ଗୋପବନ୍ଧୁ ଚିକିତ୍ସାଳୟ ପାଚେରୀ ଭାଙ୍ଗିଲା ହାତୀ
ହାତୀଙ୍କ ଗତିବିଧି ନିରୀକ୍ଷଣ କରିବାରେ ବନ ବିଭାଗ ଅସମର୍ଥ, ବନଖଣ୍ଡ ଅଧିକାରୀ ଉଠାଉନାହାନ୍ତି ଫୋନ କଲ
ଗୁରୁଡିଝାଟିଆ : ଜଙ୍ଗଲରୁ ପଳାଇଆସିଥିବା ହାତୀପଲଙ୍କ ଗତିବିଧି ସଠିକ ଭାବରେ ନିରୀକ୍ଷଣ କରୁନାହାନ୍ତି ଆଠଗଡ ବନବିଭାଗ । ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ଦ୍ୱାରା ପ୍ରଦତ୍ତ ୫ଥାକିଆ ହାତୀ ସୁରକ୍ଷା ଓ ସୁପରିଚାଳନା ନିୟମକୁ ଖୋଲାଖୋଲି ଭାବରେ ଉଲଘଂନ କରି ଚାଲିଛନ୍ତି ବିଭାଗୀୟ କର୍ମଚାରୀ। ଯାହାଫଳରେ କି ତୃଣମୂଳସ୍ତରରେ କାର୍ଯ୍ୟ କରୁଥିବା ବନକର୍ମଚାରୀ ସନ୍ଧ୍ୟା ହେଲେ ହାତୀ କେଉଁ ଅଞ୍ଚଳରେ, କେତୋଟି ହାତୀ ଅଛନ୍ତି ତାହାକୁ ସ୍ଥାନୀୟ ଜନସାଧାରଣଙ୍କୁ ଅବଗତ କରାଉନାହାନ୍ତି। ଫଳରେ ଅନେକ ସମୟରେ ହାତୀ ଓ ମଣିଷ ମୁହାଁମୁହିଁ ହେଉଛନ୍ତି । ଗତକାଲି ରାତିରେ ମାଧବପୁର ଠାରେ ଗୋପବନ୍ଧୁ ଚିକିତ୍ସାଳୟ ପରିସରେ ଶକ୍ତ ପାଚେରୀକୁ ହାତୀ ଭାଙ୍ଗି ଭିତରେ ପଶିବା ସହ ଆମ୍ବ ଓ କଦଳୀଗଛ ଇତ୍ୟାଦୀ ଉଜାଡି ଦେଇଛନ୍ତି । ଚିକିତ୍ସାଳୟର ଉତ୍ତରପାଶ୍ୱର୍ରେ ଥିବା ପ୍ରାୟ ୨୦ ଫୁଟ ଲମ୍ବର ପାଚେରୀ ଭାଙ୍ଗି ଦେଇଛନ୍ତି । ବିଭାଗୀୟ ଅଧିକାରୀ କ୍ଷତିପୂରଣ ଦେବା ତ ଦୂରକଥା । ଅନୁଧ୍ୟାନ କରିବା ପାଇଁ ଆସୁନାହାନ୍ତି । ନବନିଯୁକ୍ତ ବନଖଣ୍ଡ ଅଧିକାରୀଙ୍କୁ ହାତୀ ସଂପର୍କରେ କୌଣସି ସୂଚନା ଜାଣିବା ବା ଅଭିଯୋଗ କରିବା ପାଇଁ ଯୋଗାଯୋଗ କଲେ ମଧ୍ୟ ଫୋନ୍ ଉଠାଉନାହାନ୍ତି।
Comments are closed.