‘ଜିମ୍‍ସାରକୁ ସହାୟତା ଦେବ ନାଲ୍‍କୋ’

0

-ଗୋପବନ୍ଧୁ ନର୍ସିଂ କଲେଜର ବାର୍ଷିକୋତ୍ସବ, -ଜ୍ୟୋତିପ୍ରଭାଙ୍କୁ ‘ଗୋପବନ୍ଧୁ ସେବା ସମର୍ପିତ ସମ୍ମାନ’

ଗୁରୁଡ଼ିଝାଟିଆ : ସେବିକାର ଜୀବନ ସାଧାରଣ ଜନତାଙ୍କ ପାଇଁ ସମର୍ପିତ। ସେବାର ମୂଲ୍ୟ ନ ଥାଏ ଓ ଏହାକୁ କୌଣସି କ୍ଷେତ୍ରରେ ମୂଲ୍ୟାଙ୍କନ କରାଯାଇ ନ ପାରେ। ସେବିକାମାନେ ସେବାକୁ ନିଜ ଜୀବନର ବ୍ରତ ଭାବେ ଗ୍ରହଣକରି କାର୍ଯ୍ୟକଲେ ନିଜେ ସମାଜରେ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିପାରିବେ ବୋଲି ଗୋପବନ୍ଧୁ ନର୍ସିଂ କଲେଜର ବାର୍ଷିକୋତ୍ସବ ତଥା ଆନ୍ତର୍ଜାତିକ ସେବିକା ଦିବସରେ ମୁଖ୍ୟଅତିଥି ତଥା ସ୍ୱାସ୍ଥ୍ୟ ଓ ଆଇନମନ୍ତ୍ରୀ ପ୍ରତାପ ଜେନା ମତପ୍ରକାଶ କରିଛନ୍ତି।
ପୂଣ୍ୟାତ୍ମା ଗୋପବନ୍ଧୁଙ୍କ ସେବା ଓ ତ୍ୟାଗର ମହାମନ୍ତ୍ରରେ ଗଢି ଉଠିଥିବା ଏହି ପ୍ରତିଷ୍ଠାନରେ ଅଧ୍ୟୟନରତ ପ୍ରତ୍ୟେକ ବିଦ୍ୟାର୍ଥୀ ନିଜକୁ ଧନ୍ୟ ମନେ କରିବା ଆବଶ୍ୟକ। ଅଧ୍ୟୟନରତ ନର୍ସିଂ ବିଦ୍ୟାର୍ଥୀ ନିଜକୁ ଉତ୍ତମରୂପେ ସେବାଭାବାପନ୍ନ ଭାବନାରେ ଗଢିତୋଳି ସାଧାରଣ ଜନତାଙ୍କ ହୃଦୟର ଭାଷାକୁ ସେବା ମାଧ୍ୟମରେ ଲାଘବ କଲେ ତାହା ହେବ ସେମାନଙ୍କ ପାଇଁ ଶ୍ରେଷ୍ଠ ଉପହାର। ରାଜ୍ୟ ସରକାର ସେବା ଭାବାପନ୍ନ ଚିକିତ୍ସକମାନଙ୍କୁ ସମ୍ମାନିତ କରିବା ପାଇଁ ‘ଗୋପବନ୍ଧୁ ସେବା ସମ୍ମାନ’ ପ୍ରଣୟନ କରିଥିବା ମନ୍ତ୍ରୀ ଶ୍ରୀ ଜେନା ସୂଚନା ଦେଇଥିଲେ। ନବରତ୍ନ ସମ୍ମାନପ୍ରାପ୍ତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‍କୋର ଅଧ୍ୟକ୍ଷ ତପନ କୁମାର ଚାନ୍ଦ ମୁଖ୍ୟବକ୍ତା ଭାବେ ଯୋଗଦେଇ ସେବିକାର ପୀୟୂଷହସ୍ତର ପରଶ ସମାଜରେ ପରିବର୍ତ୍ତନ ଆଣିବାସହ ମୁର୍ମୂଷୁ ରୋଗୀମୁହଁରେ ହସ ଫୁଟାଇପାରେ। ପ୍ରତ୍ୟେକ ସେବିକା ସମର୍ପିତ ଭାବନା ନେଇ ସାଧାରଣ ମଣିଷଙ୍କ ହୃଦୟର ଭାଷାକୁ ବୁଝିକରି କାର୍ଯ୍ୟକରିବା ପାଇଁ ସେ ପରାମର୍ଶ ଦେଇଥିଲେ। ଓଡ଼ିଶାର ମାଟି, ପାଣି ଓ ପବନରେ ଗଢି ଉଠିଥିବା ନାଲ୍‍କୋ ପୂଣ୍ୟାତ୍ମା ଗୋପବନ୍ଧୁଙ୍କ ସେବା ଭାବନାରେ ଗଢି ଉଠିଥିବା ଗୋପବନ୍ଧୁ ଆର୍ୟୁବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ (ଜିମ୍‍ସାର) ଓ ନର୍ସିଂ କଲେଜର ଉନ୍ନତି ପାଇଁ ସହଯୋଗର ହାତ ବଢାଇବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସମ୍ମାନିତଅତିଥି ଭାବେ ଯୋଗଦେଇ ଗୋପବନ୍ଧୁ ଚିକିତ୍ସାଳୟ ଓ ନର୍ସିଂ କଲେଜ ଆଠଗଡ଼ର ଅନ୍ୟତମ ପରିଚୟ ଓ ଗର୍ବ ବୋଲି ପ୍ରକାଶ କରିଥିଲେ। ଯୋଗାଯୋଗ, ଦ୍ରୁତବିକାଶ ଓ ଭିତ୍ତିଭୂମି ଥିବାରୁ ଗୋପବନ୍ଧୁ ଚିକିତ୍ସାଳୟକୁ ଏକ ମେଡିକାଲ କଲେଜରେ ପରିଣତ କରିବା ପାଇଁ ନାଲ୍‍କୋର ଅଧ୍ୟକ୍ଷ ଶ୍ରୀ ଚାନ୍ଦଙ୍କୁ ବିଧାୟକ ଶ୍ରୀ ସ୍ୱାଇଁ ଅନୁରୋଧ କରି କଟକର ଶ୍ରୀରାମଚନ୍ଦ୍ର ମେଡିକାଲ କଲେଜ ପରେ ଏହି ପ୍ରତିଷ୍ଠାନ ରାଜ୍ୟରେ ସ୍ୱାସ୍ଥ୍ୟସେବା ଓ ଶିକ୍ଷା କ୍ଷେତ୍ରରେ ଅନନ୍ୟ ହୋଇପାରିବ ଓ ଏହି ପ୍ରତିଷ୍ଠାନର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ବିଧାୟକ ଶ୍ରୀ ସ୍ୱାଇଁ କହିଥିଲେ।

ଆନ୍ତର୍ଜାତିକ ସେବିକା ଦିବସରେ ଅବସରରେ କଟକ ଜିଲା ଆଠଗଡ଼ ନିକଟସ୍ଥ ଗୋପବନ୍ଧୁ ନର୍ସିଂ କଲେଜର ଛାତ୍ରୀମାନେ ଶପଥପାଠ କରୁଛନ୍ତି

ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସଂପାଦକ ତଥା ପ୍ରତିଷ୍ଠାନ ପରିଚାଳନା କମିଟି ଅଧ୍ୟକ୍ଷ ନିରଞ୍ଜନ ରଥ ଉତ୍ସବରେ ପୌରୋହିତ୍ୟ କରି ମଞ୍ଚାସୀନ ଅତିଥିଙ୍କ ଉଦାର, ଶ୍ରଦ୍ଧା ଓ ଆପଣାର ଭାବ ପ୍ରତିଷ୍ଠାନର ଉନ୍ନତି ଦିଗରେ ସହାୟକ ହେବ ବୋଲି କହିବା ସହ ସ୍ଥାନୀୟ ବିଧାୟକଙ୍କ ସହଯୋଗରେ ଆଗାମୀଦିନରେ ଏହି ପ୍ରତିଷ୍ଠାନ ମେଡିକାଲ କଲେଜରେ ରୂପାନ୍ତରିତ ହୋଇପାରିବ ବୋଲି ଆଶାବ୍ୟକ୍ତ କରିଥିଲେ। ଏହି ପ୍ରତିଷ୍ଠାନ ବ୍ୟବସାୟିକ ମନୋବୃତ୍ତି ଠାରୁ ଊଦ୍ଧ୍ୱର୍ରେ ରହି ଅସହାୟ ଓ ଦୁଃଖିଲୋକଙ୍କ ପାଇଁ ମାଗଣାରେ ସ୍ୱାସ୍ଥ୍ୟସେବା ଯୋଗାଇବା ସହ ପ୍ରତିଷ୍ଠାନର ନର୍ସିଂ ଛାତ୍ରୀମାନେ ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ଚିକିତ୍ସାଳୟରେ ନିଯୁକ୍ତି ପାଇପାରିଛନ୍ତି ବୋଲି ଶ୍ରୀ ରଥ ସୂଚନା ଦେଇଥିଲେ। ରାଜ୍ୟ ନର୍ସିଂ ନିର୍ଦେଶିକା କାଜଲ ରକ୍ଷିତ ସମ୍ମାନିତଅତିଥି ଭାବେ ଯୋଗଦେଇ ନବାଗତ ନର୍ସିଂ ବିଦ୍ୟାର୍ଥୀଙ୍କୁ ଶପଥପାଠ କରାଇବା ସହ ଫୋରେନ୍ସ ନାଇଟ୍‍ଆଙ୍ଗେଲଙ୍କ ସେବା ସମର୍ପିିତ ଜୀବନ ସମସ୍ତ ସେବିକାଙ୍କ ପାଇଁ ଧେୟ ହେଉ ବୋଲି କହିଥିଲେ। ଲୋକସେବକ ମଣ୍ଡଳର କଟକ ଶାଖା ସଂପାଦକ ତଥା ଶରୀର ଓ ଅଙ୍ଗଦାନ କାର୍ଯ୍ୟକ୍ରମର ଅଧ୍ୟକ୍ଷ ଡଃ ପ୍ରଭାସ ଆଚାର୍ଯ୍ୟ ଅତିଥି ପରିଚୟ ପ୍ରଦାନ କରିବାସହ ସ୍ୱାଗତ ଭାଷଣ ଦେଇଥିଲେ। କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷା ରାଜଶ୍ରୀ ସାମନ୍ତରାୟ ବାର୍ଷିକ ବିବରଣୀ ପାଠ କରିଥିଲେ। ଛାତ୍ରୀ ପ୍ରଜ୍ଞାଞ୍ଜଳି ବେହେରା ଓ ଶ୍ରଦ୍ଧାଞ୍ଜଳି ହୋତାଙ୍କ ସଂଯୋଜନାରେ ଆୟୋଜିତ ଏହି ଉତ୍ସବରେ ଗୋପବନ୍ଧୁ ଚିକିତ୍ସାଳୟର ନିର୍ଦେଶକ ଡା. ଆର୍‍.ଏନ୍‍. ମିଶ୍ର ଧନ୍ୟବାଦ ଦେଇଥିଲେ। ସମସ୍ତ ମଞ୍ଚାସୀନ ଅତିଥିବୃନ୍ଦଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଜିଏନ୍‍ଏମ୍‍ ତୃତୀୟବର୍ଷର ଛାତ୍ରୀ ଜ୍ୟୋତିପ୍ରଭା ନାୟକଙ୍କୁ ‘ଗୋପବନ୍ଧୁ ସେବା ସମର୍ପିିତ ସମ୍ମାନ’ ପ୍ରଦାନ କରାଯାଇଥିଲା। ପରେ କଲେଜର କ୍ରୀଡ଼ା, ଶିକ୍ଷା ଓ ନୃତ୍ୟ କ୍ଷେତ୍ରରେ କୃତୀତ୍ୱ ଅର୍ଜନ କରିଥିବା ବିଦ୍ୟାର୍ଥୀଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ବିଦ୍ୟାର୍ଥୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଉତ୍ସବରେ ଚିକିତ୍ସାଳୟ ପରିଚାଳନା କମିଟିର ସଦସ୍ୟ, ସ୍ଥାନୀୟ ଅଞ୍ଚଳର ମୁରବୀ ଓ ବହୁ ବିଶିଷ୍ଟବ୍ୟକ୍ତି ଯୋଗଦେଇଥିବା ବେଳେ ନର୍ସିଂ କଲେଜର ସମସ୍ତ ଅଧ୍ୟାପକ/ଅଧ୍ୟାପିକା ସହଯୋଗ କରିଥିଲେ।

Leave A Reply