାକୁ ପଡିବ ବୋଲି ରୋକ ଠୋକ ଶୁଣାଇ ଦେଇଥିଲେ। ଏହି ଘଟଣାକୁ ନେଇ ଛାତ୍ର ମହଲରେ ଅସନ୍ତୋଷ ଦେଖା ଦେବା ସହ ଆସନ୍ତା ସୋମବାର ଦିନ ଘଟଣା ନେଇ ପ୍ରତିବାଦ କରାଯିବା ସହ ଛାତ୍ରମାନେ ଆନ୍ଦୋଳନାତ୍ମକ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରସ୍ତୁତି କରୁଥିବା ଜଣାପଡିଛି। ଏ ନେଇ କୁଳପତିଙ୍କ ସହ ଯୋଗାଯୋଗ ବେଳେ କହିଥିଲେ ଯେ ଶୃଙ୍ଖଳା କମିଟି ଯାହା ନିଷ୍ପତ୍ତି ନେଇଛି ତାହା କାର୍ଯ୍ୟକାରୀ କରାଯିବ। ଅନ୍ୟ ପଟେ ଗତ ଜୁଲାଇ ୧ ତାରିଖରେ ଜନୈକ ବିଦ୍ୟାର୍ଥୀଙ୍କ ପକ୍ଷରୁ ଓଡିଆ ପ୍ରଫେସର ସଦାନନ୍ଦ ନାୟକଙ୍କ ପକ୍ଷରୁ ତାଙ୍କୁ ଅସଦାଚରଣ ନେଇ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଯଦ୍ୱାରା ପୁଲିସ ପ୍ରଫେସର ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ‌‌‌। କିନ୍ତୁ ବିଶ୍ବବିଦ୍ୟାଳୟ ପକ୍ଷରୁ ପ୍ରଫେସର ନାୟକଙ୍କ ବିରୋଧରେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାରୁ ଅସନ୍ତୋଷ ବ୍ୟକ୍ତ କରିବା ସହ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରଫେସର ନାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ଜଣାଇଛନ୍ତି।

Comments are closed.