ରାଜ୍ୟ ସରକାର ଜାଗା ଦେଲେ ବ୍ରହ୍ମପୁରରେ ବିମାନ ବନ୍ଦର ପ୍ରତିଷ୍ଠା ହେବ: କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଗୋପାଳପୁର: ଓଡ଼ିଶା ସରକାର ଜମି ଉପଲବ୍ଧ କରାଇଲେ କେନ୍ଦ୍ର ସରକାର ବ୍ରହ୍ମପୁରରେ ବିମାନ ବନ୍ଦର ନିଶ୍ଚିତ ପ୍ରତିଷ୍ଠା ହେବ ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଗୋଳନ୍ଥରା ସ୍ଥିତ ଇଶାଣେଶ୍ବର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁଶାସନ, ସେବା, ଗରିବ କଲ୍ୟାଣର ୮ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ‘ବିଶାଳ କାର୍ଯ୍ୟକର୍ତ୍ତା ସମାବେଶ’କୁ ସମ୍ବୋଧିତ କରିବା ଅବସରରେ ଶ୍ରୀ ପ୍ରଧାନ ଏହା କହିଛନ୍ତି। ଦେଶ ଆଜି ଆଜାଦି କି ଅମୃତ ମହୋତ୍ସବ ଉତ୍ସବ ପାଳନ କରୁଛି।ଦେଶର ସ୍ୱାଧୀନତାର ୭୫ ବର୍ଷ ପୂରଣ କରିଥିବା ବେଳେ ଆଗାମୀ ୨୫ ବର୍ଷର ଯାତ୍ରାର ଅମୃତ କାଳ ହେବା ସହ ଭାରତ ବିଶ୍ୱଗୁରୁ ହେବ ଏବଂ ବିଶ୍ୱର ନେତୃତ୍ୱ ନେବ ବୋଲି ପ୍ରଧାନମନ୍ତ୍ରୀ କହିଥିବା କଥାକୁ ଶ୍ରୀ ପ୍ରଧାନ ଦୋହରାଇଥିଲେ।

ଓଡ଼ିଶାର ସାଧାରଣ ପରିବାରର ଜନଜାତି ମହିଳା ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ରାଷ୍ଟ୍ରପତି ପାଇଁ ପ୍ରାର୍ଥୀ କରି ପ୍ରଧାନମନ୍ତ୍ରୀ ସାଢ଼େ ୪ କୋଟି ଓଡ଼ିଆ ଲୋକଙ୍କୁ ସମ୍ମାନ କରିଥିବା ପ୍ରକାଶ କରିବା ସହ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପ୍ରାର୍ଥୀ ହେବା ଏକ ନିର୍ବାଚନ ବିଷୟ ନୁହେଁ ବରଂ ଓଡିଶାର ସ୍ୱାଭିମାନର ବିଷୟ। ପ୍ରଧାନମନ୍ତ୍ରୀ ପଦ୍ମ ପୁରସ୍କାର ସମେତ, ଓଡ଼ିଆଙ୍କୁ ଅନ୍ୟାନ୍ୟ ବଡ ଦାୟିତ୍ୱ ଦେବା ଓ ଗରିବ କଲ୍ୟାଣରେ ଓଡ଼ିଶାକୁ ପ୍ରାଧାନ୍ୟ ଦେଇଛନ୍ତି। ମୋଦି ଯେଉଁ କାମ ଓଡ଼ିଶା ପାଇଁ କରିଛନ୍ତି, ସେଥିପାଇଁ ଆଗାମୀ ଶତାବ୍ଦୀ ଶତାବ୍ଦୀ ପର୍ଯ୍ୟନ୍ତ ଓଡ଼ିଆ ଲୋକମାନେ ତାଙ୍କୁ ଭୁଲିପାରିବେ ନାହିଁ। ଏଥିପାଇଁ ସାଢ଼େ ୪ କୋଟି ଓଡ଼ିଆଙ୍କ ତରଫରୁ ମହାପ୍ରଭୁଙ୍କ ଅନନ୍ୟ ଭକ୍ତ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ମତବ୍ୟକ୍ତ କରିଥିଲେ।

କରୋନା ସମୟରେ ମୋଦି, ସୁରତରେ ରହୁଥିବା ଓଡ଼ିଆଙ୍କ ନିମନ୍ତେ ଚିନ୍ତା କରୁଥିଲେ, ସେମାନଙ୍କ ଖାଇବା ବ୍ୟବସ୍ଥା, ଘରକୁ ଫେରିବା ନିମନ୍ତେ ଟ୍ରେନର ସୁବିଧା କରାଇଥିଲେ। ପୋଲିଓ ଟିକା ନିମନ୍ତେ ଭାରତକୁ ୩୦ ବର୍ଷ ସମୟ ଲାଗିଥିଲା କିନ୍ତୁ କରୋନା ଟିକା ପ୍ରସ୍ତୁତ ନିମନ୍ତେ ମାତ୍ର ଦେଢବର୍ଷ ସମୟରେ ଟିକା ପ୍ରସ୍ତୁତ ସହ ପ୍ରାୟ ୨୦୦ କୋଟି ଲୋକଙ୍କୁ ମାଗଣାରେ ଏହି ଟିକା ପ୍ରଦାନ କରାଯାଇ ପାରିଥିଲା। ଏହା କେବଳ ନରେନ୍ଦ୍ର ମୋଦୀ ସରକାର ହିଁ ସମ୍ଭବ ହୋଇ ପାରିଛି, ଏଣୁ ମୋଦି ହେ ତୋ ମୁମକିନ ହେ ବୋଲି ମତପୋଷଣ କରିଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ବିଭୂତି ଭୂଷଣ ଜେନା ଅଧ୍ୟକ୍ଷତା କରିବା ସହ ଓଡିଶା ସରକାର, କେନ୍ଦ୍ର ପକ୍ଷରୁ ଦିଆଯାଉଥିବା ବିଭିନ୍ନ ଯୋଜନାକୁ ନିଜ ନାମ ଲଗାଇ ପ୍ରଚାର କରୁଥିବା ମତବ୍ୟକ୍ତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ ରାଓ, ନିଳମଣୀ ବିଷୋୟୀ, କାହ୍ନୁଚରଣ ପାତ୍ରଙ୍କ ସମେତ ୧୦ ହଜାରରୁ ଉର୍ଦ୍ଧ୍ବ କର୍ମୀ ଓ ନେତା ଉପସ୍ଥିତ ରହିଥିଲେ। ଏହି ଅବସରରେ ଗୋଳନ୍ଥରାରେ ନିର୍ମିତ ହୋଇଥିବା ବନ୍ଦେଂ ମାତାରାଂ ଭବନକୁ ଉଦଘାଟନ କରିବା ସହ ମଧ୍ୟାହ୍ନ ଭୋଜନ କରିଥିଲେ। ଧର୍ମେନ୍ଦ୍ର ପ୍ରଧାନଙ୍କୁ ଲଉଡିଗାଁ, ଦାସପୁର, କନିଷି ଓ ଗୋଳନ୍ଥରା ଠାରେ ଜନସାଧାରଣ ସମେତ ବିଜେପି କର୍ମକର୍ତ୍ତାଙ୍କ ପକ୍ଷରୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। କନିଷି ଠାରୁ ପ୍ରାୟ ୧ ହଜାର ମୋଟରସାଇକେଲ ରାଲିରେ ଶ୍ରୀ ପ୍ରଧାନଙ୍କୁ ବିଜେପି ଯୁବମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭାଶିଷ ସାହୁଙ୍କ ନେତୃତ୍ବରେ ଗୋଳନ୍ଥରା ପର୍ଯ୍ୟନ୍ତ ନିଆଯାଇଥିଲା।

Comments are closed.