www.samajalive.in
Saturday, December 6, 2025
15.1 C
Bhubaneswar

କରୋନାକୁ ବଳିଗଲାଣି ଭୋକ, ପ୍ରବାସୀଙ୍କ ଲେଉଟାଣୀ ପର୍ବ ଆରମ୍ଭ

ବୌଦ୍ଧ: ସମଗ୍ର ଦେଶରେ କରୋନା ମହାମାରୀ କାୟା ବିସ୍ତାର ଆରମ୍ଭ କରୁଥିବା ସମୟରେ ଭୟଭୀତ ହୋଇ ପ୍ରବାସୀ ଶ୍ରମିକମାନେ ନିଜନିଜ ଘରକୁ ପ୍ରତ୍ୟାବର୍ତନ କରିଥିଲେ। ମାତ୍ର ଏବେ ବୌଦ୍ଧ ଜିଲାରେ କରୋନା ଭୟରୁ ପ୍ରବାସୀ ଶ୍ରମିକଙ୍କ ପେଟର ଜ୍ୱାଳା ବଳିଗଲାଣି। ଗୋଟିଏ ପଟେ ସରକାର ଭେକ୍ସିନ ନବାହାରିବା ପର୍ଯ୍ୟନ୍ତ କରୋନା ସହିତ ବଞ୍ଚିବାକୁ ଅଭ୍ୟାସ କରିବା ସହ ନିଜର ଦୈନନ୍ଦିନ କାର୍ଯ୍ୟ କରିବାକୁ ଅନଲକ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଅନ୍ୟପଟେ ରାଜ୍ୟ ବାହାରେ ବିଭିନ୍ନ କଳକାରଖାନାରେ କାର୍ଯ୍ୟକରି ମାସିକ ମୋଟା ଅର୍ଥ ରୋଜଗାର କରୁଥିବା ଶ୍ରମିକମାନଙ୍କୁ ଏବେ ଘରେ ବସି ରହିବାକୁ ଆଉ ଧୈର୍ଯ୍ୟ ନାହିଁ।

ଶିଳ୍ପ ବିହୀନ ବୌଦ୍ଧଜିଲାରେ କାମଧନ୍ଦା ଅଭାବ ହେଉଥବାରୁ ପ୍ରବାସୀଙ୍କ ଲେଉଟାଣୀ ପର୍ବ ଆରମ୍ଭ ଆରମ୍ଭ ହୋଇଗଲାଣି। ବୌଦ୍ଧ ଜିଲାରେ କୃଷି ହିଁ ଜିଲାବାସୀଙ୍କ ଆୟର ଏକମାତ୍ର ମାଧ୍ୟମ ଅଟେ। ମାତ୍ର ଜିଲାର ଅର୍ଦ୍ଧାଧିକ କୃଷି ଯୋଗ୍ୟ ଜମି ଆଜି ବି ଜଳସେଚନରୁ ବଞ୍ଚିତ ଅଟେ। ଜିଲ୍ଲାର ୮୦ ପ୍ରତିଶତ ଅଧିବାସୀ ପରିବାର ପ୍ରତିପୋଷଣ ପାଇଁ କୃଷି ଓ ଦିନ ମଜୁରୀ ଉପରେ ନିର୍ଭରଶୀଳ ଥିବାବେଳେ ପ୍ରତିବର୍ଷ ସ୍ୱଳ୍ପ ବୃଷ୍ଟିପାତ, ବନ୍ୟା, ବାତ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟ ଚାଷୀ ପରିବାରମାନଙ୍କୁ କୃଷି କ୍ଷେତ୍ରରୁ ଦୂରେଇବାରେ ଲାଗିଛି। ବର୍ତମାନ ସମାଜରେ ସମ୍ମାନର ସହ ବଞ୍ଚିବା ପାଇଁ ଅଧିକ ରୋଜଗାର ଆଶାରେ ଶ୍ରମିକ ପରିବାରମାନେ ଘର ଛାଡିବାକୁ ବାଧ୍ୟ ହେଉଛନ୍ତି।

- Advertisement -

ରାଜ୍ୟ ବାହାରେ କଳକାରଖାନା ଗୁଡିକ ପୁନଃ କାର୍ଯ୍ୟକ୍ଷମ ହେଉଥିବା ବେଳେ ମାଲିକମାନେ ଶ୍ରମିକମାନଙ୍କୁ ଫେରାଇ ନେବାକୁ ଯୋଗାଯୋଗ କରୁଛନ୍ତି। ପରିବହନ ବ୍ୟବସ୍ଥା ସୁଧୁରି ନଥିବାରୁ କମ୍ପାନୀ ମାଲିକମାନେ ଶ୍ରମିକଙ୍କ ପାଇଁ ଗାଡି ପଠାଉଥିବା ଦେଖାଯାଉଛି। ପ୍ରବାସୀ ଶ୍ରମିକମାନେ ମଧ୍ୟ କରୋନାକୁ ଆଉ ଭୟ ନକରି ନିଜର କର୍ମସ୍ଥଳୀକୁ ଫେରିଯିବାକୁ ଆଗଭର ହେଉଥିବା ଦେଖିବାକୁ ମିଳିଛି। ସରକାରୀ ତଥ୍ୟ ପ୍ରକାରେ ୯ ହଜାରରୁ ଊର୍ଦ୍ଧ୍ବ ଶ୍ରମିକ ଘରକୁ ଫେରିବାକୁ ପଂଜିକୃତ କରିଥିବାବେଳେ ଜିଲାକୁ ଏପର୍ଯ୍ୟନ୍ତ ୪୪୮୦ ଜଣ ପ୍ରବାସୀ ଶ୍ରମିକ ଫେରିଛନ୍ତି। ମାତ୍ର ପ୍ରକୃତ ପକ୍ଷେ ଫେରିଥିବା ଶ୍ରମିକଙ୍କ ସଂଖ୍ୟା ୧୦ ହଜାରରୁ ଅଧିକ ବୋଲି ବେସରକାରୀ ଭାବେ ଆକଳନ କରାଯାଉଛି।

ପ୍ରବାସୀ ଶ୍ରମିକମାନଙ୍କୁ କାମଧନ୍ଦା ଯୋଗାଇଦେବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା ଏପରିକି ମନରେଗାରେ ଆବଶ୍ୟକତା ଠାରୁ ଅଧିକ ଅର୍ଥ ଦିଆଯାଇଥିବା ଏବଂ ଅଧିକରୁ ଅଧିକ ପ୍ରକଳ୍ପ ମଞ୍ଜୁର କରାଯାଉଅଛି। ହେଲେ ପ୍ରବାସୀ ଶ୍ରମିକମାନେ କାମ ଧନ୍ଦା ଅଭାବରୁ ଅନ୍ୟ ରାଜ୍ୟକୁ କରୋନାକୁ ଭୟ ନକରି ଯାଉଥିବାରୁ ଯୋଜନା ପାଇଁ ଆସୁଥିବା ଅର୍ଥ ଏବଂ ପ୍ରକଳ୍ପ ଚୟନ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଜିଲାକୁ ବିଗତ ୪ ମାସରେ ୪୦ କୋଟି ଟଙ୍କାର ଅନୁଦାନ କେବଳ ମନରେଗା ଯୋଜନାରେ ଆସିଥିବା ଡିଆରଡିଏ ପିଡି ଶଶାଙ୍କ ଶେଖର ଦାସ ସୂଚନା ଦେଇଛନ୍ତି। ଜିଲାରେ ମନରେଗା ପ୍ରକଳ୍ପ ଗୁଡିକ ଶ୍ରମିକ ଅଭାବରୁ ଆଗେଇ ପାରୁନଥିବା ଅନେକ ବିଭାଗ ସୂଚନା ଦେଉଥିବା କୁହାଯାଉଛି। ଜିଲାରେ ଗତ ୪ମାସରେ ୮ ଲକ୍ଷ ଶ୍ରମ ଦିବସ ସୃଷ୍ଟି ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ମେସିନ ସାହାଯ୍ୟରେ ମନରେଗା କାର୍ଯ୍ୟ ହେବା, ମିଥ୍ୟା ମଷ୍ଟରରୋଲ ପ୍ରସ୍ତୁତ କରି ଶ୍ରମିକମାନଙ୍କ ନାମରେ ଟଙ୍କା ଉଠାଣ ହେବା ଜିଲ୍ଲା ପାଇଁ ନୂଆ ଘଟଣା ହୋଇନଥିବା ବେଳେ ଅଧିକ ଅର୍ଥ ଲୋଭରେ ଶ୍ରମିକମାନେ ରାଜ୍ୟ ବାହାରକୁ ଯାଉଥିବା କୁହାଯାଉଛି। ତେବେ ଆବଶ୍ୟକତା ପରିମାଣରେ କାମ ପାଉନଥିବାରୁ ବାଧ୍ୟ ହୋଇ ବାହାରକୁ ଯାଉଥିବା ଶ୍ରମିକମାନେ ପ୍ରକାଶ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories