www.samajalive.in
Tuesday, November 18, 2025
28.1 C
Bhubaneswar

୧୩ରେ ବିଧାନସଭା ସମ୍ମୁଖରେ ଧାରଣା ଦେବ ନିଖିଳ ଓଡ଼ିଶା ଜୀବିକା ମିଶନ ଇସି ସଂଘ

ଛତ୍ରପୁର : ପୁନର୍ଗଠନ ଆଳରେ ଓଡିଶାରେ ୨୫ ଵର୍ଷ ଧରି ଜୀବିକା ମିଶନ ଓ ୧୧ ଵର୍ଷ ଧରି ମିଶନ ଶକ୍ତିରେ କାର୍ଯ୍ୟ କରୁଥିବା ଲକ୍ଷାଧିକ କାର୍ଯ୍ୟକାରୀ ସଦସ୍ୟଙ୍କୁ ଛଟେଇ କରିବା ଯୋଜନା ପ୍ରତିବାଦରେ ଶୁକ୍ରବାର ଗଞ୍ଜାମ ଜିଲାରେ କାର୍ଯ୍ୟରତ ହଜାର ହଜାର ଇସି ସଦସ୍ୟ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ବିକ୍ଷୋଭ ପୁର୍ବରୁ ବିରାଟ ଶୋଭାଯାତ୍ରା ଛତ୍ରପୁର ନୂଆ ବସ୍‌ଷ୍ଟାଣ୍ଡରୁ ଵାହାରି ସହର ପରିକ୍ରମା କରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା। ନିଖିଳ ଓଡ଼ିଶା ଜୀବିକା ମିଶନ ଇସି ସଂଘ ଜିଲା ସଭାପତି ଧନୀ ରାଣୀ ଵିଶୋୟୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିକ୍ଷୋଭ ଓ ଘେରାଉ ସମାବେଶରେ ସଂଘର ଜିଲା ସମ୍ପାଦକ ଶୈଳବାଳା ରଥ ଇସି ପୁନର୍ଗଠନ ଵନ୍ଦ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ଚେତାବନୀ ଦେଇଛନ୍ତି। ବିକ୍ଷୋଭ ସଭାରେ ନିଖିଳ ଓଡ଼ିଶା ଜୀବିକା ମିଶନ ଇସି ସଂଘ ରାଜ୍ୟ ସଭାପତି ତଥା ଏଆଇଟିୟୁସି ରାଜ୍ୟ ସମ୍ପାଦକ ଜୟନ୍ତ ଦାସ କହିଥିଲେ ଯେ ୨୫ ଵର୍ଷ ଧରି କେନ୍ଦ୍ର ସରକାରଙ୍କ ସ୍ବର୍ଣ୍ଣ ଜୟନ୍ତୀ ସ୍ବରୋଜଗାର ଯୋଜନା ଓ ୨୦୧୧ ମସିହାଠାରୁ ଏନ୍ଆରଏଲ୍ଏମ୍ କେନ୍ଦ୍ରୀୟ ସ୍କିମ ଅଧୀନରେ ଓଡ଼ିଶାର ମିଶନ ଶକ୍ତି ବିଭାଗ ମାଧ୍ୟମରେ ନିଯୁକ୍ତି ପାଇ ରାଜ୍ୟରେ ୬ ଲକ୍ଷରୁ ଅଧିକ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରି ଓଡ଼ିଶା ଜୀଵିକା ମିଶନ ମାଧ୍ୟମରେ ୭୦ ଲକ୍ଷ ମହିଳାଙ୍କୁ ଜୀବିକା ଅର୍ଜନର ରାହା ଦେଖାଇଛନ୍ତି। ଏମାନେ ୨୦୧୯ ପର୍ଯ୍ୟନ୍ତ ବିନା ଭତ୍ତାରେ କାର୍ଯ୍ୟ କରି ଆସିଥିଵା ବେଳେ ୨୦୨୨ରୁ ମାସିକ ହଜାରେ ଟଙ୍କା ହାରରେ ଏଵଂ ୨୦୨୪ ମାର୍ଚ୍ଚରୁ ମାସିକ ଦେଢ଼ ହଜାର ଟଙ୍କା ହାରରେ ଗସ୍ତ ଭତ୍ତା ପାଉଛନ୍ତି। ରାଜ୍ୟରେ ନୂଆ ସରକାର ଗଠନ ହେବା ପରେ ୨୦୨୫ ନୂଆ ବର୍ଷରେ ରାଜ୍ୟର ଏହି ଲକ୍ଷାଧିକ କର୍ମଜୀବୀ ମହିଳା ଇସି ସଦସ୍ୟଙ୍କୁ ରିଷ୍ଟ୍ରକଚରିଂ(ପୁନର୍ଗଠନ) ଆଳରେ କାର୍ଯ୍ୟରୁ ଵାହାର କରିବା ଯୋଜନାକୁ ଶ୍ରୀ ଦାସ ତୀବ୍ର ନିନ୍ଦା କରିବା ସହ ପୁନର୍ଗଠନ ଆଦେଶ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ। ଏହାସହିତ କାର୍ଯ୍ୟରତ ଇସି ସଦସ୍ୟଙ୍କୁ ସ୍ଥାୟୀ ନିଯୁକ୍ତି ଦେବା, ସେପ୍ଟେମ୍ବର ମାସରୁ ବକେୟା ଭତ୍ତା ପ୍ରଦାନ, ଇପିଏଫ୍ ଏଵଂ ଇଏସ୍ଆଇ ସମେତ ସାମାଜିକ ନିରାପତ୍ତା ପ୍ରଦାନ, କାର୍ଯ୍ୟକାଳର ବୟସ ସୀମା ୬୫ ଵର୍ଷକୁ ଵୃଦ୍ଧି ସହ ମିଶନ ଶକ୍ତି ପରିବାରରେ କାର୍ଯ୍ୟରତ ସିଆରପି ଓ ଏମଵିକେ ସମେତ କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କ ବକେୟା ଭତ୍ତା ପ୍ରଦାନ ସହ ସ୍ଥାୟୀ ନିଯୁକ୍ତି ଦାଵି କରିଛନ୍ତି। ପୁନର୍ଗଠନ ଆଦେଶ ପ୍ରତ୍ୟାହାର କରି ସ୍ଥାୟୀ ନିଯୁକ୍ତି ଦାବିରେ ଫେଵୃଆରୀ ୧୩ ରୁ ବିଧାନସଭାର ଵଜେଟ ଅଧିବେଶନ ସମୟରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବିଧାନସଭା ସମୁଖରେ ଗଣଧାରଣା ପାଇଁ ନିଖିଳ ଓଡ଼ିଶା ଜୀବିକା ମିଶନ ଇସି ସଂଘ ଆହ୍ବାନ ଦେଇଛି। ଆନ୍ଦୋଳନରେ ସଂଘର ସାଗରିକା ବେହେରା, କେ.କମଳା କୁମାରୀ ରେଡ୍ଡୀ, ବନିତା ମହାନ୍ତି,ଏସ୍ ସାରଦା ଦୋରା, ବିଦ୍ୟୁତ୍‌ପ୍ରଭା ଦାଶ, ପୂର୍ବତନ ବିଧାୟକ ଏନ୍ ନାରାୟଣ ରେଡ୍ଡୀ, ଏଆଇଟିୟୁସି ନେତା ନୀଳକଣ୍ଠ ଦାଶ ଓ ଅଳକ ନାଥ ମିଶ୍ର ପ୍ରମୁଖ ସରକାର ତୁରନ୍ତ ଇସି ପୁନର୍ଗଠନ ଵନ୍ଦ କରି ସ୍ଥାୟୀ ନିଯୁକ୍ତି ଦେବାକୁ ଦାବି କରିଥିଲ। ପରେ ଅତିରିକ୍ତ ଜିଲାପାଳ ଡ. ପ୍ରମୋଦ ପୃଷ୍ଟିଙ୍କ ଜରିଆରେ ସଂଘ ପକ୍ଷରୁ ରାଜ୍ୟ ଉପମୁଖ୍ୟ ମନ୍ତ୍ରୀ ତଥା ମିଶନ ଶକ୍ତି ମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା।

Hot this week

ମାଓମୁକ୍ତ ଅଭିଯାନ : ଗୋଟିଏ ଦିନରେ ୨ ଏନକାଉଣ୍ଟର

ମାଲକାନଗିରି : କିଛିଦିନ ପୂର୍ବରୁ ଖୁବଶୀଘ୍ର ଦେଶ ମାଓବାଦୀ ମୁକ୍ତ ହେବ...

୩ଟା ମୁଖ୍ୟ ଖବର

ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ୯ଟି ଟାସ୍କ...ଦୁର୍ନୀତି ହଟାଅ, ଅଧିକ ଫିଲ୍ଡ ଭିଜିଟ୍...

ମର୍ମନ୍ତୁଦ ଦୁର୍ଘଟଣା: ଯୁବକଙ୍କୁ ଚାପି ଦେଲା ଟ୍ରକ୍‌

ଭୁବନେଶ୍ଵର : ଚନ୍ଦକା କୁଜିମହଲ ଛକରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବିପରୀତ...

ଶପଥ ଗ୍ରହଣ ଉତ୍ସବ ପୂର୍ବରୁ ଶାହଙ୍କ ସହ ଆଲୋଚନା

ସମାଜ ଲାଇଭ ଡ଼େସ୍କ : ବିହାରରେ ଏନଡିଏ ସରକାର ଶପଥ ନେବା...

ସାଲିଆ ସାହିରେ ବୁଲଡୋଜର, ଭଙ୍ଗାଯିବ ୫୧୭ ଘର

ଭୁବନେଶ୍ବର: ଉଚ୍ଛେଦ ହେବ ସାଲିଆ ସାହି। ଏକାମ୍ର କାନନରୁ ଅନ୍ଧାରୁଆ ୧୩...

Related Articles

Popular Categories