ଗୁଡ୍ ଫ୍ରାଇଡେ ପାଳନକୁ ଫିକା କଲା କରୋନା
-ୟୁଟ୍ୟୁବ୍ରେ ଧର୍ମପାଳକଙ୍କ ପରାମର୍ଶ - ଚର୍ଚ୍ଚରେ ତାଲା, ଘରେ ପ୍ରାର୍ଥନା
ଭୁବନେଶ୍ୱର : ପ୍ରଭୁ ଯୀଶୁଙ୍କ ବଳିଦାନ ଦିବସକୁ ଗୁଡ୍ ଫ୍ରାଇଡେ କୁହାଯାଉଥିବା ବେଳେ ଖ୍ରୀଷ୍ଟଧର୍ମାବଲମ୍ବୀ ଭାଇଭଉଣୀ ଏହି ଦିନକୁ ମନେପକାଇ ସମୂହ ପ୍ରାର୍ଥନା କରିଥାନ୍ତି। ହେଲେ କରୋନା କଟକଣା ଯୋଗୁଁ ସହରର ବିଭିନ୍ନ ଚର୍ଚ୍ଚ ଖାଁ ଖାଁ ଦିଶୁଥିଲା। ତେବେ ଚର୍ଚ୍ଚଗୁଡ଼ିକ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଶ୍ରଦ୍ଧାଳୁ ଘରେ ରହି ବାଇବେଲ ପଢ଼ିଥିଲେ। ପୂର୍ବରୁ ଗ୍ରୁପ୍ କିମ୍ବା ମୁଖ୍ୟଙ୍କୁ ଏକ ଆପ୍ ଡାଉନ୍ଲୋଡ କରିବାକୁ ସୂଚନା ଦିଆଯାଇଥିଲା। ଚର୍ଚ୍ଚ ଫାଦର ବା ଧର୍ମପାଳକ ଗ୍ରୁପ୍ରେ ଭିଡିଓକୁ ଲାଇଭ୍ କରିଥିଲେ। ସମସ୍ତ ଭାଇଭଉଣୀ ଘରେ ବସି ଉକ୍ତ ଆପ୍କୁ ୟୁ-ଟ୍ୟୁବ୍ରେ ଟିଭି ଏବଂ ମୋବାଇଲ ଫୋନ୍ ମାଧ୍ୟମରେ ପରିବାର ସହ ସାମାଜିକ ଦୂରତା ରକ୍ଷା କରି ବାଇବେଲ ପାଠ କରିବା ସହ ଶୁଣୁଥିଲେ।
ସକାଳ ୧୦ଟାରେ ଇଂରାଜୀରେ ଏବଂ ଅପରାହ୍ଣ ୪ଟାରେ ଓଡ଼ିଆରେ ପ୍ରାର୍ଥନା ବା ଈଶ୍ୱରଙ୍କ ଆରାଧନା କରାଯାଇଥିଲା। ଆସନ୍ତା ରବିବାର ଇଷ୍ଟର ବା ପୁନରୁତ୍ଥାନ ଦିବସ ମଧ୍ୟ ସମାନ ଢଙ୍ଗରେ ପାଳନ କରାଯିବ ବୋଲି ସୂଚନା ମିଳିଛି।
ସତ୍ୟନଗର କ୍ୟାଥଲିକ, ୟୁନିଟ୍-୪ସ୍ଥିତ ୟୁନିୟନ ଚର୍ଚ୍ଚରେ କୌଣସି ବ୍ୟବସ୍ଥା ନଥିଲା। ନା ଚର୍ଚ୍ଚ ନାଲି ନେଳି ଆଲୋକମାଳାରେ ଝଲସୁଥିଲା ନା ଥିଲା ଶ୍ରଦ୍ଧାଳୁଙ୍କ ଗହଳି। ଗେଟ୍ରେ ଝୁଲୁଥିଲା ତାଲା। ବାହାରେ ଲାଗିଥିଲା ସୂଚନା ଫଳକ। କରୋନା ଲାଗି ସାରା ଦେଶରେ ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ଉପରେ କଟକଣା ଲଗାଯାଇଛି। ଏଥିରେ ମଧ୍ୟ ଚର୍ଚ୍ଚକୁ ଯୋଡ଼ା ଯାଇଛି।
Comments are closed.