ଓଏସଆରଟିସି ବସ ବନ୍ଦ୍ ନେଇ ଜନ ଅସନ୍ତୋଷ
ଲଡୁଗାଁ: କିଛିଦିନ ହେବ ପରିବହନ ବିଭାଗ ପକ୍ଷରୁ ଓଏସଆରଟିସି ବସ ଚଳାଚଳ ବନ୍ଦ ରହିଛି। ବରଗଡ଼ରୁ ନବରଙ୍ଗପୁରକୁ ଯାଉଥିବା ଯାତ୍ରୀବାହୀ ବସ୍ କାହିଁକି ବନ୍ଦ୍ ରହିଛି ସେ ନେଇ ଏବେ ଜନଅସନ୍ତୋଷ ଦେଖାଦେଇଛି। ଦୈନନ୍ଦିନ ଜୀବନରେ ଏହି ବସ ଉପରେ ନିର୍ଭର କରୁଥିବା ଯାତ୍ରୀମାନେ ଏବେ ନାନାଦି ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି। ଏହି ବସଟି ନବରଙ୍ଗପୁରରୁ ପାହାନ୍ତିଆରୁ ବାହାରି ସକାଳ ୭ ଘଣ୍ଟାରେ କୋକସରା ବ୍ଲକର ଆମପାଣି, ଶିଉନି, ମହାଜନଗୁଡା, କାଉଡୋଳା, କୋକସରା, ଚିଲିଗୁଡା, କୁସୁମଖୁଣ୍ଟି, ମୋଟେର ଅଞ୍ଚଳ ଦେଇ ଯାଉଥିବା ବେଳେ ଏହି ଅଞ୍ଚଳ ସମେତ ଅନ୍ୟାନ୍ୟ ଗାଁର ଶତାଧିକ ଯାତ୍ରୀ ନିର୍ଭର କରି ରହୁଥିଲେ। ବିଭିନ୍ନ ସରକାରୀ, ବେସରକାରୀ କାର୍ଯ୍ୟାଳୟ ସହ ଛାତ୍ରଛାତ୍ରୀ ମାନେ ଶିକ୍ଷାନୁଷ୍ଠାନ ତଥା ଯାତ୍ରୀମାନେ ଜିଲ୍ଲା ମୁଖ୍ୟାଳୟ ସମେତ କେସିଙ୍ଗା, ବଲାଙ୍ଗୀର, ବରଗଡ଼ ବିଭିନ୍ନ କାମରେ ଯିବାପାଇଁ ନିର୍ଭରଶୀଳ ରହୁଥିଲେ। ଦୀର୍ଘ ବର୍ଷ ଧରି ଏହି ବସଟି ବରଗଡ଼ ଓ ନବରଙ୍ଗପୁର ମଧ୍ୟରେ ଯାତ୍ରୀଙ୍କ ପାଇଁ ଅତ୍ୟନ୍ତ ସୁବିଧା ଜନକ ଥିଲା। ଏବେ ବସକୁ ବରଗଡ଼ ଓଏସଆରଟିସି ବିଭାଗ ପକ୍ଷରୁ ଏହି ରୁଟରେ ଚଳାଚଳ ବନ୍ଦ କରାଯାଇଥିବା ଶୁଣିବାକୁ ମିଳୁଛି । ବରଗଡ଼, ବଲାଙ୍ଗୀର, କଳାହାଣ୍ଡି ଓ ନବରଙ୍ଗପୁର ୪ ଜିଲ୍ଲା କୁ ଗମନାଗମନ କ୍ଷେତ୍ରରେ ଯୋଡୁଥିବା ଏହି ବସ ସେବା ନ ପାଇ ଯାତ୍ରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।ଏଥିସହ ବିଭାଗ ପୁନଃ ଏହି ବସ ସେବା ଯୋଗାଇ ଦେବାକୁ ଅଞ୍ଚଳର ଯାତ୍ରୀ ଦାବି କରିଛନ୍ତି। ଏନେଇ ବରଗଡ଼ ଓଏସଆରଟିସି ଅଧିକାରୀଙ୍କ କହିବା କଥା ବସ ଚଳାଚଳ ବନ୍ଦ ହୋଇନାହିଁ, ଗାଡି ମରାମତି ପାଇଁ କିଛିଦିନ ହେବ ସେବା ବନ୍ଦ ରହିଛି, ଆସନ୍ତା ୩ ଦିନ ମଧ୍ୟରେ ପୁଣି ବସ ସେବା ଆରମ୍ଭ ହେବ।
Comments are closed.