ଘର ଚଟିଆ ସଂରକ୍ଷଣ ଓ ବଂଶ ବୃଦ୍ଧି ପାଇଁ ଗ୍ରାମବାସୀଙ୍କ ନିଆରା ପ୍ରୟାସ

ଫୁଲବାଣୀ: ଆଧୁନିକ ସଭ୍ୟତାରେ ବଶୀଭୂତ ହୋଇ ମଣିଷ ନିଜର ପାରିପାର୍ଶ୍ବିକ ବିକାଶ ପାଇଁ ପ୍ରତିଦିନ ପ୍ରାକୃତିକ ପରିବେଶ ଏବଂ ଜଙ୍ଗଲକୁ ନଷ୍ଟ କରି ଚାଲିଛି। ଯାହା ପ୍ରଭାବରେ ବାୟୁ ପ୍ରଦୂଷଣ ହେବା ସହିତ ଜଙ୍ଗଲରେ ବସବାସ କରୁଥିବା ପ୍ରାଣୀ ଏବଂ ଉଦ୍ଭିଦ ଜଗତ ଉପରେ ବିଭିନ୍ନ କୁପ୍ରଭାବ ପକାଉଛି। ପୂର୍ବରୁ ଗାଁ ଗହଳିରେ ଚାଳ ଛପର ଘରଗୁଡ଼ିକ ଥିବା ଯୋଗୁ ଘର ଚଟିଆମାନେ ସୁରକ୍ଷିତ ଭାବେ ରହିବା ସହିତ ସେମାନଙ୍କ ବଂଶବୃଦ୍ଧି ମଧ୍ୟ ହେଉଥିଲା। କିନ୍ତୁ ବର୍ତ୍ତମାନ ଗାଁଗୁଡ଼ିକରେ ଚାଳ ଛପର ଘର ନ ଥିବା ଯୋଗୁ ଘର ଚଟିଆମାନଙ୍କର ରହିବାରେ ଅବ୍ୟବସ୍ଥା ସୃଷ୍ଟି ହେଉଛି। ଏହା ବ୍ୟତୀତ ମୋବାଇଲ୍ ଟାୱାରୁ ସୃଷ୍ଟି ହେଉଥିବା ବିକିରଣ ଶକ୍ତି ପ୍ରଭାବରେ ଘର ଚଟିଆଗୁଡ଼ିକ ମୃତ୍ୟୁବରଣ କରୁଛନ୍ତି। ତେବେ ସେମାନଙ୍କ ସଂରକ୍ଷଣ ପାଇଁ କନ୍ଧମାଳ ଜିଲ୍ଲା ତଲାରିମାହା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗଟାମାହା ଗ୍ରାମର ଗ୍ରାମବାସୀ ନିଆରା ପ୍ରୟାସ ଜାରି ରଖିଛନ୍ତି। ଗ୍ରାମବାସୀ ଦୀର୍ଘ ବର୍ଷ ଧରି ଗ୍ରାମରେ ଥିବା ବିଭିନ୍ନ ଘରଗୁଡ଼ିକରେ ଚଟିଆ ବସା ସ୍ଥାପନ କରିବା ସହିତ ସେମାନଙ୍କ ଖାଇବା ନିମନ୍ତେ ଖାଦ୍ୟ ବ୍ୟବସ୍ଥା କରୁଛନ୍ତି। ଯାହାଦ୍ବାରା ଚଟିଆମାନଙ୍କ ସଂରକ୍ଷଣ ହେବା ସହିତ ସେମାନଙ୍କ ବଂଶ ବିସ୍ତାର ହୋଇପାରିଛି। ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ୨୦୨୧ ମସିହାରେ ଗଟାମାହା ଗ୍ରାମରେ ବନ ସଂରକ୍ଷଣ ସମିତି ଗଠନ କରାଯାଇଛି। ସମିତି ମାଧ୍ୟମରେ ବର୍ତ୍ତମାନ ଗଟାମାହା ଗ୍ରାମରେ ପାଖାପାଖି ୨୦୦ ରୁ ଊର୍ଦ୍ଧ୍ବ ଘର ଚଟିଆ ରହିଛନ୍ତି। ଆଗକୁ ମଧ୍ୟ ଘର ଚଟିଆମାନଙ୍କ ସଂରକ୍ଷଣ ଏବଂ ବଂଶ ବୃଦ୍ଧି ପାଇଁ ସମିତି କାର୍ଯ୍ୟ କରିବ କରିବ ବୋଲି ଗ୍ରାମବାସୀ ମତ ପ୍ରକାଶ କରିଛନ୍ତି।
Comments are closed.