www.samajalive.in
Wednesday, December 10, 2025
17.1 C
Bhubaneswar

ତେଇସିପୁର ଓ ଦାଣ୍ଡମୁକୁନ୍ଦପୁର ଠାରେ ‘ଗୋପବନ୍ଧୁ ଜ୍ୟୋତି’କୁ ସମ୍ବର୍ଦ୍ଧନା

ପିପିଲି : ଓଡିଶାରେ ଜନ୍ମ ନେଇଥିବା ମହାପୁରୁଷଙ୍କ ମଧ୍ୟରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ସର୍ବାଗ୍ରେ ପୂଜିତ। ସେ ଥିଲେ ଏକାଧାରରେ ସମାଜସେବୀ, ସଂସ୍କାରକ, ବିଶିଷ୍ଟ ଶିକ୍ଷାବିତ୍‍, ଓକିଲ, ବ୍ୟବସ୍ଥାପକ ସଭ୍ୟ, କବିି ତଥା ସାମ୍ବାଦିକତା ଜଗତର ମଉଡମଣି। ଯେତେ ଉପାଧି ଦେଲେ ମଧ୍ୟ ତାହା ତାଙ୍କ ପାଇଁ ଯଥେଷ୍ଟ ନୁହେଁ। ସେ କେବଳ ଉତ୍କଳର ମଣି ନଥିଲେ ବାସ୍ତବରେ ସେ ଥିଲେ ବିଶ୍ୱର ମଣି। ତାଙ୍କର ପ୍ରତି କବିତାରେ ବିଶ୍ୱ ଭାବନାର ଚିତ୍ର ପ୍ରତିଫଳିତ। ତେଣୁ ବିଳମ୍ବ ହେଲେ ମଧ୍ୟ ତାଙ୍କୁ ମରଣୋତ୍ତର ଭାରତରତ୍ନ ପ୍ରଦାନ କରାଯିବାକୁ ଦାବି ହୋଇଛି। ‘ସମାଜ’ ଅନୁଷ୍ଠାନ ପକ୍ଷରୁ ରାଜ୍ୟବ୍ୟାପି ପରିକ୍ରମା କରୁଥିବା ‘ଗୋପବନ୍ଧୁ ଜ୍ୟୋତି’କୁ ତେଇସିପୁର ଠାରେ ସ୍ୱାଗତ କରାଯିବା ଅବସରରେ ଗୋପବନ୍ଧୁପ୍ରେମୀମାନେ ଏହି ଦାବି କରିଛନ୍ତି।
ତେଇସିପୁର ବଜାର ସ୍ଥିତ ପୋଡଙ୍ଗ ଛକ ଠାରେ ଶନିବାର ‘ଗୋପବନ୍ଧୁ ଜ୍ୟୋତି’କୁ ଘଣ୍ଟୁଆ ନୃତ୍ୟ ଓ ସଂକୀର୍ତ୍ତନ ଶୋଭାଯାତ୍ରାରେ ସ୍ୱାଗତ କରାଯିବା ସହ ଉଚ୍ଛତ୍ସିତ ସଂବର୍ଦ୍ଧନା ଦିଆଯାଇଥିଲା। ତେଇସିପୁର ପଞ୍ଚାୟତର ସମିତିସଭ୍ୟ ତଥା ପିପିଲି ବ୍ଲକ ‘ଆତ୍ମା’ କମିଟିର ଅଧ୍ୟକ୍ଷ ଯୁବନେତା ଧରଣୀଧର ସାହୁ, ସମାଜସେବୀ ଫଗୁଭୂଷଣ ପରିଡା, ଉତ୍କଳମଣି ସାମ୍ବାଦିକ ସଂଘର ସାଧାରଣ ସମ୍ପାଦକ ସାମ୍ବାଦିକ ବିଜୟ କୁମାର ମହାପାତ୍ର, ଜିତେନ୍ଦ୍ର ବରାଳ, ଜିତେନ୍ଦ୍ର କୁମାର ରଥ, ସତ୍ୟବ୍ରତ ସେନାପତି, ଦେବେନ୍ଦ୍ର ବେହେରା, ବସନ୍ତ ଦାଶ, ନାରାୟଣ ଖଟେଇ, ଜମ୍ବେଶ୍ୱର ସେନାପତି, କାଳନ୍ଦୀ ପ୍ରଧାନଙ୍କ ସମେତ ବହୁ ଗୋପବନ୍ଧୁପ୍ରେମୀ ‘ଗୋପବନ୍ଧୁ ଜ୍ୟୋତି’କୁ ଦର୍ଶନ କରିବା ସହ ଗୋପବନ୍ଧୁଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ ଯୁବନେତା ଶ୍ରୀସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପଥପ୍ରାନ୍ତ ସଭାରେ ଯୋଗଦେଇଥିବା ଅତିଥିମାନେ ଗୋପବନ୍ଧୁଙ୍କ ସେବା ଓ ତ୍ୟାଗପୂତ ଜୀବନୀ ସଂପର୍କରେ ଆଲୋକପାତ କରିବା ସହ ତାଙ୍କୁ ମରଣୋତ୍ତର ଭାରତରତ୍ନ ପ୍ରଦାନ କରାଯିବାକୁ ଦାବି ରଖିଥିଲେ।

ପରେ ଦାଣ୍ଡମୁକୁନ୍ଦପୁର ସ୍ଥିତ ଗୋପବନ୍ଧୁ ମେମୋରିଆଲ ହାଇସ୍କୁଲ ଠାରେ ଅଗ୍ରଣୀ ନାଗରିକ ସଂଗଠନ ଜନସ୍ୱାର୍ଥ ସୁରକ୍ଷା ସମିତି ପକ୍ଷରୁ ‘ଗୋପବନ୍ଧୁ ଜ୍ୟୋତି’କୁ ସ୍ୱାଗତ କରାଯିବା ସହ ଉଚ୍ଛତ୍ସିତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଗୋପବନ୍ଧୁପ୍ରେମୀମାନେ ‘ଗୋପବନ୍ଧୁ ଜ୍ୟୋତି’କୁ ଦର୍ଶନ କରିବା ସହ ଗୋପବନ୍ଧୁଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଗୋପବନ୍ଧୁଙ୍କ ଦ୍ୱାରା ୧୯୧୯ ମସିହାରେ ପ୍ରତିଷ୍ଠିତ ଉକ୍ତ ଗୋପବନ୍ଧୁ ମେମୋରିଆଲ ହାଇସ୍କୁଲ ପରିସରକୁ ଏକ ଶୋଭାଯାତ୍ରାରେ ସେମାନେ ରଥକୁ ପାଛୋଟି ନେଇଥିଲେ। ସେଠାରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ‘ସମାଜ’ ରିଲିଫ କମିଟିର ସଂପାଦକ ଡ଼ ପ୍ରଭାସ ଆଚାର୍ଯ୍ୟଙ୍କ ସମେତ ଉପସ୍ଥିତ ଗୋପବନ୍ଧୁପ୍ରେମୀମାନେ ମାଲ୍ୟାର୍ପଣ କରିଥିଲେ। ଏହି ଅବସରରେ ସମିତିର ମୁଖ୍ୟ ସଂଯୋଜକ ଶିକ୍ଷାବିତ୍‍ ସନ୍ତୋଷ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପଥପ୍ରାନ୍ତ ସଭାରେ ସମାଜସେବୀ ନବକିଶୋର ସାହୁ, ବନବିହାରୀ ପଣ୍ଡା, ଗନ୍ଧର୍ବ ନାୟକ, ସନ୍ଦୀପ ବେହେରା, ପ୍ରଶାନ୍ତ ବେହେରା, ଚିତ୍ତରଞ୍ଜନ ସାହୁ, ଶିଶିର କୁମାର ମହାନ୍ତି, ରଞ୍ଜନ ପ୍ରଧାନ, ବିବେକା ସାହୁ, ଶିବଚରଣ ସାହୁ, ମିଥୁନ ସାହୁ, ପିପିଲି ମହୋତ୍ସବ କମିଟିର ନୃସିଂହ ଚରଣ ସାହୁ, ପିପିଲି ବିଶ୍ୱକର୍ମା ମହୋତ୍ସବ କମିଟିର ଅଧ୍ୟକ୍ଷ ମହେନ୍ଦ୍ର କୁମାର ମାଝୀ ପ୍ରମୁଖ ଯୋଗଦେଇ ଗୋପବନ୍ଧୁଙ୍କ ସେବା ଓ ତ୍ୟାଗପୂତ ଜୀବନୀ ସଂପର୍କରେ ଆଲୋକପାତ କରିଥିଲେ। ଉତ୍କଳମଣିଙ୍କ ଜନ୍ମପୀଠ ସୁଆଣ୍ଡୋ ସ୍ଥିତ ବାସଗୃହକୁ ସରକାର ତୁରନ୍ତ ଜାତୀୟ ସମ୍ପତ୍ତି ରୂପେ ଅଧିଗ୍ରହଣ କରି ତାହାକୁ ଏକ ସ୍ମୃତିତୀର୍ଥରେ ପରିଣତ କରିବା ପାଇଁ ସେମାନେ ଦାବି କରିଥିଲେ। ପିପିଲିର ସମାଜ ସମ୍ବାଦଦାତା ପ୍ରଦ୍ୟୁମ୍ନ କୁମାର ସୁବୁଦ୍ଧି ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories